ମାହାଲିବସାରେ ସ୍ୱଧର୍ମକୁ ଫେରିଲେ ୧୧୦ ଜଣ
ନିଜର ପୂର୍ବ ଧର୍ମ ପ୍ରତି ପୁନର୍ବାର ଆସ୍ଥା ସ୍ଥାପନ କରି ଝୁଟା ବ୍ଲକ ଅନ୍ତର୍ଗତ ମାହାଲି ବସା ଗ୍ରାମର ୧୧୦ ଜଣ ପୁରୁଷ, ମହିଳା ଓ ଛୋଟ ପିଲାମାନେ ନଭେମ୍ବର ୨ ତାରିଖ ଦିନ ସ୍ୱଧର୍ମ କୁ ପ୍ରତ୍ୟାବର୍ତନ କରିଛନ୍ତି । ଏଥିପାଇଁ ମାହାଲିବସା ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୮ଟି ଗ୍ରାମର ଜାତି ମୁଖିଆମାନେ ଉପସ୍ଥିତ ରହି ଘରବାହୁଡା ବ୍ୟକ୍ତିମାନଙ୍କୁ ସ୍ୱାଗତ କରିଥିଲେ । ସ୍ୱଧର୍ମକୁ ପ୍ରତ୍ୟାବର୍ତନ କରିଥିବା ୧୧୦ ଜଣଙ୍କ ମଧ୍ୟରୁ ୫ଟି ଜନଜାତି ସାନ୍ତାଳ, ମାଙ୍କଡିଆ, ଲୋଧା, ବରାଙ୍ଗ ଓ ଭୂମିଜ ଜନଜାତିର ଥିଲେ । ଗ୍ରାମର ମୁଖିଆ ପୂଜାର୍ଚ୍ଚନା ପରେ ପାରମ୍ପରିକ ବସ୍ତ୍ର ପରିଧାନ କରି ସମସ୍ତେ ନିଜ ପୂର୍ବ ଧର୍ମକୁ ଆପଣାଇଥିଲେ । ସେମାନେ ନିଜ ଉପାସନା ପଦ୍ଧତିକୁ ତ୍ୟାଗ କରି ବହୁତ ବଡ ଭୁଲ କରିଥିବାବେଳେ ଏବେ ପୁନର୍ବାର ସ୍ୱଧର୍ମକୁ ଫେରିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଜନଜାତି ସୁରକ୍ଷା ମଂଚ ଓ ବନବାସୀ କଲ୍ୟାଣ ଆଶ୍ରମର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ସଂଗଠନରର ଜିଲ୍ଲା ଉପସଭାପତି ତଥା ପ୍ରତିରକ୍ଷା ଓ ଗବେଷଣା ସଂସ୍ଥାର ଅବସର ପ୍ରାପ୍ତ ବିରିଷ୍ଠ ପ୍ରଶାସନିକ ଅଧିକାରୀ ଭୀମଚରଣ ମାଝୀ, କୈଳାସ ମୁର୍ମୁ, ବୈଶାଖୁ ସର୍ଦାର, ଘନଶ୍ୟାମ ମହାନ୍ତ, ରାମଚନ୍ଦ୍ର ଶାହା ଓ ରାମାୟ ବେଶ୍ରା ସ୍ୱଧର୍ମ ପ୍ରତ୍ୟାବର୍ତନକାରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ନାଚଗୀତର ଆସର ଜମିଥିଲା ।