ଟିକାବାଲି : ୨୬-୧୦-୨୦୨୫ ରିଖ ରବିବାର ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କନ୍ଧମାଳ ଜିଲ୍ଲା, ଟିକାବାଲି ସ୍ଥିତ AMCS ମହାବିଦ୍ୟାଳୟ ପରିସରରେ ଯୁବକ ମାନଙ୍କୁ ନେଇ ଏକ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କନ୍ଧମାଳ ଜିଲ୍ଲାର ୪ ବ୍ଲକର ଯୁବ ଶକ୍ତିର ଜାଗରଣ ଓ ରାଷ୍ଟ୍ର ନିର୍ମାଣରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନେଇ ଯୁବ ସମାଜକୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ସେବା ପ୍ରମୁଖ ଶ୍ରୀମାନ ଶାନ୍ତୁନୁ କୁମାର ମାଝୀ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ସଂଘର ଗଞ୍ଜାମ ବିଭାଗର ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ଅମୁଲ୍ୟ ପାତ୍ର ଭାରତର ଗୌରବମୟ ଇତିହାସ ବିଷୟରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲାର ସହ ଜିଲ୍ଲା କାର୍ଯ୍ୟବାହ ଶ୍ରୀମାନ ନରେଶ ମହାନ୍ତି ୧୦୦ ବର୍ଷ ପୁରଣ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ, ମୁଖ୍ୟ ବକ୍ତା ଶ୍ରୀ ମାଝୀ ନିଜ ବକ୍ତବ୍ୟ ମାଧ୍ୟମରେ ପର୍ଯ୍ୟାବରଣର ସୁରକ୍ଷା, ବୃକ୍ଷରୋପଣ, ଜଳର ସଂରକ୍ଷଣ, ପଲିଥିନ୍ ମୁକ୍ତ ଗାଁ ବିଷୟରେ ଆଲୋକପାତ କରିଥିଲେ, ଦୀର୍ଘ ୧୦୦ ବର୍ଷ ଧରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଭାରତକୁ ପରମ ବୈଭବଶାଳୀ କରିବା ଦିଗରେ କାର୍ଯ୍ୟ କରୁଛି | ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଦକୁ ଉଠି ନିଜକୁ ମା ଭାରତୀଙ୍କ ସନ୍ତାନ ଭାବରେ ଦେଶ,ଧର୍ମ,ସସ୍କୃତି ତଥା ପରମ୍ପରାର ସୁରକ୍ଷା କରିବା ପାଇଁ ସେ ସମସ୍ତ ଯୁବ ସମାଜକୁ ନିବେଦନ କରିଥିଲେ | ଭାରତରେ ରହୁଥିବା ସମସ୍ତେ ଭାରତକୁ ନିଜର ମାତୃଭୁମି, ଜନ୍ମଭୁମି, କର୍ମଭୁମି ଓ ପୂଣ୍ୟଭୁମୀ ଭାବି ନିଜର ଶକ୍ତି ସାମର୍ଥ୍ୟ ଉପଯୋଗ କରି ଦେଶ ପାଇଁ କାମ କରିବା ଆବଶ୍ୟକ ବୋଲି ଶ୍ରୀ ମାଝୀ ମତବ୍ୟକ୍ତ କରିଥିଲେ | ପଞ୍ଚ ପରିବର୍ତ୍ତନର ଉପରୋକ୍ତ ବିଷୟ ଗୁଡିକୁ ଆଗାମୀ ଦିନରେ ସଂଘ ତଥା ସଂଘର ସ୍ୱୟଂସେବକ ତଥା ସମସ୍ତ ନାଗରିକ ମାନେ ନିଜ ଜୀବନରେ ଉପଯୋଗ କରିବା ସହିତ, ଏ ସବୁ ବିଷୟକୁ ସମ୍ପୁର୍ଣ୍ଣ ସମାଜ ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ ବୋଲି ସେ କହିଥିଲେ | ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ମା. ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ପ୍ରଚାରକ ଶ୍ରୀମାନ କର୍ଣ୍ଣ ପ୍ରଧାନ,ଜିଲ୍ଲା କାର୍ଯ୍ୟବାହ ଶ୍ରୀ ଅରବିନ୍ଦ ପ୍ରଧାନ, ସହ-ଜିଲ୍ଲା ସେବା ପ୍ରମୁଖ ଶ୍ରୀ ପ୍ରଣବ ନାୟକ,ଜିଲ୍ଲା ସଦଭାବନା ପ୍ରମୁଖ ଶ୍ରୀ ବିରେନ୍ଦ୍ର ପ୍ରଧାନ ଏବଂ ବିଭାଗର ସଦ୍ଭାବନା ପ୍ରମୁଖ ତଥା ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ନନ୍ଦ ଉପସ୍ଥିତ ଥିଲେ । ବିଭିନ୍ନ ମହାପୁଋଷଙ୍କ ଜୀବନୀ, ସ୍ୱାଧିନତା ସଂଗ୍ରାମୀ ଓ ସଂଘର ୧୦୦ ବର୍ଷର ଯାତ୍ରା ଉପରେ ଏକ ଫୋଟଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଇକିଆ, ଜି. ଉଦୟଗିରି, ଚକାପାଦ, ଟିକାବାଲି ବ୍ଲକର ୧୯୦ ରୁ ଉର୍ଦ୍ଧ ଯୁବକ ଅଂଶଗ୍ରହଣ କରିଥିଲେ । ନିଜ ଦେଶର ସଂସ୍କୃତି, ପରମ୍ପରା, ଦେଶର ଇତିହାସ ଓ ବିଭିନ୍ନ ସମସ୍ୟା ତଥା ସଚେତନ ଯୁବକ ଓ ଦେଶର ଭବିଷ୍ୟତ ପିଢ଼ି ଭାବରେ ନିଜର ଭୂମିକା କୁ ନେଇ ବେଶ ଆଗ୍ରହୀ ଥିବା ଲକ୍ଷ କରାଯାଇଥିଲା । ଭାରତର ଉନ୍ନତି, ପ୍ରଗତି ପାଇଁ ନିଜର ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ଯୁବକ ମାନେ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ ।