ସତରେ କଣ ରାଜନଗରରେ ୩୦ଜଣ ବାଂଲା ଅନୁପ୍ରବେଶକାରୀ ରହିଛନ୍ତି
ରାଜନଗର, ୨୯/ ୬ : କେନ୍ଦ୍ରାପଡ଼ା ଜିଲ୍ଲା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚରାଭୂଇଁ ପାଲଟିଛି । ଏବେ ବି’ ବେଧଡ଼କ ଚାଲିଛି ଅନୁପ୍ରବେଶ | ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି କେନ୍ଦ୍ରାପଡ଼ା ଗସ୍ତରେ ଆସିଥିଲା ବେଳେ ବାଂଲା ଅନୁପ୍ରବେଶକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ଯାଞ୍ଚ ପକ୍ରିୟା ଆରମ୍ଭ କରିଛନ୍ତି | ଦୁଇଦିନ ଭିତରେ ରାଜନଗର ଥାନା ଓ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରୁ ୨୧ଜଣଙ୍କୁ ପୁଲିସ ଅଟକ ରଖି ନାଗରିକତା ପ୍ରମାଣପତ୍ର ଯାଞ୍ଚ କରୁଥିବା ଜଣାପନିଛି। ତାଳଚୁଆ ସାମୁଦ୍ରିକ ଥାନା ପୁଲିସ ରାଜେନ୍ଦ୍ରନଗର ଗାଁରୁ ଜଣେ ଓ ରଙ୍ଗଣୀ ଅଞ୍ଚଳରୁ ଜଣଙ୍କୁ ଉଠାଇ ନେଇଥିଲା ବେଳେ ରାଜନଗର ଥାନା ପୁଲିସ ଗତକାଲି ଓ ଆଜି ଦୁଇଦିନରେ କେରେଡ଼ାଗଡ଼ ଗାଁରୁ ୮ଜଣ ଓ ଗୋପାଳପୁରରୁ ୧୧ଜଣଙ୍କୁ ଉଠାଇ ନେଇଛି । ଦୁଇ ଥାନା ଅଞ୍ଚଳରୁ ୨୧ଜଣଙ୍କୁ ପୁଲିସ କେନ୍ଦ୍ରପଡ଼ା ପଠାଇଛି। କେନ୍ଦ୍ରାପଡ଼ାରେ ଏକ ସ୍ବତନ୍ତ୍ର ଟିମ୍ ସେମାନଙ୍କ ନାଗରିକତା ପ୍ରମାଣପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି । ସେମାନେ କେବେଠାରୁ ଓଡ଼ିଶାରେ ରହୁଛନ୍ତି, ସେମାନଙ୍କ ପାଖରେ ଥିବା ପ୍ରମାଣପତ୍ର ଅସଲି ନାଁ ନକଲି, ସେମାନେ କିପରି ପ୍ରମାଣପତ୍ର ହାତେଇଲେ ଆଦିକୁ ନେଇ ତନ୍ନତନ୍ନ କରି ତଦନ୍ତକାରୀ ଦଳ ଯାଞ୍ଚ କରୁଛନ୍ତି। ତେବେ ଅଧିକାଂଶଙ୍କ ପାଖରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବାସିନ୍ଦା ପ୍ରମାଣପତ୍ର ଥିବା ଜଣାପଡ଼ିଛି। ଯାଞ୍ଚ ପରେ ବାଂଲାଦେଶୀଙ୍କୁ ତଡ଼ିବା ପାଇଁ ପଦକ୍ଷେପ ନିଆଯାଇପାରେ ବୋଲି ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ ରାଜନଗରରେ ୩୦ହଜାରରୁ ଅଧିକ ବାଂଲା ଅନୁପ୍ରବେଶକାରୀ ଥିବା ବେସରକାରୀ ରିପୋର୍ଟ କହୁଛି । ମାତ୍ର ସରକାରୀ ରିପୋର୍ଟରେ ରାଜନଗରରେ ମାତ୍ର ୩୦ଜଣ ବାଂଲା ଅନୁପ୍ରବେଶକାରୀ ରହିଛନ୍ତି।