ରଥଯାତ୍ରା କେବଳ ଯେ ଏକ ପର୍ବ ତାହା ନୁହେଁ, ବରଂ ଓଡ଼ିଆଙ୍କ ଭାବନା, ସମସ୍ତଙ୍କୁ ଯୋଡ଼ି ପାରୁଥିବା ଏକ ଅବସର

ଦୁବାଇରେ ରଥଯାତ୍ରା ଅନୁଷ୍ଠିତ
ଭୁବନେଶ୍ୱର, ୨୯/୬: ଦୁବାଇରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥ ଗଡ଼ିଛି। ଓଡ଼ିଶା ସମାଜ ୟୁଏଇ ଦ୍ଵାରା ଆୟୋଜିତ ଦୁବାଇ ରଥଯାତ୍ରା ଚଳିତବର୍ଷ ୧୫ ବର୍ଷରେ ପଦାର୍ପଣ କରିଛି। ଚଳିତବର୍ଷ ରଥଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଥିଲା । ରୀତିନୀତି ଅନୁସାରେ ସକାଳ ୭ଟାରେ ମଙ୍ଗଳ ଆଳତି ସହ ମୁଖ୍ୟ ପୂଜା ଆରମ୍ଭ କରାଯାଇଥିଲା । ଦୁବାଇ, ଆବୁଧାବି, ସାରଜାହ ସହିତ ଅନ୍ୟାନ୍ୟ ଏମିରେଟ୍ସରୁ ପ୍ରାୟ ୧ ହଜାର ଭକ୍ତ ଦୁବାଇସ୍ଥିତ ଷ୍ଟାର୍ଇ ଣ୍ଟରନ୍ୟାସନାଲ୍ ସ୍କୁଲରେ ଏକାଠି ହୋଇଥିଲେ। ସମଗ୍ର ଅଞ୍ଚଳ ଘଣ୍ଟ, ଶଙ୍ଖ ଏବଂ ହରିବୋଲ ଧ୍ଵନିରେ ପ୍ରକମ୍ପିତ ଜଗନ୍ନାଥମୟ ହୋଇ ଉଠିଥିଲା ।
ରଥଯାତ୍ରା ଅବସରରେ ପ୍ରବାସୀ ଓଡ଼ିଆମାନେ ୫୬ ଭୋଗ ଠାକୁରଙ୍କୁ ଅର୍ପଣ କରିଥିଲେ। ୧୫ ବର୍ଷ ପୂର୍ତ୍ତି ଅବସରରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ସେହିଭଳି କୁନିକୁନି ପିଲାଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ଶେଷରେ ଉପସ୍ଥିତ ଭକ୍ତଙ୍କୁ ଓଡ଼ିଆ ଖାଦ୍ୟ ପରଷା ଯାଇଥିଲା। ରଥଯାତ୍ରା କେବଳ ଯେ ଏକ ପର୍ବ ତାହା ନୁହେଁ, ବରଂ ଓଡ଼ିଆଙ୍କ ଭାବନା, ସମସ୍ତଙ୍କୁ ଯୋଡ଼ି ପାରୁଥିବା ଏକ ଅବସର ବୋଲି ଓଡ଼ିଶା ସମାଜ ୟୁଏଇର ସଭାପତି ଅମିୟ ମିଶ୍ର କହିଥିଲେ। ଓଡ଼ିଆଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ଏହାକୁ ବଡ଼ ଆକାରରେ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *