ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗଦାତା ମାଷ୍ଟର ଜନ୍ମେଶ

ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗଦାତା ମାଷ୍ଟର ଜନ୍ମେଶ
ଭୁବନେଶ୍ୱର: ଜୀବନ କଣ ଜାଣିବା ପୂର୍ବରୁ ଶରୀରରେ ଆଉ ଜୀବନ ନଥିଲା। ମାତ୍ର ନିଜ କିଡ୍‌ନୀ (ବୃକକ୍) ଓ ଲିଭର(ଯକୃତ) ଦାନ କରି ଅମର ହୋଇଯାଇଛନ୍ତି ୧୬ ମାସର ମାଷ୍ଟର  ଜନ୍ମେଶ ା  ଦୁନିଆରୁ ସବୁଦିନ ପାଇଁ  ବିଦାୟ ନେଇଥିଲେ ମଧ୍ୟ ଦୁଇଜଣଙ୍କୁ ନୂଆ ଜୀବନ ଦାନ କରି ସବୁଦିନ ପାଇଁ ନିଜର ସତା ଛାଡ଼ି ଯାଇଛନ୍ତି। ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖୁବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ୱର। ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗଦାତା ମାଷ୍ଟର ଜନ୍ମେଶଙ୍କ ଶରୀରରୁ ବହୁ ଅଙ୍ଗ ପୁନରୁଦ୍ଧାର କରାଯାଇଛି। ମାର୍ଚ୍ଚ ୨ ତାରିଖ ଦିନ ଅନୁଷ୍ଠିତ ଏହି ପ୍ରକ୍ରିୟା ମାଧ୍ୟମରେ ୧୬ମାସର ମାଷ୍ଟର ଜନ୍ମେଶ କିଡ୍‌ନୀ(ବୃକକ୍) ଓ ଲିଭର(ଯକୃତ) ଦାନ କରି ଦୁଇଜଣ ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରିଛନ୍ତି । ଜନ୍ମେଶ ଲେଙ୍କାଙ୍କ ପିତାମାତାଙ୍କ ଏପରି ସାହସିକ ନିଷ୍ପଭି ଯାହା ସେମାନଙ୍କର ବ୍ୟକ୍ତିଗତ ଦୁଃଖକୁ ଅନ୍ୟମାନଙ୍କ ପାଇଁ ଆଶାର ଆଲୋକରେ ପରିଣତ କରିଛି ।

ରାଉରକେଲାର ଅଶୋକ ଏମ୍ସ ଭୁବନେଶ୍ୱରରେ ହଷ୍ଟେଲ ୱାର୍ଡେନ ଭାବେ କାମ କରୁଥିବା ବେଳେ ପତ୍ନୀ ପ୍ରଭା  ପୁଅକୁ ଧରି କଳିଙ୍ଗନଗରରେ ରହୁଥ‌ିଲେ। ଜନ୍ମେଶ ଗତ ମାସ ୧୨ ତାରିଖରେ ଏମ୍‌ ଭୁବନେଶ୍ବରର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ । ଫରେନ୍ ବଡି ଆସ୍ପିରେସନ୍ ଏଣ୍ଟ ଚୋଙ୍କି (ଶ୍ଵାସକ୍ଳାନ୍ତ) ରୋଗରେ ପୀଡ଼ିତ ହୋଇ ମାଷ୍ଟର ଜନ୍ମେଶ ଡାକ୍ତର କୃଷ୍ଣ ମୋହନ ଗୁଲ୍ଲାଙ୍କ ତତ୍ତ୍ବାବଧାନରେ ଚିକିତ୍ସାଧୀନ ଥିଲେ। ତୁରନ୍ତ କାର୍ଡିଓପଲମୋନାରୀ ରିସସିଟେସନ (ସିପିଆର) ଓ ପରବର୍ତୀ ଦୁଇ ସପ୍ତାହ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ମାତ୍ର ଅକ୍ଳାନ୍ତ ପ୍ରୟାସ ସତ୍ତ୍ବେ, ଚଳିତ ମାସ ଏକ ତାରିଖରେ ଜନ୍ମେଶଙ୍କୁ ବ୍ରେନ୍‌ଡେଡ୍ ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କୁ ଜୀବନର ଉପହାର ଦେବାର ସମ୍ଭାବନାକୁ ସ୍ଵୀକାର କରି ଏମ୍‌ସ ଭୁବନେଶ୍ଵରର ଡାକ୍ତରୀ ଦଳ ଅଙ୍ଗ ଦାନ ବିଷୟରେ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ। ଅପାର ଶକ୍ତି ଓ କରୁଣା ସହିତ ଜନ୍ମେଶଙ୍କ ପିତାମାତା ଅଙ୍ଗ ଦାନ ନିମନ୍ତେ ସମ୍ମତି ପ୍ରଦାନ କରିଥିଲେ । ତାଙ୍କ ଶିଶୁପୁତ୍ରର ଅଙ୍ଗ ଗୁଡ଼ିକୁ ଜୀବନ ରକ୍ଷାକାରୀ ପ୍ରତିରୋପଣ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ ।
ସମ୍ମତି ପରେ ଏମ୍ସର ସର୍ଜନ ଓ ପ୍ରତିରୋପଣ ସଂଯୋଜକଙ୍କ ଏକ ବହୁମୁଖୀ ଦଳ ଶୀଘ୍ର ପୁନରୁଦ୍ଧାର ଏବଂ ପ୍ରତିରୋପଣ ପ୍ରକ୍ରିୟାକୁ ସହଜ କରିଥିଲେ । ଡାକ୍ତର ବ୍ରହ୍ମଦର ପଟ୍ଟନାୟକଙ୍କ ନେତୃତ୍ବରେ ଗ୍ୟାଷ୍ଟ୍ରୋ-ସର୍ଜରୀ ଦଳ ଦ୍ବାରା ଯକୃତକୁ ସଫଳତାର ସହିତ ଉଦ୍ଧାର କରାଯାଇଥିଲା I ଗ୍ରୀନ୍ କରିଡର୍‌ରେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍ସେସ୍ (ଆଇଏଲ୍‌ବିଏସ) କୁ ପଠାଯାଇଥିଲା। ଜନ୍ମେଶଙ୍କୁ ଦୁଇ କିଡ୍‌ନୀକୁ ପୁନରୁଦ୍ଧାର କରାଯାଇଥିଲା ଓ ଏମ୍‌ସ ଭୁବନେଶ୍ଵରର ଜଣେ କିଶୋର ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ ନାୟକଙ୍କ ନେତୃତ୍ବରେ ଏହି ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା ସଫଳତାର ସହିତ ସମ୍ପାଦିତ ହୋଇଥିଲା। ଏହି ପ୍ରକ୍ରିୟା ପରେ ଜନ୍ମେଶ ଓଡ଼ିଶାର ସର୍ବ କନିଷ୍ଠ ଅଙ୍ଗଦାତା ହୋଇଥିଲେ। ଏହାସହ ରାଜ୍ୟରେ ଏନ-ବ୍ଲକ୍ କିଡନୀ ପ୍ରତିରୋପଣର କେବଳ ଦ୍ବିତୀୟ ଘଟଣା ହେବାର ଗୌରବ ଲାଭ କରିଛି ।
ଏମ୍ସ ଭୁବନେଶ୍ଵରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଅଙ୍ଗ ପୁନରୁଦ୍ଧାର ଓ ପ୍ରତିରୋପଣ ସମନ୍ବୟ ଦଳ ଓ ସମ୍ପୃକ୍ତ ଡାକ୍ତରୀ ଦଳକୁ ପ୍ରଶଂସା କରିଥିଲେ। ଜନ୍ମେଶଙ୍କ ପିତାମାତାଙ୍କ ଅସାଧାରଣ ଉଦାରତା ପାଇଁ ମଧ୍ୟ ହୃଦୟରୁ କୃତଜ୍ଞତା ପ୍ରକାଶ କରିଥିଲେ ଡ. ବିଶ୍ଵାସ ।

Leave a Reply