ପ୍ରୟାଗରାଜ: ସରି ଆସୁଛି ସମୟ, ବଢିବାରେ ଲାଗିଛି ଭିଡ । ମହାକୁମ୍ଭ ସରିସରି ଆସୁଥିବା ବେଳେ ପ୍ରୟାଗରାଜରେ ଦିନକୁ ଦିନ ଭିଡ ଅସମ୍ଭାଳ ହେଉଛି । ଆଗରୁ ଶିବରାତ୍ରୀ ଥିବାରୁ ଭିଡ ଆହୁରି ସାଙ୍ଘାତିକ ହେବା ନେଇ ଆଶଙ୍କା କରାଯାଉଛି । କାରଣ ମହାକୁମ୍ଭ ସରିବାକୁ ଆଉ ହାତରେ ମାତ୍ର ୫ ଦିନ ରହିଛି । ଫେବୃୟାରୀ ୨୬ ତାରିଖରେ ଶେଷ ହେବ ପବିତ୍ର ମହାକୁମ୍ଭ । ତେଣୁ ଶେଷ ସପ୍ତାହରେ ସଙ୍ଗମରେ ବୁଡ ସହ ପବିତ୍ର ସ୍ନାନ ପାଇଁ ଭିଡ ଲଗାଉଛନ୍ତି ଲକ୍ଷ ଲକ୍ଷ ଭକ୍ତ ।
ଆଜି ମହାକୁମ୍ଭର ୪୦ ଦିନ । ଜାନୁୟାରୀ ୧୩ରୁ ଆରମ୍ଭ ହୋଇଥିବା ଏହି କୁମ୍ଭମେଳା ଫେବୃୟାରୀ ୨୬ ତାରିଖରେ ଶେଷ ହେବ ଆଉ ୟାରି ଭିତରେ ପ୍ରାୟ ୫୮ କୋଟି ଶ୍ରଦ୍ଧାଳୁ ପବିତ୍ର ସଙ୍ଗମରେ ବୁଡ ପକାଇଲେଣି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ କୁମ୍ଭମେଳା ସରିବାକୁ ଏହା ଶେଷ ସପ୍ତାହ ହୋଇଥିବାରୁ କୁମ୍ଭମେଳା ସରିବା ବେଳକୁ ଅର୍ଥାତ ଫେବୃୟାରୀ ୨୬ ତାରିଖ ସୁଦ୍ଧା ବୁଡ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୫ କୋଟି ପାର୍ କରିଯିବ ବୋଲି ଅନୁମାନ କରାଯାଉଛି ।
ସେପଟେ ଶେଷ ସପ୍ତାହରେ ରାସ୍ତାରେ ଭିଡ ଭୟଙ୍କର ଦେଖିବାକୁ ମିଳିଛି । ପ୍ରୟାଗରାଜରେ ଲକ୍ଷାଧିକ ଶ୍ରଦ୍ଧାଳୁ ପହଞ୍ଚୁଥିବାରୁ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଆଜିଠୁ ୨୬ ତାରିଖ ଯାଏଁ ପୂରା ପ୍ରୟାଗରାଜକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ସହ କୌଣସି ପ୍ରକାର ଅଘଟ ଯେପରି ନଘଟେ ସେନେଇ ଧ୍ୟାନ ଦିଆଯାଇଛି ।
ଜିଲ୍ଲାବାହାରୁ ଆସୁଥିବା ଗାଡିକୁ ସୀମିତ ରଖାଯାଇଛି । ଭିଡକୁ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସେପଟେ ଦଳାଚକଟା ଯେପରି ନଘଟେ ସେନେଇ ଘାଟ ଉପରେ କଡ଼ା ନଜର ରଖାଯାଇଛି । ଶିବରାତ୍ରୀ ଥିବାରୁ ଟ୍ରାଫିକ ବ୍ୟବସ୍ଥା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି । ତେଣୁ ଗାଡି ଗୁଡିକୁ ଡାଇଭର୍ଟ କରାଯିବା ଏବେ ୟୁପି ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି।