ଖାଲସା ପନ୍ଥ ନିର୍ମାଣରେ ଓଡିଶାର ଐତିହାସିକ ଭୂମିକା

ଖାଲସା ପନ୍ଥ ନିର୍ମାଣରେ ଓଡିଶାର ଐତିହାସିକ ଭୂମିକା
ଡ. ସମନ୍ୱୟ ନନ୍ଦ
ପଣା ସଂକ୍ରାନ୍ତି ହେଉଛି ଓଡିଆ ନବ ବର୍ଷ । ତେଣୁ ଓଡିଶା ପାଇଁ ଏହା ଖୁବ ଅଧିକ ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱ ବହନ କରିଥାଏ । ହେଲେ ପଣା ସଂକ୍ରାନ୍ତିର ଦିନ ଇତିହାସରେ ଲିପିବଦ୍ଧ ହୋଇଥିବା ଏକ ଐତିହାସିକ ଘଟଣାକୁ ବୋଧ ହୁଏ ଓଡିଶାବାସୀ ମାନେ ଭୁଲି ଯାଇଛନ୍ତି । ଇତିହାସର ଛାତ୍ର ମାନେ ଜାଣନ୍ତି ଯେ, ଆଜି ଠାରୁ ପ୍ରାୟ ୩ ଶହ ୨୫ ବର୍ଷ ପୂର୍ବେ ୧୬୯୯ରେ ପଣା ସଂକ୍ରାନ୍ତି (ଯାହାକୁ ପଂଜାବରେ ବୈଶାଖୀବୋଲି କୁହାଯାଇଥାଏ) ଦିନ ସପ୍ତସିନ୍ଧୁ କ୍ଷେତ୍ରରେ ସତଲୁଜ ନଦୀ କୂଳରେ ଏକ ବିଶାଳ ରାଷ୍ଟ୍ରୀୟ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଭାରତର ଦଶ ଗୁରୁ ପରମ୍ପରାର ଦଶମ ଗୁରୁ ଶ୍ରୀ ଗୋବିନ୍ଦ ରାୟ ଏହି ଆୟୋଜନ କରିଥିଲା । ସେତେବେଳେ ମଧ୍ୟ ଏସିଆର ମୋଗଲ ଇସଲାମୀ ଆକ୍ରମଣକାରୀ ମାନେ ଦେଶର ବିଭିନ୍ନ ଅଂଚଳ ଉପରେ କବଜା କରି ସାରିଥିଲେ । ଔରଙ୍ଗଜେବର ଶାସନ ଥିଲା । ସେ ଭାରତୀୟ ମାନଙ୍କୁ ଇସଲାମରେ ମତାନ୍ତରିତ କରୁଥିଲା । ବିଦେଶୀ ଆକ୍ରମଣକାରୀ ମାନେ ସାରା ଦେଶରେ ଥିବା ସଂସ୍କୃତିର କେନ୍ଦ୍ର ଅର୍ଥାତ ମନ୍ଦିର ଗୁଡିକୁ ଭାଙ୍ଗୁଥିଲେ । ଏହି କାରଣରୁ ମନ୍ଦିର ମାନଙ୍କରେ ଆରତୀ ଓ ଅନ୍ୟ ରୀତି ନୀତି ବାଧାପ୍ରାପ୍ତ ହେଉଥିଲା ।
ଦଶ ଗୁରୁ ପରମ୍ପରାର ପ୍ରଥମ ଗୁରୁ ନାନକ ଦେବ ଥରେ ପୁରୀ ଆସିଥିଲେ । ସେତେବେଳେ ସେ କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କ ଆରତୀକୁ କିଏ ବନ୍ଦ କରି ପାରିବ ? ସମସ୍ତ ପ୍ରକୃତି ଶ୍ରୀଜଗନ୍ନାଥଙ୍କ ଆରତୀ କରୁଛି । ଆକାଶରେ ଜଳୁଥିବା ତାରା ଗୁଡିକ ଶ୍ରୀଜଗନ୍ନାଥଙ୍କ ଆଗରେ ଦୀପ ଭାବେ ଜଳୁଛନ୍ତି । ମଳୟାନଳରୁ ଆସୁଥିବା ସୁଗନ୍ଧିତ ବାୟୁ ଶ୍ରୀଜଗନ୍ନାଥଙ୍କ ଆଗରେ ଜଳୁଥିବା ଧୂପ ।
ସେହି ଗୁରୁ ନାନକ ଦେବଙ୍କ ପରମ୍ପରାରେ ଦଶମ ଗୁରୁ ଗୋବିନ୍ଦ ରାୟ ସାରା ଦେଶର ଯୁବକ ମାନଙ୍କୁ ଦେଶ ଓ ଧର୍ମର ରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଂଜାବ ଡାକିଥିଲେ । ତାଙ୍କର ଏହି ବାର୍ତା ଓଡିଶା ଯାଏ ପହଂଚିଥିଲା । ସାରା ପୂର୍ବ ଭାରତରେ ଏ ନେଇ ଚର୍ଚ୍ଚା ଆଲୋଚନା ହେଉଥିଲା । ଓଡିଶାରେ ଗୁରୁଜୀଙ୍କ ବାର୍ତା ଗାଁ ଗାଁରେ ପହଂଚିବାରେ ଲାଗିଥିଲା । ଦେଶ ଓ ଧର୍ମର ରକ୍ଷା ପାଇଁ ମୋଗଲ ମାନଙ୍କୁ ବିତାଡିତ କରିବାର ସୁଯୋଗ ଉପନୀତ ହେଉଥିଲା । ସାରା ଦେଶ ଏକଜୁଟ ହେବାରେ ଲାଗିଥିଲା । ଯୁବକ ମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖିବାକୁ ମିଳୁଥିଲା । ପୁରୀ ଶ୍ରୀମନ୍ଦିରରେ ପାଣି ଯୋଗାଉଥିବା ହିମ୍ମତ ରାୟ ଏହି ରାଷ୍ଟ୍ରୀୟ ସମ୍ମିଳନୀରେ ସାମିଲ ହେବାକୁ ନିଷ୍ପତି ନେଇଥିଲେ । ଏହା ସହିତ ଅନେକ ଯୁବକ ସେଠାକୁ ଯିବାକୁ ମନ ସ୍ଥିର କରି ସାରିଥିଲେ । ସମ୍ପୂର୍ଣ ଓଡିଶାରୁ ଅନେକ ଯୁବକ ଭିନ୍ନ ଭିନ୍ନ ସମୂହ ହୋଇ ପଂଜାବ ଆଡକୁ ଯାଉଥିଲେ । କିନ୍ତୁ ସେମାନେ ଗୋଟିଏ କଥା ଉପରେ ସେମାନେ ଧ୍ୟାନ ଦେଉଥିଲେ । ମୋଗଲ କିମ୍ବା ସେମାନଙ୍କ ଅଧୀନରେ ଥିବା ଶାସକ ଓ ତାଙ୍କର ଗୁପ୍ତଚର ମାନଙ୍କୁ ଏ ବିଷୟରେ ଯେପରି ସୂଚନା ନ ମିଳିବ । ହିମ୍ମତ ରାୟ ଓ ତାଙ୍କର ସାଥୀ ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ନିକଟକେ ସାଷ୍ଟାଙ୍ଗ ପ୍ରଣିପାତ କରି ପଂଜାବର ଆନନ୍ଦପୁର ସାହେବ ଅଭିମୁଖେ ବାହାରିଲେ । ତାଙ୍କ ଭିତରେ ନୂଆ ଶକ୍ତିର ସଂଚାର ହେଲା । ତାଙ୍କୁ ମନେ ହେଉଥିଲା ଯେ ସେ ମହାପ୍ରଭୁଙ୍କ ଆଦେଶରେ ଏହି ରାଷ୍ଟ୍ରୀୟ ଯଜ୍ଞରେ ସାମିଲ ହେବାକୁ ଯାଉଛନ୍ତି ।
ଅନେକ ମାସର ଲମ୍ବା ଯାତ୍ରା କରିବାକୁ ଥିଲା । ଧୀରେ ଧୀରେ ଏହି କଠିନ ଯାତ୍ରାକୁ ଶେଷ କରି ହିମ୍ମତ ରାୟ ନିଜର ସାଥୀ ମାନଙ୍କ ସହ ପଂଜାବର ଶିବାଲିକ ଚରଣରେ କଳ କଳ ହୋଇ ପ୍ରବାହିତ ହେଉଥିହା ସତଲୁଜ ନଦୀର କୂଳରେ ପଣା ସଂକ୍ରାନ୍ତି (ବୈଶାଖୀ)ର କିଛି ଦିନ ପୂର୍ବରୁ ପହଂଚି ଯାଇଥିଲେ । ଦେଶର କୋଣ- ଅନୁକୋଣରୁ ଲୋକ ମାନେ ଆସୁଥିଲେ । ସମସ୍ତେ ଗୁରୁଜୀଙ୍କ ସହ ମନ୍ତ୍ରଣା କରୁଥିଲେ । ପ୍ରତ୍ୟେକ ଅଂଚଳରୁ ଆସୁଥିବା ଲୋକ ମାନେ ବିଦେଶୀ ଆକ୍ରମଣକାରୀ ମାନଙ୍କ ଦ୍ୱାରା କରାଯାଉଥିବା ଅତ୍ୟାଚାରର କାହାଣୀ ଶୁଣାଉଥିଲେ । ହିମ୍ମତ ରାୟ , ଗୋବିନ୍ଦ ରାୟଙ୍କ ନାମ ତ ପୂର୍ବରୁ ଶୁଣିଥିଲେ ହେଲେ ପ୍ରଥମ ଥର ପାଇଁ ତାଙ୍କର ଦର୍ଶନ କରୁଥିଲେ । ସପ୍ତ ସିନ୍ଧୁ ଅଂଚଳରେ ଘଟୁଥିବା ଘଟଣା ସମ୍ପର୍କିତ ଖବର ଛାଣି ହୋଇ କିଛି କିଛି ମାତ୍ରାରେ ପୁରୀରେ ପହଂଚୁଥିଲା । କାରଣ ଅନେକ ଜାଟ, ବଲୋଚ, ସିନ୍ଧୀ, ପଶ୍‌ତୁନ ମାନେ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିଲେ । ସେତେବେଳେ ବଲୋଚ ଓ ପଶ୍‌ତୁନ ମାନେ ଭଗବାନ ବୁଦ୍ଧଙ୍କର ଉପାସକ ଥିଲେ ।
ଗୋବିନ୍ଦ ରାୟଙ୍କ ଚେହେରାର ତେଜ ଦେଖି ହିମ୍ମତ ରାୟଙ୍କ ମନରେ ଦୃଢ ବିଶ୍ୱାସ ଜନ୍ମ ନେବାରେ ଲାଗିଲା ଯେ ଦେଶକୁ ମୋଗଲ ମାନଙ୍କ ଠାରୁ ସ୍ୱାଧୀନ କରାଯାଇ ପାରିବ । ପଣା ସଂକ୍ରାନ୍ତି (ବୈଶାଖୀ) ଦିନ ଗୋବିନ୍ଦ ରାୟ ଦେଶର ବିଭିନ୍ନ କୋଣ- ଅନୁକୋଣରୁ ଆସିଥିବା ଯୁବକ ମାନଙ୍କୁ ଉଦବୋଧନ ଦେବାକୁ ମଂଚ ଉପରକୁ ଚଢିଲେ । ଏଭଳି ମନେ ହେଉଥିଲା ଯେ ସୂର୍ଯ୍ୟଙ୍କର ଉଦୟ ହୋଇଯାଇଛି । ଅଗ୍ନି ଦେବ ସ୍ୱୟଂ ପ୍ରକଟ ହୋଇଯାଇଛନ୍ତି । ଗୁରୁଜୀ ନିଜ ହାତରେ ଖଡ୍ଗ ନେଇ ଗର୍ଜନା କରି କହିଲେ, ଦେଶ ଓ ଧର୍ମର ରକ୍ଷା ପାଇଁ, ମାତୃଭୂମି ପାଇଁ ନିଜର ପ୍ରାଣ ଅର୍ପଣ କରିବାକୁ କଣ କେହି ପ୍ରସ୍ତୁତ ଅଛନ୍ତି ? ଗୁରୁଜୀଙ୍କ ଏହି ସିଂହ ଗର୍ଜନା ଶୁଣି ଚାରିଆଡେ ନୀରବତା ଦେଖା ଦେଇଥିଲା । ଏହା ପରେ ଜଣେ ପରେ ଜଣେ ପାଂଚ ଜଣ ବୀର ମାତୃଭୂମି ଓ ଧର୍ମ ପାଇଁ ନିଜର ପ୍ରାଣ ଦେବାକୁ ମଂଚ ଉପରକୁ ଆସିଥିଲେ । ଇତିହାସରେ ଏହି ପାଂଚ ଜଣଙ୍କୁ ପଂଚ ପ୍ୟାରା ବୋଲି କୁହାଯାଇଥାଏ । ଏହି ପଂଚ ପ୍ୟାରା ମାନଙ୍କ ମଧ୍ୟରେ ଜଣେ ଆମ ରାଜ୍ୟର ଅର୍ଥାତ ପୁରୀର ହିମ୍ମତ ରାୟ ମଧ୍ୟ ଥିଲେ । ଗୁରୁଜୀ ଏହି ପାଂଚ ଜଣ ବୀରଙ୍କୁ ନେଇ ଖାଲସା ପନ୍ଥର ପ୍ରତିଷ୍ଠା କରିଥିଲେ । ତାଙ୍କୁ ଅମୃତ ପାନ କରା ଗଲା । ତାଙ୍କୁ ସିଂହ କରି ଦିଆଗଲା । ଏବେ ହିମ୍ମତ ରାୟ ହିମ୍ମତ ସିଂହ ହୋଇଗଲେ ଓ ଗୁରୁଜୀ ସ୍ୱୟଂ ଗୋବିନ୍ଦ ରାୟରୁ ଗୋବିନ୍ଦ ସିଂହ ହୋଇ ଯାଇଥିଲେ । ଗୁରୁଜୀ ସମ୍ପୂର୍ଣ ଦେଶରେ ନୂଆ ଚେତନା ଜାଗ୍ରତ କରାଇ ଦେଇଥିଲେ । ଜାତି- ପାତିକୁ ଭୁଲି ସାରା ଦେଶ ଏକ ହେଲେ ହିଁ ମୋଗଲ ମାନଙ୍କ ଠାକୁ ମାତୃଭୂମିକୁ ମୁକ୍ତ କରାଯାଇ ପାରିବ । ସମ୍ପୂର୍ଣ ଦେଶରୁ ଯାଇ ପଂଜାବରେ ଏକତ୍ରିତ ହୋଇଥିବା ଯୁବକ ମାନେ ଗୁରୁଜୀଙ୍କ ଏହି ବାର୍ତାକୁ ପହଂଚାଇବାକୁ ନିଜ ନିଜ ଅଂଚଳ ଆଡକୁ ଅଗ୍ରସର ହେଲେ । ହିମ୍ମତ ସିଂହଙ୍କ ସହ ପୁରୀରୁ ଯାଇଥିବା ସାଥୀ ମାନେ ମଧ୍ୟ ପ୍ରତ୍ୟାବର୍ତନ କରିବାର ପ୍ରସ୍ତୁତି କରିବା ଆରମ୍ଭ କଲେ । ହେଲେ ହିମ୍ମତ ସିଂହ ଆଉ ଏବେ ଫେରିବେ ନାହିଁ। ଏବେ ତାଙ୍କ କାନ୍ଧରେ ବଡ ଦାୟିତ୍ୱ ଆସି ଯାଇଥିଲା । ଏହି ଦାୟିତ୍ୱ ଥିଲା ଦେଶକୁ ମୋଗଲ ମାନଙ୍କ କବଳରୁ ମୁକ୍ତ କରିବାର ଦାୟିତ୍ୱ । ତାଙ୍କର ସାଥୀ ମାନଙ୍କର ଆଖିରୁ ଲୁହ ବାହାରୁଥିଲା । ଏଭଳି ଭାବେ ସେମାନେ ବିଦାୟ ନେଲେ । ୧୭୦୫ ମସିହା ଡିସେମ୍ବର ମାସ ୭ ତାରିଖ ଦିନ ଗୁରୁ ଗୋବିନ୍ଦ ସିଂହଙ୍କ ନେତୃତ୍ୱରେ ମୋଗଲ ମାନଙ୍କ ସହ ମାତୃଭୂମିର ରକ୍ଷା ପାଇଁ ଲଢେଇ କରି ହିମ୍ମତ ସିଂହ ସର୍ବୋଚ୍ଚ ବଳିଦାନ ଦେଇଥିଲେ । କିନ୍ତୁ ଓଡିଶା ବୋଧ ହୁଏ ତାର ଏହି ବୀର ସୁପୁତ୍ରକୁ ଭୁଲି ଗଲା । ଆଜି ତାଙ୍କର ପବିତ୍ର ସ୍ମତିକୁ ସମ୍ମାନ ଜଣାଇବାର ସମୟ । ସମଗ୍ର ଓଡିଶା ତାଙ୍କ ନିକଟରେ ସର୍ବଦା କୃତଜ୍ଞ ରହିଥିବ ଓ ଆଗାମୀ ପୀଢୀ ମାନେ ତାଙ୍କ ଜୀବନରୁ ପ୍ରେରଣା ନେଉଥିବେ ।

Leave a Reply

Your email address will not be published. Required fields are marked *