ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଖୋଜ ତଦନ୍ତ କମିଶନ ରିପୋର୍ଟକୁ ଖୋଜି ବାହାର କରାଯାଉ ଏବଂ ଏହି ଘଟଣାରେ ଅବହେଳାତ୍ମକ ମନୋବୃତ୍ତି ପୋଷଣ କରିଥିବା ଦାୟିତ୍ୱହୀନ ଅଧିକାରୀ କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଭୁବନେଶ୍ବର,16/6:ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ର ଏକ ପ୍ରତିନିଧି ଦଳ ତା:୧୪.୦୬.୨୦୨୬ ରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଏବଂ ପରବର୍ତ୍ତୀ ଦଙ୍ଗା ଘଟଣା ସମ୍ପର୍କିତ ତଦନ୍ତ କମିଶନ ରିପୋର୍ଟ ନିଖୋଜ ଘଟଣା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗଭୀର ଉଦବେଗ ପ୍ରକାଶ କରି କହିଥିଲେ ଯେ, ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମ ଏବଂ ସାମାଜିକ ଚର୍ଚ୍ଚାରୁ ଏହି ବହୁ ପ୍ରତୀକ୍ଷିତ ତଦନ୍ତ କମିଶନ ରିପୋର୍ଟ ନିଖୋଜ କିମ୍ବା ହଜିଯାଇଥିବା ସମ୍ବାଦ ପ୍ରକାଶ ପାଇଥିବାରୁ ସମଗ୍ର ଓଡ଼ିଶାବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଓ ସନ୍ଦେହର ପରିବେଶ ସୃଷ୍ଟି ହୋଇଛି। ଏହି ବିଷୟ ପୂଜ୍ୟ ସ୍ୱାମୀଜୀଙ୍କ ଭକ୍ତବୃନ୍ଦ ଏବଂ ସାଧାରଣ ଜନମନ ସହ ଗଭୀର ଭାବେ ଜଡିତ ଥିବାରୁ ଏହାର ଶୀଘ୍ର ଓ ସ୍ୱଚ୍ଛ ତଦନ୍ତ ଅତ୍ୟାବଶ୍ୟକ।
ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦୃଢ଼ ଦାବି ଜଣାଇଥିଲେ ଯେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଖୋଜ ତଦନ୍ତ କମିଶନ ରିପୋର୍ଟକୁ ଖୋଜି ବାହାର କରାଯାଉ ଏବଂ ଏହି ଘଟଣାରେ ଅବହେଳାତ୍ମକ ମନୋବୃତ୍ତି ପୋଷଣ କରିଥିବା ଦାୟିତ୍ୱହୀନ ଅଧିକାରୀ କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଷଡ଼ଯନ୍ତ୍ର ରେ ସମ୍ପୃକ୍ତ ସମସ୍ତ ଦୋଷୀ ଙ୍କୁ ଦଣ୍ଡ ବିଧାନ କରାଯାଉ ।
ଏହା ସହିତ, ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କ ମଧ୍ୟବର୍ତ୍ତୀ କାଳୀନ ରିପୋର୍ଟ ଏବଂ ଜଷ୍ଟିସ ବାସୁଦେବ ପାଣିଗ୍ରାହୀ କମିଶନ ରିପୋର୍ଟକୁ ସାର୍ବଜନୀନ କରାଯିବା ପାଇଁ ମଧ୍ୟ ଦାବି କରାଯାଇଥିଲା, ଯାହା ଫଳରେ ସାଧାରଣ ଲୋକ ସତ୍ୟ ତଥ୍ୟ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସର କାର୍ଯ୍ୟକର୍ତ୍ତାମାନେ ଏହି ବିଷୟ ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସର ଅଧ୍ୟକ୍ଷ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ଏବଂ ନ୍ୟାସି ରୁପେନ୍ଦ୍ର କହଁର ଓ ପ୍ରିୟ ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *