ବିଶ୍ୱରେ ପ୍ରଥମ ଔଷଧ ପରୀକ୍ଷଣ ବେଳେ ସମସ୍ତ କର୍କଟ ରୋଗୀ ସୁସ୍ଥ ହେଲେ

ବିଶ୍ୱରେ ପ୍ରଥମ ଔଷଧ ପରୀକ୍ଷଣ ବେଳେ ସମସ୍ତ କର୍କଟ ରୋଗୀ ସୁସ୍ଥ ହେଲେ
କର୍କଟ ଏକ ଅସାଧ୍ୟ ରୋଗ। ଏହି ରୋଗୀଙ୍କ ଚିକିତ୍ସା ପାଇଁ ନାନା ପ୍ରକାର ପରୀକ୍ଷା-ନିରୀକ୍ଷା ଚାଲିଛି। କିନ୍ତୁ ୧୮ ଜଣ ମଳାଶୟ କର୍କଟ ରୋଗୀଙ୍କଠାରେ ଏକ ନୂତନ ଔଷଧର ପରୀକ୍ଷଣ ସମୟରେ ଛଅ ମାସରେ ସେମାନେ ସମସ୍ତେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିଛନ୍ତି; ଯାହା ବିଶ୍ୱରେ ପ୍ରଥମ। କୌଣସି ଔଷଧ ବଜାରକୁ ଯିବା ପୂର୍ବରୁ ତା’ର କ୍ଲିନିକାଲ ଟ୍ରାଏଲ କରାଯାଇଥାଏ। ଦୋସ୍ତରଲିମାବ (Dostarlimab) ନାମକ ଏହି ଔଷଧର ପରୀକ୍ଷା ପାଇଁ ୧୮ ଜଣ କୋଲନ କର୍କଟ ରୋଗୀଙ୍କୁ ନିଆଯାଇଥିଲା। ସେମାନଙ୍କୁ ଛଅ ମାସ ଏହି ଔଷଧ ଦେବା ପରେ ଦେଖାଗଲା ସମସ୍ତଙ୍କର ଟ୍ୟୁମର ଅନ୍ତର୍ହିତ ହୋଇଯାଇଛି।
ଦୋସ୍ତରଲିମାବ ହେଉଛି ଏକ ଔଷଧ ଯେଉଁଥିରେ ବିଜ୍ଞାନାଗାରରେ ପ୍ରସ୍ତୁତ ଅଣୁ ରହିଛି। ଅଣୁଟି ମଣିଷ ଶରୀରରେ ଆଣ୍ଟିବଡିର ବିକଳ୍ପ ଭାବେ କାମ କରେ। ଏହି ଔଷଧର ପରୀକ୍ଷା ପାଇଁ ୧୮ ଜଣ ମଳାଶୟ କର୍କଟ ରୋଗୀଙ୍କୁ ସମାନ ଔଷଧ ଛଅ ମାସ ପର୍ଯ୍ୟନ୍ତ ଦିଆଗଲା। ତା’ପରେ ଏଣ୍ଡୋସ୍କୋପି, ପିଇଟି ସ୍କାନ ବା ଏମ୍‌ଆର୍‌ଆଇ ସ୍କାନ ଆଦି ଯେତେ ପ୍ରକାର ପରୀକ୍ଷା କଲେ ବି କୌଣସି ରୋଗୀଙ୍କଠାରେ କର୍କଟର ଚିହ୍ନବର୍ଣ୍ଣ ମିଳିଲା ନାହିଁ। ଅର୍ଥାତ୍ ୧୮ ଜଣଯାକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି।
କର୍କଟ ରୋଗ ଇତିହାସରେ ଏହା ପ୍ରଥମ ଘଟଣା ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋନ କେଟରିଂ କ୍ୟାନସର ସେଣ୍ଟରର ଡ. ଲୁଇସ୍ ଏ. ଡିଆଜ୍ ଜୁନିୟର କହିଛନ୍ତି। ଏହି ଔଷଧ ଯୋଗୁଁ କାହାରିଠାରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ତେବେ କର୍କଟ ଗବେଷକମାନେ କହିଛନ୍ତି ସେମାନଙ୍କୁ ଉକ୍ତ ଔଷଧ ସୁଫଳ ଦେଉଛି କି ନାହିଁ, ସେଥିପାଇଁ ଅଧିକ ରୋଗୀଙ୍କ ଠାରେ ଏହାର ପରୀକ୍ଷା କରାଯିବା ଦରକାର।

Leave a Reply

Your email address will not be published. Required fields are marked *