ଏନ୍‌କାଉଣ୍ଟର: ୪ ନକ୍ସଲ ନିହତ

ବାଲଘାଟ: ମଧ୍ୟପ୍ରଦେଶର ବାଲଘାଟ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲ ଥିବା ସ୍ପଷ୍ଟ ହୋଇଛି। ଅତିରିକ୍ତ ଏସ୍‌ପି ବିଜୟ ଦାବରଙ୍କ ସୂଚନାନୁସାରେ, ଆଜି ଗୁଇନ୍ଦା ସୂଚନା ଆଧାରରେ ରାଜ୍ୟ ପୁଲିସର ନକ୍ସଲ ନିରୋଧୀ ବାହିନୀ ପକ୍ଷରୁ ପୂର୍ବାହ୍‌ଣରେ ମଧ୍ୟପ୍ରଦେଶର ବାଲଘାଟ, ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲା, ଛତିଶଗଡ଼ର ରାଜନନ୍ଦଗାଓଁ, ଖଇରାଗଡ଼ ଓ କୱର୍ଦ୍ଧା ଜିଲ୍ଲା ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା। ପୁଲିସକୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ।

ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିମାଡ଼ରେ ୪ ନକ୍ସଲଙ୍କ ମୃତ୍ୟୁ ଘଟିଛି। ମୃତ ନକ୍ସଲଙ୍କ ଚିହ୍ନଟ ପ୍ରକ୍ରିୟା ସମ୍ପ୍ରତି ଜାରି ରହିଛି। ସେମାନଙ୍କ ନିକଟରୁ ଗୋଟିଏ ଇନ୍‌ସାସ୍‌ ରାଇଫଲ୍‌, ଗୋଟିଏ ଏସ୍‌ଏଲ୍‌ଆର୍‌, ଗୋଟିଏ ୩୦୩ ବନ୍ଧୁକ ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ପୋଷ୍ଟର ଆଦି ଜବତ ହୋଇଛି। ଘଟଣାସ୍ଥଳରୁ ଆଉ କେତେକ ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କୁ ଧରିବାକୁ ଏକ ୧୨ ଜଣିଆ ଟିମ୍‌ ଗଠନ କରାଯାଇଛି ଏବଂ କମ୍ବିଂ ଓ ସର୍ଚ ଅଭିଯାନ ଜାରି ରହିଛି।

Leave a Reply

Your email address will not be published. Required fields are marked *