ଅହିଲ୍ୟାବାଈ ହୋଲ୍‌କରଙ୍କ ତ୍ରିଶତତମ ଜୟନ୍ତୀ ପାଳିତ

ଅହିଲ୍ୟାବାଈ ହୋଲ୍‌କରଙ୍କ ତ୍ରିଶତତମ ଜୟନ୍ତୀ ପାଳିତ

କଟକ, ତା୨।୨- ଅଷ୍ଟାଦଶ ଶତାବ୍ଦୀରେ ମାଲୱାର ମହାରାଣୀ ଅହିଲ୍ୟାବାଈ ହୋଲ୍‌କର ଛତ୍ରପତି ଶିବଜୀଙ୍କ ସ୍ବଦେଶପ୍ରୀତିକୁ ସାକାର କରିବା ପାଇଁ କାର୍ଯ୍ୟ କରିଥିଲେ। ସେ ନିଜ ରାଜ୍ୟ ଓ ରାଜ୍ୟ ବାହାରେ ଶତାଧିକ ମନ୍ଦିରର ପୁନରୁଦ୍ଧାର କରି ଦେଶପ୍ରେମର ପରିଚୟ ଦେଇଥିଲେ। ଯୌତୁକ ପ୍ରଥାକୁ ଅପରାଧ ବୋଲି ଘୋଷଣା କରିବା ସଙ୍ଗେସଙ୍ଗେ ସେ ବିଧବାମାନଙ୍କୁ ଉତ୍ତରାଧିକାର ସୂତ୍ରରେ ସମ୍ପତ୍ତି ହାସଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନାରୀସମାଜର ସର୍ବାଙ୍ଗୀନ ଉନ୍ନତି ଲାଗି ଅହିଲ୍ୟାବାଈ ଅହରହ ଚେଷ୍ଟିତ ଥିଲେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ଶୈଳବାଳା ମହିଳା ସ୍ୱୟଂଶାସିତ କଲେଜର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଓ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଓଡ଼ିଶା ଶାଖାର ମଳିତ ଆନୁକୂଲ୍ୟରେ ମହାରାଣୀ ଅହିଲ୍ୟାବାଈ ହୋଲ୍‌କରଙ୍କ ତ୍ରିଶତତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ‘ନାରୀ ପ୍ରଗତିରେ ଅହିଲ୍ୟାବାଈଙ୍କ ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ଭାଗନେଇ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଆବାହକ ଡକ୍ଟର ଚିତ୍ତରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଦିନେଶ ପଟ୍ଟନାୟକ ମୁଖ୍ୟ ଅତିଥି ଓ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଚିନ୍ମୟୀ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ସଂଜିତା ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବୈଷୟିକ ଅଧିବେଶନକୁ ପ୍ରଫେସର ଶିବବ୍ରତ ଦାସ ପରିଚାଳନା କରିଥିଲେ। ପ୍ରଫେସର ଶଚୀନ୍ଦ୍ର ରାଉଳ, ଡକ୍ଟର ବିକଳି ଚରଣ ଦାସ, କୃଷ୍ଣଚନ୍ଦ୍ର ପଣ୍ଡା, ଡକ୍ଟର କ୍ଷୀରୋଦ ଚନ୍ଦ୍ର ସାହୁ, ଅଧ୍ୟାପକ ମିହିର ରଞ୍ଜନ କର ଓ ଅଧ୍ୟାପକ ଅକ୍ଷୟ କୁମାର ଦାଶ ଅହିଲ୍ୟାବାଈଙ୍କ ଉପରେ ସ୍ୱରଚିତ ନିବନ୍ଧମାନ ଉପସ୍ଥାପନ କରିଥିଲେ।

ଉଦ୍‌ଯାପନ ଉତ୍ସବରେ ଡକ୍ଟର ନାରାୟଣ ମହାନ୍ତି ମୁଖ୍ୟ ଅତିଥି ଓ ଡକ୍ଟର ସରୋଜ କୁମାର ଦାସ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ। ଅଧ୍ୟାପିକା ଜ୍ଞାନବିଜୟିନୀ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ସୁଜ୍ଞାନୀ କୁମାରୀ ସାହୁ, ଡକ୍ଟର ନରେନ୍ଦ୍ରନାଥ ନାୟକ, ଅଧ୍ୟାପିକା ଶାସ୍ବତୀ ଲେଙ୍କା, ଡକ୍ଟର ବିକାଶ କୁମାର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *