ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ
ଭୁବନେଶ୍ୱର, ତା ୧୬/୧୨: – ଭାରତୀୟ ମଜଦୂର ସଂଘ ସଂଲଗ୍ନ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡ଼ିଜ ୱାର୍କରସ୍ ଆସୋସିଏସନ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସଙ୍ଗଠନର ୩୦ ହଜାରରୁ ଊର୍ଦ୍ଧ୍ବ ମହିଳା ଅଙ୍ଗନୱାଡୀ କର୍ମୀ ଓ ସହାୟିକା ଲୋୟର ପିଏମଜିରେ ସ୍ବର ଉତ୍ତୋଳନ କରିଥିଲେ। ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି ସହ ସ୍ଥାୟୀ ନିଯୁକ୍ତି ଓ ନିର୍ବାଚନ ସଂକଳ୍ପପତ୍ର ଅନୁଯାୟୀ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବେତନ ବଢ଼ାଇବାକୁ ଦାବି କରିଛନ୍ତି।
ସଂଘର ସଭାନେତ୍ରୀ ସୁମିତା ମହାପାତ୍ରଙ୍କ ନେତୃତ୍ବରେ ରାଜମହଲ ଛକରୁ ଏକ ବିଶାଳ ରାଲି ବାହାରିଥିଲା । ଯାହାକି ଲୋୟର ପିଏମଜି ସ୍ଥିତ ପ୍ରତିବାଦ ସଭା ଯାଏଁ ଆସିଥିଲା। ଏଠାରେ ସଂଘର ବରିଷ୍ଠ କର୍ମକର୍ତ୍ତା ଅଙ୍ଗନୱାଡୀ କର୍ମୀ ସହାୟକମାନଙ୍କ ଲାଗି ଥିବା ବିଭିନ୍ନ ଦାବି ନେଇ ଉଦବୋଧନ ରଖୁଥିଲେ। ବିଶେଷ ଭାବରେ ପୂର୍ବ ସରକାରଙ୍କ ଦ୍ବାରା ଦୀର୍ଘ ୬ ବର୍ଷ ହେବ ହବ ଆକ୍ରୋଶ ମୂଳକ ଭାବେ ବହିଷ୍କୃତ ହୋଇଥିବା ୫ ଜଣ କର୍ମୀଙ୍କ ପୁନଃ ନିଯୁକ୍ତିକୁ ସଂଘ ଦାବି ଜୋର ଧରିଥିଲା। ସେହିପରି ଯେପର୍ଯ୍ୟନ୍ତ ସରକାରୀ ମାନ୍ୟତା ପ୍ରଦାନ କରାଯାଇନାହିଁ ସେପର୍ଯ୍ୟନ୍ତ କର୍ମୀଙ୍କୁ ୨୬ ହଜାର ଓ ସହାୟିକାଙ୍କୁ ୧୩ ହଜାର ଟଙ୍କା ଜୀବିକା ମଜୁରୀ ପ୍ରଦାନ କରିବା। ସିନିଅରିଟି ଅନୁଯାୟୀ ମାସିକ ପାରିଶ୍ରମିକ ସହ ଇନକ୍ରିମେଣ୍ଟ ତଥା ଟିଏ ଓ ଡିଏ ପ୍ରଦାନ କରିବା, ଏସଏନପିର ମେନୁ ପରିବର୍ତ୍ତନ କରିବା ସହ ଏସଏନପି ଓ ଟିଏଚଆର ମୂଲ୍ୟ ବୃଦ୍ଧି କରିବା ତଥା ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା।
ଏହାଛଡ଼ା ୨୦୨୧ରୁ ବନ୍ଦ ହୋଇଥିବା ସୁପରଭାଇଜର ପଦୋନ୍ନତିରେ ବୟସସୀମା ବାଦ ଦେବା, ଅଙ୍ଗନୱାଡ଼ି
କର୍ମୀଙ୍କୁ ଶତପ୍ରତିଶତ ପଦୋନ୍ନତି ଦେବା, କର୍ମୀ ଓ ସହାୟିକାଙ୍କ ଗ୍ଲାଚୁଇଟି-ପେନସନ ଲାଗୁ କରିବା ସହିତ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସଂଘ ଦାବି କରିଥିଲା। ସେହିପରି କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରୁଥିବା କର୍ମୀ ଓ ସହାୟିକାଙ୍କ ପରିବାରରୁ ଜଣକୁ ନିଯୁକ୍ତି ଦିଆଯିବା ସହ ଇନ୍ଗୁରାନ୍ସ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ହଜାର ହଜାର ସଂଖ୍ୟାରେ ଆସିଥିବା କର୍ମୀ ଓ ସହାୟିକା ରାଜ୍ୟ ସରକାରଙ୍କୁ ଦାବି ଜଣାଇଥିଲେ।
ପ୍ରତିବାଦ ସଭାରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ପଣ୍ଡା, ଭାରତୀୟ ସମ୍ପାଦିକା ଅଞ୍ଜଳି ପଟେଲ, ରାଜ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀନିବାସ ରାଓ, ରାଜ୍ୟ ସଙ୍ଗଠନ ସମ୍ପାଦକ ଲକ୍ଷ୍ମଣ ଦାସ, ରାଜ୍ୟ ଉପସଭାପତି ଯୋଗେଶ୍ଵର ଦାସ, ଉପ ସଭାପତି ଡାକ୍ତର ମହନ୍ତ, ରାଜ୍ୟ ସମ୍ପାଦକ ସତ୍ୟବ୍ରତ ପରିଜା, ବରିଷ୍ଠ କାର୍ଯ୍ୟକର୍ତ୍ତା ବିବେକାନନ୍ଦ ମହନ୍ତ, କ୍ଷେତ୍ରୀୟ ସଙ୍ଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହନ୍ତ ପ୍ରମୁଖ କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟା ବିଷୟରେ ପ୍ରତିବାଦ ସଭାରେ ଉଦବୋଧନ ଦେଇଥିଲେ।
ଆସୋସିଏସନର ସାଧାରଣ ସମ୍ପାଦିଳା କୁଞ୍ଜଲତା ଦାସ ପ୍ରତିବାଦ ସଭା ପରିଚାଳନା କରିଥିଲେ। କାର୍ଯ୍ୟକାରୀ ସଭାନେତ୍ରୀ ବନୀତାଞ୍ଜଳୀ ଦାସ, ଉପ ସଭାନେତ୍ରୀ ଉଷା ଦାସ, ଜୟନ୍ତୀ ଜେନା, କିଶୋରୀ ପଣ୍ଡା, ସ୍ବର୍ଣ୍ଣଲତା ପଣ୍ଡା, ଉପ ସାଧାରଣ ସମ୍ପାଦିକା ବିମଳା ଲାକ୍ରା, ସମ୍ପାଦିକା ଗୀତାଞ୍ଜଳି ପୂଜାରୀ, ଅଞ୍ଜଳି ନାୟକ, ପୁଷ୍ପାଞ୍ଜଳି ଦାସ, ସୁଜାତା ଦୋରା, କୋଷାଧକ୍ଷା ମନ୍ଦାକିନୀ ପ୍ରଧାନ, ସଙ୍ଗଠନ ସମ୍ପାଦିକା ପ୍ରତିମା ଦତ୍ତଙ୍କ ସମେତ ଭାରତୀୟ ମଜଦୁର ସଂଘର ରାଜ୍ୟ ତଥା ଜିଲ୍ଲା ନେତୃମଣ୍ଡଳୀ ପ୍ରମୁଖ ଉପ ଉପସ୍ଥିତ ଥିଲେ।