ବାରାଣସୀର ମୁସଲିମ ବହୁଳ ମଦନପୁରାର ଶିବମନ୍ଦିର-୭୦ ବର୍ଷ ପୂର୍ବେ ଏହି ମନ୍ଦିରର ପୂଜାର୍ଚ୍ଚନା ବନ୍ଦ ହୋଇଯାଇଥିଲା

ବାରାଣସୀ: ଶତାଧିକ ବର୍ଷ ପୁରାତନ ‘ଶିବମନ୍ଦିର’ ବାରାଣସୀର ମୁସଲିମ ବହୁଳ ମଦନପୁରାର ଏକ ଜନବସତିରେ ଠାବ କରାଯାଇଛି। ୭୦ ବର୍ଷ ପୂର୍ବେ ଏହି ମନ୍ଦିରର ପୂଜାର୍ଚ୍ଚନା ବନ୍ଦ ହୋଇଯାଇଥିଲା। ସଂପ୍ରତି ଏହି ମନ୍ଦିରର ଅଧିକାଂଶ ଜମି ଜବର ଦଖଲ ହୋଇ ବାସଗୃହ ନିର୍ମାଣ ହୋଇଛି। ଏହି ମନ୍ଦିରକୁ ଉଦ୍ଧାର କରିବାକୁ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଦାବି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଦୁଇଦିନ ପୂର୍ବେ ମହାଦେବ ମନ୍ଦିରର କିଛି ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଗତକାଲି, ସନାତନ ରକ୍ଷା ଦଳ ଓ ଅନ୍ୟ କେତେକ ହିନ୍ଦୁ ସଂଗଠନର ସଦସ୍ୟ ଉକ୍ତ ବନ୍ଦ ମନ୍ଦିର ନିକଟରେ ପହଞ୍ଚି ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଉଦ୍ୟମ କରିଥିଲେ। ସନାତନ ରକ୍ଷା ଦଳର ଅଧ୍ୟକ୍ଷ ଅଜୟ ଶର୍ମାଙ୍କ ଦାବି ଅନୁସାରେ, ଏହି ମନ୍ଦିରଟିର ନାମ ‘ସିଦ୍ଧେଶ୍ବର ମହାଦେବ’। ମନ୍ଦିରଟି ୩୦୦ ବର୍ଷ ପୁରାତନ। ୭୦ ବର୍ଷ ପୂ‌ର୍ବେ ଏକ ଦଙ୍ଗାରେ ମନ୍ଦିରଟି ବନ୍ଦ ହୋଇଯାଇଥିଲା। ଏହାପରେ ମନ୍ଦିରର ସମସ୍ତ ଜମିକୁ ମୁସଲିମମାନେ ଜବରଦଖଲ କରି ରଖିଛନ୍ତି।

ବାରାଣସୀ ଡିସିପି ଗୌରବ ବଂଶୱାଲ କହିଛନ୍ତି, ଜିଲ୍ଲା ପ୍ରଶାସନକୁ ଉକ୍ତ ମନ୍ଦିର ସମ୍ପର୍କରେ ଅବଗତ କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ରାଜସ୍ବ ରେକର୍ଡର ଯାଞ୍ଚ ଚାଲିଛି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଆଇନଗତ ପ୍ରକ୍ରିୟା ପୂରଣ କରାଯିବ। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଦଶାୱମେଧ ପୁଲିସ ଥାନାର ଅଧିକାରୀ କହିଛନ୍ତି, ପ୍ରାଥମିକ ସର୍ଭେରେ ଉକ୍ତ ମନ୍ଦିରଟି ବ୍ୟବସାୟୀ ପ୍ରମୋଦ କୁମାର ପଣ୍ଡେଙ୍କ ଘର ପାର୍ଶ୍ବରେ ରହିଛି। ମନ୍ଦିରଟିର ବିଶେଷ କ୍ଷତି ହୋଇନାହିଁ।

Leave a Reply

Your email address will not be published. Required fields are marked *