ଆମ୍ବେଦକରଙ୍କ ଆପତ୍ତି ସତ୍ତ୍ବେ ଧାରା ୩୭୦ ଲାଗୁ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ସଭାପତି ଜେପି ନଡ୍ଡା ସମ୍ବିଧାନର ୭୫ ବର୍ଷ ପୂରଣ ଉପଲ‌େକ୍ଷ ଏହାର ଗରିମାମୟ ଯାତ୍ରା ଉପରେ ଆୟୋଜିତ ବିତର୍କରେ ଭାଗ ନେଇ ପୂର୍ବର କଂଗ୍ରେସ ସରକାରଗୁଡ଼ିକୁ ପ୍ରବଳ ସମାଲୋଚନା କରିଛନ୍ତି। ଜମ୍ମୁ କଶ୍ମୀରରେ ଧାରା ୩୭୦ର ଉଦାହରଣ ଦେଇ ପୂର୍ବ କଂଗ୍ରେସ ସରକାରମାନେ କିପରି ସମ୍ବିଧାନରେ ପରିବର୍ତ୍ତନ କରିଥିଲେ ତାହା ଦର୍ଶାଇଛନ୍ତି। ନଡ୍ଡା କହିଛନ୍ତି ଯେ ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ହିଁ ଏହି ଅଞ୍ଚଳକୁ ବାକି ଭାରତ ସହିତ ସମ୍ପୂର୍ଣ୍ଣ ଭାବେ ମିଶ୍ରଣ କରିବା ପାଇଁ ବାଟ ଖୋଲିଛି। ସେ କହିଛନ୍ତି, ତତ୍କାଳୀନ ଆଇନ ମନ୍ତ୍ରୀ ବିଆର୍ ଆମ୍ବେଦକରଙ୍କ ଆପତ୍ତି ସତ୍ତ୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କେବଳ ଧାରା ୩୭୦କୁ ଅନୁମତି ଦେଇ ନ ଥିଲେ, ବରଂ ରାଷ୍ଟ୍ରପତିଙ୍କ ଆଦେଶ ମାଧ୍ୟମରେ ଧାରା ୩୫(ଏ) ଲାଗୁ କରିବାକୁ ଅନୁମତି ଦେଇଥିଲେ।

ସର୍ଦ୍ଦାର ପଟେଲଙ୍କୁ ୫୬୨ଟି ଦେଶୀୟ ରାଜ୍ୟକୁ ଭାରତ ସରକାରଙ୍କ ସହ ଯୋଡ଼ିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଗୋଟିଏ ରାଜ୍ୟ ଜମ୍ମୁ-କଶ୍ମୀର ନେହରୁଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ମହାରାଜା ହରି ସିଂହ ଭାରତରେ ମିଶିବାକୁ ରାଜି ଥିଲେ। ଧାରା ୩୭୦ ଭାରତର ସ୍ୱାର୍ଥ ବିରୁଦ୍ଧରେ ‘ବିଶ୍ୱାସଘାତ’ ଏବଂ ଆଇନ ମନ୍ତ୍ରୀ ଭାବରେ ଏହାକୁ ଅନୁମତି ଦେବେ ନାହିଁ ବୋଲି ଆମ୍ବେଦକର ସ୍ପଷ୍ଟ ଆଭିମୁଖ୍ୟ ରଖିଥିଲେ ମଧ୍ୟ ନେହରୁ ଏହାକୁ ଅନୁମତି ଦେଇଥିଲେ। ଧାରା ୩୫୬ (ସାମ୍ବିଧାନିକ ବ୍ୟବସ୍ଥାର ବିଫଳତା) ଆଧାରରେ ନେହରୁ ୮ ଥର, ଇନ୍ଦିରା ଗାନ୍ଧୀ ୫୦ ଥର, ରାଜୀବ ଗାନ୍ଧୀ ୯ ଥର ଓ ମନମୋହନ ସିଂହ ୧୦ ଥର ବିଭିନ୍ନ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଇଥିଲେ ବୋଲି ନଡ୍ଡା କହିଥିଲେ।

Leave a Reply

Your email address will not be published. Required fields are marked *