Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାଇବର ଅପରାଧ ରୋକିବାରେ ଓଡ଼ିଶା ପୁଲିସ ଫେଲ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାଇବର ଅପରାଧ ରୋକିବାରେ ଓଡ଼ିଶା ପୁଲିସ ଫେଲ୍

ସାଇବର ଅପରାଧ ଓ ଠକେଇ ମାମଲା ରୋକିବା ତଥା ପ୍ରଭାବିତଙ୍କୁ ନ୍ୟାୟ ଦେବାରେ ଓଡ଼ିଶା ପୁଲିସ ଫେଲ୍ ମାରିଛି । ସାଇବର ଲୁଟେରାମାନେ ରାଜ୍ୟବାସୀଙ୍କ କଷ୍ଟ ଅର୍ଜିତ ଧନକୁ ଲୁଟିବାରେ ଲାଗିଥିଲେ ମଧ୍ୟ ଓଡ଼ିଶା ପୁଲିସ ବିଗତ ୩ବର୍ଷ ମଧ୍ୟରେ ସେଥିରୁ ମାତ୍ର ୨% ଅର୍ଥକୁ ଫେରସ୍ତ ଆଣିପାରିଛି । ୨୦୨୨ ମସିହାରେ ରାଜ୍ୟରେ ସାଇବର ଅପରାଧ ମାମଲା ୧୯୮୩ଟି ପଞ୍ଜିକୃତ ହୋଇଥିବାବେଳେ ୨୦୨୩ରେ ଏହା ୨୩୪୮କୁ ବୃଦ୍ଧିପାଇଛି । ସେହିପରି ରାଜ୍ୟରେ ୨୦୨୩ ମସିହାରେ ମୋଟ୍ ୧ଲକ୍ଷ ୯୯ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଥିବାବେଳେ ସେଥିରେ ୧୩୬୨ଟି ହତ୍ୟା, ୨୮୨୭ଟି ଦୁଷ୍କର୍ମ, ୩୭୦ଟି ଡକାୟତି, ୨୯୬୧ଟି ଲୁଣ୍ଠନ, ୧୬୮୫୧ଟି ଚୋରି, ୧୬୫୫ଟି ଦଙ୍ଗା ଓ ୬୧୯୬ଟି ପ୍ରତାରଣା ମାମଲା ରୁଜୁ ହୋଇଛି । ତେବେ ୨୦୨୨ ତୁଳନାରେ ୨୦୨୩ ମସିହାରେ ମୋଟ୍ ୨୧୭୬୪ଟି ଅଧିକ ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି ବୋଲି ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଶ୍ୱେତପତ୍ର୨୦୨୩ରୁ ଜଣାପଡ଼ିଛି । ଶ୍ୱେତପତ୍ର ଅନୁସାରେ, ୨୦୨୩ ମସିହାରେ ମୋଟ୍ ୨୩୪୮ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି । ସେଥିରୁ ୨୯୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଥିବାବେଳେ ୧୮୭୭ଟି ମାମଲା ଏବେ ତଦନ୍ତାଧୀନ ରହିଛି । ୮୧୦ଜଣ ଅପରାଧୀଙ୍କ ମଧ୍ୟରୁ ୫୨୨ଜଣଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି । ମୋଟ ୨୩୪୮ଟି ସାଇବର ଅପରାଧ ମଧ୍ୟରୁ ୧୩୬୨ଟି ଆର୍ଥôକ ଠକେଇ ମାମଲା ପଞ୍ଜିକୃତ ହୋଇଛି । ୪୭.୭୫କୋଟି ଟଙ୍କା ସାଇବର ଠକେଇ ରାଶି ମଧ୍ୟରୁ ମାତ୍ର ୧.୫୨କୋଟି ଟଙ୍କା ଫେରସ୍ତ ଅଣାଯାଇପାରିଛି ଓ ୨.୨୭କୋଟି ଟଙ୍କା ରାଶିକୁ ସ୍ଥଗିତ ରଖିବାରେ ପୁଲିସ ସଫଳ ହୋଇଛି । ତେବେ ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟରେ ମୋଟ୍ ୬୩୬୮ଟି ସାଇବର ଠକେଇ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୩୭୧୪ଟି ଆର୍ଥôକ ଠକେଇ ମାମଲାରେ ୧୨୨.୭୬କୋଟି ଟଙ୍କା ସାଇବର ଠକ ଲୁଟିନେଇଛନ୍ତି । ଆଉ ଏଥିରୁ ମାତ୍ର ୨.୫୬କୋଟି ଟଙ୍କା ଫେରସ୍ତ ଆଣିବା ଓ ୩.୨୫କୋଟି ଟଙ୍କା ସ୍ଥଗିତ ରଖିବାରେ ଓଡ଼ିଶା ପୁଲିସ ସକ୍ଷମ ହୋଇପାରିଛି । ୩ବର୍ଷ ମଧ୍ୟରେ ୧୨୨.୭୬କୋଟି ଟଙ୍କା ସାଇବର ଠକେଇରେ ପୁଲିସ ମାତ୍ର ପ୍ରାୟ ୫.୮୧କୋଟି ଟଙ୍କାକୁ ସୁରକ୍ଷା ଦେଇପାରିଥିବା ଶ୍ୱେତପତ୍ରରୁ ଜଣାପଡ଼ିଛି । ୨୦୨୩ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା । ଏହିବର୍ଷ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖାଯାଇନାହିଁ କିମ୍ବା ଶ୍ରମ ଓ ସେବା ସଂଗଠନଗୁଡ଼ିକ ଆଇନଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବାଭଳି କୌଣସି ବିଶେଷ ଆନେ୍ଦାଳନ କରିନାହାନ୍ତି । ତେବେ ବିଭିନ୍ନ କାରଣ ପାଇଁ ୨୦୨୩ ମସିହାରେ ପୁଲିସକୁ ମାତ୍ର ୫ଥର ଗୁଳିଚାଳନା କରିବାକୁ ପଡ଼ିଛି । ୨୦୨୩ ମସିହାରେ ରାଜ୍ୟରେ ମୋଟ୍ ୨୩୬ଥର ରାସ୍ତାରୋକ, ୩୦ଥର ରେଳରୋକ, ୧୮୦୫ଥର ଧାରଣା, ୧୧୭୯ଥର ରାଲି, ୨୦୨୩ଥର ବିକ୍ଷୋଭ, ୧୧୭ଥର ଅନଶନ, ୮୦ଥର ବନ୍ଦ ଓ ୧୭୮ଥର ଘେରାଓ ହୋଇଥିଲା । ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ କୌଣସିଠାରେ ବିଶେଷ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ରାଜ୍ୟରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହୋଇନାହିଁ । ମାଓବାଦୀ ଗତିବିଧି ନିୟନ୍ତ୍ରଣାଧୀନ ରହିଥିଲା । ୩ଜଣ ସିପିଆଇ(ମାଓବାଦୀ)ଙ୍କ ମୃତୁ୍ୟ ହୋଇଥିବାବେଳେ ୧୩ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ୫ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ରୁଜୁ ହୋଇଥିବା ମୋଟ୍ ୧.୯୯,୯୫୪ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ଲକ୍ଷ ୯୨ହଜାର ୨୩୮ଟି ମାମଲା ସତ । ସେଥିରୁ ୨୦୨୩ ମସିହା ଶେଷସୁଦ୍ଧା ମୋଟ ୧ଲକ୍ଷ ୩୫ହଜାର ୫୯୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ୨୮୨୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୨୭୬୨ଟି ମାମଲା ସତ ଏବଂ ସେଥିରୁ ୧୮୪୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲହୋଇଛି । ଏହି ସମୟରେ ମୋଟ୍ ୧୬୮୫୧ଟି ଚୋରି ମାମଲା ମଧ୍ୟରୁ ୬୧୩୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି ।

Leave a Reply