ଖୋର୍ଦ୍ଧା ସଂସ୍କୃତି ସୁରକ୍ଷା ସମିତି ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ ପାଳନ


ଖୋର୍ଦ୍ଧା : ଖୋର୍ଦ୍ଧା ସଂସ୍କୃତି ସୁରକ୍ଷା ସମିତି ଆନୁକୂଲ୍ୟରେ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ସମାରୋହ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ତଥା ଆରଏସଏସ ପ୍ରାନ୍ତ ସହ ସେବା ପ୍ରମୁଖ ବେଲେଶ୍ୱର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ରେଳ ବିଭାଗର ଉଚ୍ଚପଦାଧିକାରୀ ରାଜେନ୍ଦ୍ର ନରେନ୍ଦ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ବିଭାଗ ଘୋଷ ପ୍ରମୁଖ ତଥା ଆରଏସଏସ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଗିରିଜା ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଷ୍ଟ୍ରୀୟ ନବବର୍ଷ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି କହିଲେ ଯେ ଆଜିର ଦିନରେ ବ୍ରହ୍ମାଙ୍କ ଦ୍ୱାରା କାଳଗଣନା, ଶାସ୍ତ୍ରୀୟ ମତରେ ଚାରି ଯୁଗ ମଧ୍ୟରୁ ସତ୍ୟଯୁଗର ଆରମ୍ଭ ଏହି ଦିନ ଆରମ୍ଭ ହୋଇଥିଲା । ଯୁଗାବ୍ଦ ଓ ବିକ୍ରମ ସମ୍ବତ ଆରମ୍ଭ, ଶକାବ୍ଦ ଓ ଶାଲିବାହାବ୍ଧ ଆରମ୍ଭ ହୋଇଥିବା ବେଳେ ଆଜି ଠାରୁ ବାସନ୍ତୀକ ନବରାତ୍ର ଆରମ୍ଭ । ଏଥିସହିତ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ ର ପ୍ରତିଷ୍ଠା, ସନ୍ଥ ଝୁଲେଲାଲ ଙ୍କ ଜୟନ୍ତୀ ଦିବସ । ଆଜିର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବ ଦିବସ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂସ୍ଥାପକ କେଶବ ବଳିରାମ ହେଡଗେୱାର ଜନ୍ମଦିବସ । ସେ ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟ ରେ ସଂଘ ପ୍ରତିଷ୍ଠା କରିଥିଲେ ତାହା ଆଜି କେବଳ ଭାରତ ନୁହ ବିଶ୍ୱରେ ବିଜୟର ବାନା ଉଡାଇ ଚାଲିଛି । ନିଜକୁ ଭାରତୀୟ ବୋଲି ଗର୍ବ କରନ୍ତୁ । କେବଳ ନିଜେ, ନିଜ ପରିବାର ନୁହଁ ସମସ୍ତ ଙ୍କ ମଙ୍ଗଳ ଚିନ୍ତନ କରନ୍ତୁ । ଆଜିର ଦିବସ ଆତ୍ମ ଚିନ୍ତନ ର ଦିବସ । ରାଷ୍ଟ୍ର ପ୍ରତି ସମର୍ପିତ ହୁଅନ୍ତୁ । ସଭାପତିତ୍ୱ ଭାଷଣରେ ସାହୁ କହିଲେ ଭାରତ ବର୍ଷର ମହାନ ସଂସ୍କୃତି ପରମ୍ପରା ହରିବାକୁ ବସିଛି । ଆମେ ଆମ ସଂସ୍କୃତି ଠାରୁ ବିମୁଖ ହୋଇ ପାଶ୍ଚାତ୍ୟ ସଂସ୍କୃତିକୁ ଯାବୁଡି ଧରି ରଖିଛି । ସଂସ୍କୃତି ଆମ ପରିଚୟ । ଏହା ହଜିଲେ ଆମ ଅସ୍ତିତ୍ୱ ହଜିଯିବ ବୋଲି କହିଥିଲେ । ସମିତି ସମ୍ପାଦକ ସ୍ୱାଗତ ଭାଷଣ ସହ ପ୍ରଶାନ୍ତ ବେହେରା ବିବରଣୀ ପାଠ କରିଥିଲେ । ସିଦ୍ଧେଶ୍ୱର ସିଂହ ମଞ୍ଚ ପରିଚାଳନା କରିଥିଲେ । ଶେଷରେ କୁନି କୁନି ଶିଶୁ ଭାଇଭଉଣୀ ମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଭକ୍ତି ସଙ୍ଗୀତ, ଦେଶାତ୍ମବୋଧକ ସଙ୍ଗୀତ, ଓଡିଶୀ ଏକକ, ଦଳଗତ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।

Leave a Reply

Your email address will not be published. Required fields are marked *