ଇଚ୍ଛା ଶକ୍ତି ଥିଲେ ଜଣେ ସଫଳତାର ଶୀର୍ଷରେ ପହଁଚି ପାରିବ

ଇଚ୍ଛା ଶକ୍ତି ଥିଲେ ଜଣେ ସଫଳତାର ଶୀର୍ଷରେ ପହଁଚି ପାରିବ

ମାଲକାନଗିରି: ନିଜର ଇଚ୍ଛା ଶକ୍ତି ଥିଲେ ଜଣେ ସଫଳତାର ଶୀର୍ଷରେ ପହଁଚି ପାରିବ ବୋଲି ଏହା ଦର୍ଶାଉଛି । ପ୍ରକାଶଙ୍କ ଘର ହେଉଛି ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଂଚାୟତ ଅନ୍ତର୍ଗତ ଦୁରାଗୁଡା ଗ୍ରାମରେ । କର୍ଣ୍ଣ ବିଶୋୟୀ ଓ ମନିରାଣୀ ବିଶୋୟୀଙ୍କ ଚାରି ପୁଅ ମଧ୍ୟରେ ବଡ଼ ପୁଅ ପ୍ରକାଶ କୁମାର ବିଶୋୟୀ । ପ୍ରକାଶ ଜୀବନରେ ବହୁ ସଂଘର୍ଷ କରି ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୩ ହଜାର ର‌୍ୟାଙ୍କ ରଖି ପାଇଛନ୍ତି ସଫଳତା । ଏହି ସଫଳତା ପାଇବା ପରେ ପ୍ରକାଶକୁ ନିଜର ଶିକ୍ଷକ ଶିକ୍ଷୟିତ୍ରୀ ସାଙ୍ଗ ସାଥି ଓ ଗ୍ରାମବାସୀମାନେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ନିଜ ଗ୍ରାମ ରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପଂଚମ ଶ୍ରେଣୀରେ ପାଠ ପଢିବା ପରେ ଉଦୁଲିବେଡା ସରକାରରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଠାରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢିଥିଲେ । ଏହା ପରେ ଗଙ୍ଗଲା ଠାରେ ଥିବା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ସହିତ ୨୦୧୬ ମସିହାରେ ମେଟ୍ରିକ ପରୀକ୍ଷାରେ ୭୦ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ । ପରେ ସେ ବଳଦିଆଗୁଡା ସରକାରୀ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନରେ ପାଠ ପଢି ୬୫ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହେବା ପରେ +୩ରେ କୋରାପୁଟ ମହାବିଦ୍ୟାଳୟ ଠାରେ ପାଠ ପଢି ୯୫ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ । ଘରେ ବାପା ରୋଗଗ୍ରସ୍ତ ଥିବାବେଳେ ମା‘ ମଧ୍ୟ ମାନସିକ ଅନଗ୍ରସର ।ପ୍ରକାଶ ମାଥିଲି ଠାରେ ରହିବା ସହିତ ଗାଁକୁ ଯାଇ ଚାଷ କାମ କରିବା ଏବଂ ମା‘ଙ୍କୁ ମଧ୍ୟ ରୋଷେଇ କାର୍ଯ୍ୟରେ ସହଯୋଗ କରନ୍ତି । ପରେ ମାଥିଲି ଠାରେ ଛୋଟ ଛୋଟ ପିଲାମାନଙ୍କୁ ନିଜେ ଟ୍ୟୁସନ କରିବା ସହିତ ବଳଦିଆଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗଣିତ ଅଧ୍ୟାପିକା କଲ୍ୟାଣି ପୃଷ୍ଟିଙ୍କ ପ୍ରେରଣା ପାଇଁ ୟ୍ୟୁଟୁବ୍‌ରୁ ଆଇଆଇଟି ପାଇଁ ପ୍ରସ୍ତୁତ କରି ପ୍ରବେଶିକା ପରୀକ୍ଷାରେ ଦେଇଥିଲେ, ଯେଉଁଠି ପିଲାମାନେ ଟଙ୍କା ଖର୍ଚ୍ଚ କରି ତାଲିମ ନେଇ ମଧ୍ୟ ଅକୃତକାର୍ଯ୍ୟ ହେଉଛନ୍ତି ସେଠି ପ୍ରକାଶ ନିଜର ବଳିଷ୍ଠ ପ୍ରମାଣ ଦେଖାଇଛି । ସେ ପରୀକ୍ଷା ଦେଲେ ସିନା ପାସ ହେବେ ନାହିଁ ଭାବି ଫଳାଫଳକୁ ଦେଖୁନଥିଲେ । କିନ୍ତୁ ତାଙ୍କ ବନ୍ଧୁ ତାଙ୍କୁ ପାସ ହୋଇଥିବା ଖବର ଦେଇଥିଲେ । ସେ ସର୍ବ ଭାରତୀୟ ସ୍ତରରେ ୩ ହଜାର ରାଙ୍କ ରଖି ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ।

Leave a Reply

Your email address will not be published. Required fields are marked *