Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାନବବାଦର ଅକ୍ଷୟ ଭଣ୍ଡାର ରାମରାଜ୍ୟ ଓ ରାମାୟଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାନବବାଦର ଅକ୍ଷୟ ଭଣ୍ଡାର ରାମରାଜ୍ୟ ଓ ରାମାୟଣ

ଦୀର୍ଘ ୫୦୦0 ବର୍ଷ ଧରି ମୁସଲମାନଙ୍କ କବଳରେ ଥିଲା ରାମ ଜନ୍ମଭୂମି ମାତ୍ର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ତଥା ରାମଙ୍କ ପ୍ରତି ଭକ୍ତି ଫଳରେ ଆଜି ରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି ଯାହା ପ୍ରତ୍ୟେକ ସନାତନ ସଂସ୍କୃତିର ବ୍ୟକ୍ତି ବିଶେଷଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ରାମଙ୍କୁ ନେଇ ଆଦିକବି ବାଲ୍ମୀକି ତାଙ୍କ ଅମର କାବ୍ୟ ରାମାୟଣରେ ଶତ ସହସ୍ର ସାହିତ୍ୟ ସ୍ରଷ୍ଟାଙ୍କୁ ପ୍ରେରଣାର ଅମର ବରଦାନ କରି ମାନବତାକୁ ଏକ ଦିବ୍ୟ ଆଲୋକପକାରୀ ଜୀବନ ପାଥେୟ ଦେଇଛି । ଆଜି ମଧ୍ୟ ଆଦିକବିଙ୍କ ବାଣୀରୂପା ପୁଣ୍ୟ ସଲିଳା ଭାଗୀରଥୀରେ ପାଠକ ତଥା କବିମାନେ ନିତ୍ୟ ଅବଗାହନ କରି ଆତ୍ମାର ପୁଷ୍ପୀକରଣ କରୁଛନ୍ତି । ଭାରତୀୟ ସଂସ୍କୃତିର ଅକ୍ଷୟ ଭଣ୍ଡାର ଏବଂ ମାନବତାର ଆଦର୍ଶ ମନୋରମ ମଞ୍ଜୁଷା ରାମ ଚରିତ ଓ ‘ରାମାୟଣ’କଥା ଆଜି ମଧ୍ୟ ପୃଥିବୀର କୋଣେ କୋଣେ ଗୁଞ୍ଜିତ ହେବା ସହ ନିମ୍ନଲିଖିତ ଭବିଷ୍ୟବାଣୀକୁ ଅକ୍ଷରଶଃ ସତ୍ୟ ବୋଲି ସିଦ୍ଧ କରୁଛି:- “ଯାବତସ୍ଥାସ୍ୟନ୍ତି ଗିରୟଃ ସରିତଶ୍ଚ ମହୀତଳେ । ତାବଦ୍ରାମାୟଣ କଥା ଲୋକେଷୁ ପ୍ରଚରିଷ୍ୟତି” । ସମାଜର ଏହି ଉପଜୀବ୍ୟ କାବ୍ୟରେ ମାନବତାର ଆଦର୍ଶ ସମଗ୍ର ପୂର୍ଣ୍ଣତାର ସହ ପ୍ରସ୍ଫୁଟିତ ହୋଇଛି । ଏହା ସେହି ଆଦର୍ଶ ଯାହାର ଅନୁସରଣ କରି ମାନବତା ନିଜ ଗନ୍ତବ୍ୟର ସ୍ୱର୍ଣ୍ଣିମ ସୋପାନ ଉପରେ ଅଗ୍ରସର ହୋଇଛି ଏବଂ ଯାହାର ବ୍ୟବହୃତ ଆଚରଣ ଆଜିମଧ୍ୟ ସନ୍ତପ୍ତ ମାନବତାକୁ ପ୍ରକାଶୋନ୍ମୁଖ କରି ଶାନ୍ତିର ପଥ ଉପରେ ନେବାକୁ ସକ୍ଷମ । ମହର୍ଷି ବାଲ୍ମିକୀ ନିଜ ବାଣୀ ଦ୍ୱାରା ପ୍ରତ୍ୟେକ ମନୁଷ୍ୟକୁ ଲୋକ କଲ୍ୟାଣ ଦିଗରେ ଅଗ୍ରସର କରାଇଛନ୍ତି ଏବଂ ତାଙ୍କର ସେହି ମାନବତାର ଆଦର୍ଶ ଉଦ୍‌ଘୋଷଣା କରୁଥିବା ବାଣୀ ‘ରାମଚରିତ ମାନସ’ର କାଳଜୟୀ ସ୍ରଷ୍ଟା ତୁଳସୀ ଦାସଙ୍କ ବ୍ୟକ୍ତିତ୍ୱରେ ଶତତଃ ଧ୍ୱନିତ ହୋଇଛି । ଆଦର୍ଶ ପିତା, ଆଦର୍ଶ ମାତା, ଆଦର୍ଶ ଭ୍ରାତା, ଆଦର୍ଶ ପତ୍ନୀ, ଆଦର୍ଶ ପତି ଓ ଆଦର୍ଶ ଭୃତ୍ୟ ଓ ଆଦର୍ଶ ଶାସକ- ଏ ସମସ୍ତ ଆଦର୍ଶର ସମାହାର ଘଟିଛି ରାମାୟଣରେ ଓ ନାୟକ ରାମଙ୍କ ଠାରେ । ବାଲ୍ମିକୀ ନାରଦଙ୍କୁ ଜିଜ୍ଞାସା କରିଥିଲେ “ଚାରିତ୍ରେଣ ଚକୋ ଯୁକ୍ତଃ”- ଚରିତ୍ରହିଁ ମନୁଷ୍ୟକୁ ଦେବତା କରାଏ । ମାତ୍ର ଦୁଃଖ ଓ ପରିତାପର ବିଷୟ ଆଜିର ସମାଜରେ ନେତାଠାରୁ ଜନତା ସମସ୍ତିଙ୍କ ଚରିତ୍ରରେ ସ୍ଖଳନ ଘଟିଛି । କିନ୍ତୁ ଚରିତ୍ରର ପରିପୂର୍ଣ୍ଣ ବିକାଶ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଠାରେ ଦୃଷ୍ଟି ଗୋଚର ହୁଏ । ବିଚାରକୁ ନେଲେ ‘ରାମଚରିତ୍ରହିଁ ଆର୍ଯ୍ୟ ଚରିତ୍ରର ଆଦର୍ଶ ଓ ମାନବତାର ଚରମ ଅଭିବ୍ୟକ୍ତି’ । ଭଗବଦ୍ ଗୀତାରେ ପ୍ରଦର୍ଶିତ ପ୍ରତ୍ୟେକ ଆଦର୍ଶ ଓ ସଦ୍ଭାବ ରାମଚନ୍ଦ୍ରଙ୍କ ଠାରେ ଥିଲା । ଯେଉଁ ରାମରାଜ୍ୟ ଅଧିକାର ପାଇ ହର୍ଷୋନ୍ମତ ହୋଇନଥିଲେ, ସେହି ରାମ ରାଜ୍ୟରୁ ବହିର୍ଭୂତ ହୋଇ କିଞ୍ôଚନ୍ମାତ୍ର ବି ବ୍ୟଥିତ ବା ଶୋକର୍ତ ହୋଇନଥିଲେ । ତେବେ ଆଜିର ନେତା ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା କରିବା ସହ ରାଜୀବ ଲୋଚନ ରାଘବେନ୍ଦ୍ର ସରକାରଙ୍କର କିଛି ଗୁଣକୁ ନିଜ ଦୈନନ୍ଦିନ ଜୀବନରେ ଉତାରି ପାରିଲେ ଏ ସମାଜରେ ରାମ ରାଜ୍ୟର ପ୍ରତିଷ୍ଠା ହେବ ବୋଲି ଆଶା । ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ସନାତନ ଧର୍ମର ନିତ୍ୟ ଶାଶ୍ୱତ ମୂଲ୍ୟବୋଧ ସହିତ ଲୋକମର୍ଯ୍ୟାଦା- ଧାରଣରେ କଷ୍ଟ ସହି ଅନୁପମ ତ୍ୟାଗ ସ୍ୱୀକାର କରିବାରେ ରାଜରାଜେଶ୍ୱର । ଭାରତୀୟ ସଂସ୍କୃତିରେ ତ୍ୟାଗ ଓ ଭୋଗଭିତରେ ଧର୍ମ ରକ୍ଷାର ଆଦର୍ଶ ମାନବ ଶ୍ରୀରାମ ମହାମାନବ ଚରିତ୍ରର ନିଖୁଣ ଚିତ୍ର ପ୍ରସ୍ତୁତ କରି ସାର୍ବଭୌମିକ ମୂଲ୍ୟର ପ୍ରତିଷ୍ଠା କରିଛନ୍ତି । ସମସ୍ୟାପୂର୍ଣ୍ଣ ଜଟିଳ ଜଗତ୍ ଓ ମାନବ ଜୀବନ ସମ୍ପର୍କରେ ରାମାୟଣରେ ବହୁ ଉପାଦେୟ ଉପଦେଶ ପରିପୂର୍ଣ୍ଣ ହୋଇ ରହିଛି । ସେଗୁଡିକ ମଧ୍ୟରୁ ସାମ୍ପ୍ରତିକ କାଳରେ ଲୋକଙ୍କ ପାଇଁ ଗୋଟିଏ ମହାନ୍ ଉପଦେଶ ହେଉଛି, ଧର୍ମର ପ୍ରତିଷ୍ଠା ପାଇଁ କିପରି ଜଣେ ବଡ ନେତାଙ୍କୁ ରାଜନୈତିକ କ୍ଷମତା ତ୍ୟାଗ ପାଇଁ ପ୍ରସ୍ତୁତ ହେବାକୁ ପଡିବ । ରାମଙ୍କର ଚରିତ୍ର ଯଦି ପୁରୁଷ ଜାତି ପାଇଁ ଆଦର୍ଶ, ସ୍ତ୍ରୀ ଜାତି ପାଇଁ ଭଗବତୀ ଜନକ-ନନ୍ଦିନୀ ସୀତାଙ୍କ ଚରିତ୍ର ମହାନ ଆଦର୍ଶ ହେବ । ତାଙ୍କ ଚରିତ୍ରରେ ଭାରତୀୟ ନାରୀର ପବିତ୍ରତା ସେବାପରାଣୟତା ଆଦି ଗୁଣ ମାନଙ୍କର ମନୋଜ୍ଞ ସମାହାର ଘଟିଛି । ନିମ୍ନୋକ୍ତ ଶ୍ଳୋକ ଏ କଥାର ପ୍ରମାଣ ସୂରୂପ ଯେ, ଭାରତୀୟ ନାରୀ କୈାଣସି ପରିସ୍ଥିତିରେ ମଧ୍ୟ ପରପୁରୁଷ ଆଡକୁ ଚକ୍ଷୁ ଉଠାଇ ଦେଖିପାରିବନି । “ ଚରଣେନାପି ସବ୍ୟେନ ନ ସ୍ପୃଶେୟଂ ନିଶାଚରମ୍ । ରାବଣଂ କିଂ ପୁନରହଂ କାମେୟୟ ବିଗର୍ହିତମ୍ ।” ଏହି ଆଦର୍ଶରେ ଭାରତୀୟ ନାରୀର ବିଶିଷ୍ଟତା ଅବିକଳ ଭାବରେ ପରିଲିକ୍ଷିତ ହୁଏ । ସ୍ତ୍ରୀ ଓ ପୁରୁଷ ମାନବତାର ମାନଦଣ୍ଡ । ଦୁହିଁଙ୍କ କାର୍ଯ୍ୟକଳାପ ଦ୍ୱାରା ହିଁ ମାନବତାର ମାପ କରାଯାଏ । ତେଣୁ ପବିତ୍ର ଭାରତ ଭୂମିରେ ଭବ୍ୟରାମ ମନ୍ଦିର ନିର୍ମାଣ ହେବା ସହ ପ୍ରତ୍ୟେକ ପୁରୁଷ ଓ ନାରୀ ମାନବତାର ଆଦର୍ଶ ପ୍ରତିପାଦନ କରିବା ଦରକାର । ରାମ ଏପରି ଏକ ଶବ୍ଦ:- ଯାହାର ଅର୍ଥ- ର-ରକ୍ଷତି ବା ରକ୍ଷା କରେ, ଅ- ଅତି ସୈାଖ୍ୟ ଦିଏ, ମ-ମନୋରଥ ପୁରଣ କରେ । “ର- କାରେଣ ନିଜଂ ଭକ୍ତଂ ଭବାବ୍ଦେଃ ପରିରକ୍ଷତି- ଅକାରେଣ ଅତି ସୈାଖ୍ୟଂ ହି ସ୍ୱଭକ୍ତସ୍ୟ କରୋତି ଯତ । ମନୋରଥ, ମ କାରେଣ ଦଦାତି ସ୍ୱଜନସ୍ୟ ଯତ୍ । ଅଥବା ନିଜ ଭକ୍ତସ୍ୟ ମରଣାଦି ମୁହୁର୍ମୁହୁଃ । ନିବାରୟତି ତତ୍ ଶଙ୍କବଦ୍ଭକ୍ଟ ରାମ ନାମ ବରଂ ତତଃ ଅୟମେବା ସଦା ଜପ୍ୟୋ ରାମେତି ଦ୍ୱ୍ୟକ୍ଷରଂ ମନୁଃ ।ା ଏହା ସହିତ ନେତା ଠାରୁ ଜନତା ନିଜକୁ ରାମଙ୍କ ଗୁଣରେ ହଜାଇ ଦେଇ ପାରିଲେ ଏ ସମାଜ ଓ ସଂସାର ରାମମୟ ହୋଇଯିବ

ଉମାଶଙ୍କର ପ୍ରସାଦ ,ସମ୍ପାଦକ, ମାର୍ଗଦର୍ଶୀ, ଖୋର୍ଦ୍ଧା ମୋ: ୬୩୭୦୬ ୭୫୫୬୨

Leave a Reply