Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦାସତ୍ୱର ପ୍ରତୀକରୁ ମୁକ୍ତି ଆଡକୁ ଆଉ ଏକ ପଦକ୍ଷେପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦାସତ୍ୱର ପ୍ରତୀକରୁ ମୁକ୍ତି ଆଡକୁ ଆଉ ଏକ ପଦକ୍ଷେପ


-ଡ. ସମନ୍ୱୟ ନନ୍ଦ-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହାରେ ଲାଲ କିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଥିବା ବେଳେ କହିଥିଲେ ଯେ ଭାରତ ସ୍ୱାଧୀନତାର ଅମୃତ କାଳରେ ପ୍ରବେଶ କରିଛି । ଏହି ଅମୃତ କାଳରେ ଆମକୁ ବିକଶିତ ଦେଶ ଭାବେ ସ୍ଥାପିତ ହେବାକୁ ପଡିବ । ତେଣୁ ସେ ଲାଲକିଲ୍ଲାରୁ ପଂଚ ପ୍ରଣ ଅର୍ଥାତ ପାଂଚଟି ପ୍ରତିଜ୍ଞା କରିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ଏହି ପାଂଚଟି ପ୍ରତିଜ୍ଞା ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ ପ୍ରତିଜ୍ଞା ହେଉଛି ଔପନିବେଶିକ ମାନସିକତାରୁ ମୁକ୍ତି । ଦେଶ ବିଦେଶୀ ମାନଙ୍କ ହାତରୁ ସ୍ୱାଧୀନ ହୋଇ ଗଲେ ସୁଦ୍ଧା ଯଦି ତାର ନାଗରିକ ମାନଙ୍କ ମଧ୍ୟରେ ଔପନିବେଶିକ ବା ଦାସତ୍ୱର ମାନସିକତା ରହିଥିବ ତେବେ ସେହି ଦେଶର ପ୍ରକୃତ ବିକାଶ ହୋଇ ପାରିବ ନାହିଁ । ତେଣୁ ସେ ଔପନିବେଶିକ ମାନସିକତାର ମୁକ୍ତି ପାଇଁ ଆହ୍ୱାନ ଦେଇଥିଲେ । ଔପନିବେଶିକ ମାନସିକତାରୁ ମୁକ୍ତି ପାଇବାକୁ ହେଲେ ପ୍ରଥମ ଔପନିବେଶିକ ପ୍ରତୀକ ଗୁଡିକ ଠାରୁ ମୁକ୍ତି ପାଇବା ଜରୁରୀ ।
ଭାରତ ସ୍ୱାଧୀନ ହେବାର ସାତ ଦଶନ୍ଧିରୁ ଉର୍ଧ ସମୟ ପରେ ମଧ୍ୟ ଦେଶରେ ଔପନିବେଶିକ ପ୍ରତୀକ ଗୁଡିକ ରହିଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୀର୍ଘ ବର୍ଷ ପରେ ମଧ୍ୟ ଦେଶରେ ବ୍ରିଟିଶମାନଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଏବଂ ବ୍ରିଟିଶ ସଂସଦରେ ଅନୁମୋଦିତ ହୋଇଥିବା ଆଇପିସି, ୧୮୬୦, ସିଆରପିସି, (୧୮୯୮), ୧୯୭୩ ଏବଂ ଇଂଡିଆନ ଏଭିଡେନ୍ସ ଆକ୍ଚ, ୧୮୭୨ ଭାରତରେ ଲାଗୁ ଥିଲା ।
ଇଂରେଜ ମାନେ ଯେତେବେଳେ ଭାରତ ଉପରେ ଶାସନ କରୁଥିଲେ ସେତେବେଳେ ସେମାନେ ଭାରତୀୟ ମାନଙ୍କୁ ଶାସନ କରିବାକୁ , ଭାରତୀୟ ମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଶାସକ ମାନେ ଯେପରି ଆଇନ ଦରକାର କରୁଥିଲେ ସେହିପରି ଆଇନ ଭାରତରେ ଲାଗୁ କରିଥିଲେ । ପ୍ରକାରାନ୍ତରରେ କହିବାକୁ ଗଲେ ଭାରତୀୟ ଦମନ କରିବାକୁ ବିଦେଶୀଙ୍କ ଦ୍ୱାରା ପ୍ରଣୀତ ଏହି ଆଇନ ବ୍ୟବସ୍ଥା ଥିଲା । ଭାରତ ସ୍ୱାଧୀନତା ପରେ ଏହି ଇଂରେଜ କାଳୀନ ଆଇନକୁ ସମାପ୍ତ କରି ତା ସ୍ଥାନରେ ନିଜର ଆଇନ ପ୍ରଣୟନ କରିବା ଉଚିତ ଥିଲା । ମାତ୍ର ତାହା ହୋଇନ ଥିଲା । ବିଭିନ୍ନ ସମୟରେ ଏପରି କରିବାକୁ ଦାବି ମଧ୍ୟ ହେଉଥିଲା । ହେଲେ ଏହା ଏକ ଅତ୍ୟନ୍ତ ବଡ କାମ ହୋଇଥିବାରୁ ଏହାକୁ କରିବାକୁ କେହି ସାହସ କରୁ ନ ଥିଲେ । ହେଲେ ମୋଦୀ ସରକାର ଏହି ଦୁରୁହ କାର୍ଯକୁ କରିବାକୁ ପଦକ୍ଷେପ ନେଇଛନ୍ତି ।

ସଂସଦର ଗତ ଅଧିବେଶନର ପ୍ରଥମ ଦିନରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଧେୟକ ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଧେୟକ ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଧେୟକ ୨୦୨୩ ଆଗତ କରିଛନ୍ତି । ଏହାର ନାମ ମଧ୍ୟ ଭାରତୀୟ ସଭ୍ୟତା ଓ ସଂସ୍କୃତି ଅନୁରୂପ ରଖା ଯାଇଛି । ଭାରତୀୟ ଦଣ୍ଡବିଧି ସଂହିତା, ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା ବିଧେୟକ, ୨୦୨୩, କ୍ରିମିନାଲ ପ୍ରୋସିଜର କୋଡ୍ ୧୮୯୮ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଧେୟକ ୨୦୨୩ ଏବଂ ଭାରତୀୟ ପ୍ରମାଣ ଆଇନ ୧୮୭୨ ବଦଳରେ ଭାରତୀୟ ସାକ୍ଷୀ ବିଧେୟକ ୨୦୨୩ ଲାଗୁ ହେବ ।
ଯେପରିକି ଉଲ୍ଲେଖ କରାଯାଇଛି ଇଂରେଜଙ୍କ ଦ୍ୱାରା ତିଆରି କରାଯାଇଥିବା ଏହି ତିନୋଟି ଆଇନର ଉଦ୍ଦେଶ୍ୟ ନ୍ୟାୟ ଦେବା ନ ଥିଲା ବରଂ ବ୍ରିଟିଶ ଶାସନକୁ ସୁଦୃଢ଼ ଓ ସୁରକ୍ଷା ଦେବା ପାଇଁ ଏହି ଉଦ୍ଦିଷ୍ଟ ଥିଲା । ମୋଦୀ ସରକାର ଏହି ନୂତନ ଆଇନ ଜରିଆରେ ଦୁଇଟି ମୌଳିକ ଦିଗରେ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହି ତିନୋଟି ନୂଆ ଆଇନର ଆତ୍ମା ହେବ ଭାରତୀୟ ନାଗରିକମାନଙ୍କୁ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ସମସ୍ତ ଅଧିକାରର ସୁରକ୍ଷା କରିବା । ଏହାର ଉଦ୍ଦେଶ୍ୟ କାହାକୁ ଦଣ୍ଡ ଦେବା ନୁହେଁ ବରଂ ନ୍ୟାୟ ଦେବା । ଏହି ପ୍ରକ୍ରିୟାରେ ଅପରାଧ ନିବାରଣ ଭାବନା ସୃଷ୍ଟି କରିବା ପାଇଁ ଯେଉଁଠାରେ ଆବଶ୍ୟକ ସେଠାରେ ଦଣ୍ଡ ଦିଆଯିବ ବୋଲି ଗୃହ ମନ୍ତ୍ରୀ ଶ୍ରୀ ଶାହ ସଂସଦରେ ସ୍ପଷ୍ଟ କରିଛନ୍ତି ।

ଏହି ତିନୋଟି ପୁରୁଣା ଆଇନ ଗୋଲାମୀର ଚିହ୍ନରେ ପରିପୂର୍ଣ୍ଣ ଥିଲା, ସେଗୁଡ଼ିକ ବ୍ରିଟିଶ ସଂସଦରେ ପାରିତ ହୋଇଥିଲା ଏବଂ ଭାରତ ଏହାକୁ ଗ୍ରହଣ କରିଥିଲା । ଏହି ଆଇନଗୁଡ଼ିକ ବ୍ରିଟେନର ସଂସଦ, ପ୍ରାଦେଶିକ ଆଇନ, କ୍ରାଉନ୍ ପ୍ରତିନିଧିଙ୍କ ବିଜ୍ଞପ୍ତି, ଲଣ୍ଡନ ଗେଜେଟ୍‌, ଜୁରି ଏବଂ ବ୍ୟାରିଷ୍ଟର, ଲାହୋର ସରକାର, ରାଜ୍ୟଗୋଷ୍ଠୀ ସଂକଳ୍ପ, ବ୍ରିଟେନ ଏବଂ ଆୟର୍ଲାଣ୍ଡ ସଂସଦକୁ ଦର୍ଶାଏ । ଏହି ଆଇନଗୁଡ଼ିକ ମଧ୍ୟରେ ହର୍ ମାଜେଷ୍ଟୀ ଏବଂ ପ୍ରିଭି କାଉନସିଲଙ୍କ ବିଷୟରେ ଉଲ୍ଲେଖ ରହିଛି । ଏହି ଆଇନଗୁଡିକ ଲଣ୍ଡନ ଗେଜେଟରେ କପି ଏବଂ ଏକ୍ସଟ୍ରାକ୍ଟସ୍ ବିଷୟବସ୍ତୁ ଉପରେ ଆଧାରିତ ଥିଲା ଏବଂ ବ୍ରିଟିଶ କ୍ରାଉନର ଅଧିକାର, ଇଂଲଣ୍ଡର ଅଦାଲତ ଏବଂ ମେଜେଷ୍ଟି ଡୋମିନିୟନଗୁଡିକ ମଧ୍ୟ ଏହି ଆଇନଗୁଡିକରେ ଅନେକ ସ୍ଥାନରେ ଉଲ୍ଲେଖ କରାଯାଇଛି । ଗୋଲାମୀର ଏହି ୪୭୫ ଟି ଚିହ୍ନକୁ ଶେଷ କରି ନୂଆ ଆଇନ ପାଇଁ ପ୍ରସ୍ତାବ ଆସିଛି ।
ସିଆରପିସିର ସ୍ଥାନ ନେଉଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲରେ ଏବେ ୫୩୩ ଧାରା ରହିବ, ୧୬୦ ଧାରା ପରିବର୍ତ୍ତନ କରାଯାଇଛି, ୯ଟି ନୂଆ ଧାରା ଯୋଡ଼ା ଯାଇଛି ଏବଂ ୯ଟି ଧାରାକୁ ଉଚ୍ଛେଦ କରାଯାଇଛି । ଆଇପିସି ବଦଳରେ ଭାରତୀୟ ନ୍ୟାୟ ସଂହିତା ବିଧେୟକ ଲାଗୁ ହେବ । ଏଥିରେ ପୂର୍ବରୁ ଥିବା ୫୧୧ ଧାରା ପରିବର୍ତ୍ତେ ୩୫୬ ଧାରା ରହିବ । ସେହିପରି ୧୭୫ଟି ଧାରାରେ ସଂଶୋଧନ କରାଯାଇଛି, ୮ଟି ନୂଆ ଧାରା ଯୋଡ଼ାଯାଇଛି ଏବଂ ୨୨ଟି ଧାରା ରଦ୍ଦ କରାଯାଇଛି । ପ୍ରମାଣ ଆଇନ ବା ଏଭିଡେନ୍ସ ଆକ୍ଟର ସ୍ଥାନ ନେଉଥିବା ଭାରତୀୟ ସାକ୍ଷ ବିଲରେ ପୂର୍ବରୁ ଥିବା ୧୬୭ଟି ଧାରା ପରିବର୍ତ୍ତେ ଏବେ ୧୭୦ଟି ଧାରା ରହିବ, ୨୩ଟି ଧାରାରେ ପରିବର୍ତ୍ତନ କରାଯାଇଛି, ୧ଟି ନୂଆ ଧାରା ଯୋଡ଼ାଯାଇଛି ଏବଂ ୫ଟି ରଦ୍ଦ କରାଯାଇଛି ।
ବ୍ରିଟିଶଙ୍କ ଦ୍ୱାରା ପ୍ରଣୀତ ବର୍ତ୍ତମାନର ଆଇନରେ ହତ୍ୟା କିମ୍ବା ମହିଳାଙ୍କ ବିରୋଧରେ ଅପରାଧ ଭଳି ଜଘନ୍ୟ ଅପରାଧକୁ ବହୁତ କମ୍ ରଖାଯାଇଛି ଏବଂ ସରକାରୀ ଅଧିକାରୀଙ୍କ ଉପରେ ଦେଶଦ୍ରୋହ, ଡକାୟତି ଓ ଆକ୍ରମଣ ଭଳି ଅପରାଧକୁ ଏହାଠାରୁ ଅଧିକ ରଖାଯାଇଛି । ଏହି ଆଭିମୁଖ୍ୟକୁ ବଦଳା ଯାଉଛି । ଏହି ନୂତନ ଆଇନର ପ୍ରଥମ ଅଧ୍ୟାୟ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ଉପରେ ଆଧାରିତ ହେବ । ଦ୍ୱିତୀୟ ଅଧ୍ୟାୟରେ ହତ୍ୟା/ହତ୍ୟା କାଣ୍ଡ ଓ ମାନବ ଶରୀର ସହ ଅପରାଧ ସମ୍ପର୍କରେ ଆଲୋଚନା କରାଯିବ । ଶାସନ ପରିବର୍ତ୍ତେ ନାଗରିକଙ୍କୁ କେନ୍ଦ୍ରରେ ଆଣିବା ପାଇଁ ଅତ୍ୟନ୍ତ ନୀତିଗତ ନିଷ୍ପତ୍ତି ନେଇ ଏହି ଆଇନ ଅଣାଯାଇଛି ।

ନୂଆ ଯୁଗକୁ ଏହି ଆଇନ ସହ ଯୋଡ଼ିବାକୁ ଚେଷ୍ଟା କରାଯାଇଛି । ଆମ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଦୀର୍ଘ ସମୟ ଲାଗିଥାଏ, ନ୍ୟାୟ ଏତେ ବିଳମ୍ବରେ ଦିଆଯାଏ ଯେ ନ୍ୟାୟର କୌଣସି ଅର୍ଥ ନାହିଁ, ଲୋକମାନେ ବିଶ୍ୱାସ ହରାଇଛନ୍ତି ଏବଂ ଅଦାଲତର ଦ୍ୱାରସ୍ଥ ହେବାକୁ ଭୟ କରୁଛନ୍ତି ।
ଏହି ଆଇନଗୁଡ଼ିକୁ ତିଆରି କରିବା ପାଇଁ ସବୁଠି ବ୍ୟାପକ ବିଚାର ବିମର୍ଶ କରାଯାଇଛି । ୨୦୧୯ ଅଗଷ୍ଟ ମାସରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି, ଦେଶର ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଦେଶର ସମସ୍ତ ଆଇନ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଥିଲା । ୨୦୨୦ରେ ସମସ୍ତ ସାଂସଦ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଂଚଳର ପ୍ରଶାସକଙ୍କୁ ଚିଠି ଲେଖାଯାଇଥିଲା । ବ୍ୟାପକ ବିଚାର ବିମର୍ଶ ପରେ ଆଜି ଏହି ପ୍ରକ୍ରିୟା ଆଇନରେ ପରିଣତ ହେବାକୁ ଯାଉଛି । ୧୮ଟି ରାଜ୍ୟ, ୬ଟି କେନ୍ଦ୍ରଶାସିତ ଅଂଚଳ, ସୁପ୍ରିମ୍ କୋର୍ଟ, ୧୬ଟି ହାଇକୋର୍ଟ, ୫ଟି ନ୍ୟାୟିକ ଏକାଡେମୀ, ୨୨ଟି ଆଇନ ବିଶ୍ୱବିଦ୍ୟାଳୟ, ୧୪୨ ଜଣ ସଂସଦ ସଦସ୍ୟ, ପ୍ରାୟ ୨୭୦ ଜଣ ବିଧାୟକ ଏବଂ ଜନସାଧାରଣ ଏହି ନୂତନ ଆଇନ ସମ୍ପର୍କରେ ସେମାନଙ୍କର ପରାମର୍ଶ ଦେଇଛନ୍ତି ।
ଏତେ ଆଲୋଚନା ସତ୍ୱେ ମୋଦୀ ସରକାର ଏଗୁଡିକୁ ତରବରିଆ ଭାବେ ପାରିତ କରିବାକୁ ଚାହିଁ ନାହାନ୍ତି । ଏହା ଉପରେ ଅଧିକ ଆଲୋଚନା କରିବାକୁ ସଂସଦୀୟ କମିଟି ନିକଟକୁ ପଠାଇ ଦେଇଛନ୍ତି ।ଏହା ଉପରେ ପର୍ଯ୍ୟାପ୍ତ ଆଲୋଚନା ହେବା ପରେ ବୋଧ ହୁଏ ଆସନ୍ତା ସଂସଦୀୟ ଅଧିବେଶନରେ ଏହାକୁ ପାରିତ କରାଯାଇ ପାରେ ।
ମୋଦୀ ସରକାର ଦ୍ୱାରା କରାଯାଉଥିବା ଏହି ପ୍ରୟାସ ଦାସତ୍ୱର ପ୍ରତୀକରୁ ମୁକ୍ତି ଆଡକୁ ଆଉ ଏକ ପଦକ୍ଷେପ ବୋଲି କୁହାଯାଇ ପାରେ । ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।

Leave a Reply