ପୁଞ୍ଜି ନିବେଶ ପାଇଁ ଓଡ଼ିଶାର ବଢୁଛି ଚାହିଦା

ଓଡ଼ିଶାରେ ନିବେଶକଙ୍କୁ ଆକର୍ଷିତ କରିବାକୁ ଗତ ବର୍ଷେ ଭିତରେ ଅନେକ ପ୍ରୟାସ କରିଛନ୍ତି ରାଜ୍ୟ ସରକାର। ନିଜେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ସିଙ୍ଗାପୁର ଓ ଦୁବାଇ ଯାଇ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ। ଗତ ଜାନୁଆରୀରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ନିବେଶକଙ୍କୁ ଆକର୍ଷିତ କରିବାରେ ବଡ଼ ସଫଳତା ହାସଲ କରିଥିଲା ଓଡ଼ିଶା। ଏଥିରେ ରେକର୍ଡ 16.73କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା। ଯାହାଦ୍ବାରା 12ଲକ୍ଷ 88 ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଇତିମଧ୍ୟରେ କେତେକର କାମ ଆରମ୍ଭ ହୋଇସାରିଛି।

ପୁଞ୍ଜି ନିବେଶ ପାଇଁ ଓଡ଼ିଶାର ବଢୁଛି ଚାହିଦା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ପୁଞ୍ଜି ନିବେଶକଙ୍କ ପାଇଁ ଅଗ୍ରଣୀ ରାଜ୍ୟ ହୋଇଛି ଓଡ଼ିଶା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଡବଲ ଇଂଜିନ୍ ସରକାର ଦ୍ବାରା ପୁଞ୍ଜି ନିବେଶକ ମାନଙ୍କ ପାଇଁ ପ୍ରଚୁର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଓ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ ହେଉଛି ରୋଡ ମ୍ୟାପ୍।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ବଡ଼ ବାଜି ମାରିଛି ଓଡ଼ିଶା। CMIE ରିପୋର୍ଟ ଅନୁଯାୟୀ ଘରୋଇ ପୁଞ୍ଜି ନିବେଶରେ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଛି ଓଡ଼ିଶା । ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟରରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି ଯାହା ସାରା ଦେଶରେ ହୋଇଥିବା ମୋଟ ନିବେଶର ୪୦%। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ X ଯୋଗେ ଏହି ସୂଚନା ଦିଆଯାଇଛି। ଲୋକଙ୍କ ସରକାରରେ ପୁଞ୍ଜି ନିବେଶବଢିବା ସହ ଅର୍ଥନୀତି ସୁଦୃଢ ହେଉଥିବା କୁହାଯାଇଛି। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ସାରା ଓଡ଼ିଶା ପାଇଁ ଏହା ଗର୍ବର ବିଷୟ।

Leave a Reply

Your email address will not be published. Required fields are marked *