ଭାରତ ପାଲଟିବ ସେମିକଣ୍ଡକ୍ଟରର ବୈଶ୍ବିକ କେନ୍ଦ୍ର
ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ମହାଶକ୍ତି ସାଜିବ ଭାରତ । ଆଜି ନୂଆଦିଲ୍ଲୀର ଦ୍ବାରକାସ୍ଥିତ ‘ଯଶୋଭୂମି’ଠାରେ ଦେଶର ସର୍ବବୃହତ ସେମିକଣ୍ଡକ୍ଟର ପ୍ରଦର୍ଶନୀ ‘ସେମିକନ୍ ଇଣ୍ଡିଆ ୨୦୨୬’ର ପଞ୍ଚମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ୫୨ରୁ ଅଧିକ ଦେଶର ଶିଳ୍ପପତି ଓ ବୈଜ୍ଞାନିକମାନଙ୍କ ଉପସ୍ଥିତିରେ ଏହି ମେଗା ଇଭେଣ୍ଟର ଶୁଭାରମ୍ଭ ହୋଇଛି ।
‘ସିଲିକନ୍ ଟୁ ସିଷ୍ଟମ୍ସ: ବିଲ୍ଡିଂ ଦି ଇକୋସିଷ୍ଟମ୍’ ଥିମ୍କୁ ନେଇ ଆରମ୍ଭ ହୋଇଛି ଏହି ୩ ଦିନିଆ ମେଗା ପ୍ରଦର୍ଶନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍ଘାଟନ କରିବା ସହ ଭାରତରେ ତିଆରି ହେଉଥିବା ଆଧୁନିକ ଚିପ୍ ଏବଂ ସେମିକଣ୍ଡକ୍ଟର ଟେକ୍ନୋଲୋଜିର ଷ୍ଟଲ୍ଗୁଡ଼ିକୁ ବୁଲି ଦେଖିଛନ୍ତି । ଚଳିତ ବର୍ଷ ଏହି ସମ୍ମିଳନୀରେ ବିଶ୍ୱର ୬୦୦ରୁ ଅଧିକ ପ୍ରମୁଖ କମ୍ପାନୀ ଭାଗ ନେଇଛନ୍ତି । ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ୬ଟି ଦେଶ ନିଜର ସ୍ବତନ୍ତ୍ର ପାଭିଲିୟନ ପ୍ରସ୍ତୁତ କରିଥିବା ବେଳେ ଓଡ଼ିଶା ସମେତ ଦେଶର ୧୨ଟି ରାଜ୍ୟ ନିଜର ଶିଳ୍ପ ନୀତିକୁ ନେଇ ଏଠାରେ ପ୍ରଦର୍ଶନୀ କରିଛନ୍ତି । ଏ ଅବସରରେ ପିଏମ୍ ମୋଦି କହିଛନ୍ତି, ଭାରତର ସେମିକଣ୍ଡକ୍ଟର ମିଶନ କେବଳ ଦେଶ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱର ସପ୍ଲାଇ ଚେନ୍କୁ ସୁଦୃଢ଼ କରିବ । ଆମର ପ୍ରତିଭାବାନ ଯୁବପିଢ଼ି ଏବଂ ସରକାରଙ୍କ ପ୍ରୋତ୍ସାହନ ନୀତି ଯୋଗୁଁ ଆଜି ବିଶ୍ୱର ବଡ଼ ବଡ଼ ନିବେଶକମାନେ ଭାରତ ମୁହାଁ ହେଉଛନ୍ତି ।
ସେମିକନ୍ ଇଣ୍ଡିଆରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଭାରତ ଏହାର ସେମିକଣ୍ଡକ୍ଟର ମିଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟର ମୂଲ୍ୟ ପ୍ରାୟ ୮ ବିଲିୟନ ଡଲାର ଥିବାବେଳେ, ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୩.୫ ବିଲିୟନ ଡଲାରର ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ‘ରିଫର୍ମ ଏକ୍ସପ୍ରେସ୍’ ମାଧ୍ୟମରେ ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ଏବେ ସେମିକଣ୍ଡକ୍ଟର ଡିଜାଇନିଂ କ୍ଷେତ୍ରରେ ଭାରତୀୟ ଷ୍ଟାର୍ଟଅପ୍ ଏବଂ OCI ସଂସ୍ଥା ସହ ସିଧାସଳଖ ମିଳିତ ଭାବେ କାମ କରିପାରିବେ । ଏହି ଅବସରରେ କେନ୍ଦ୍ର ସରକାର ସେମିକନ୍ ୨.O ଅଧୀନରେ ଦେଶର ପ୍ରାୟ ୨୦୦ଟି ନୂଆ ଷ୍ଟାର୍ଟଅପ୍କୁ ଚିପ୍ ଡିଜାଇନିଂ କ୍ଷେତ୍ରରେ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି । ଆଗାମୀ ଦିନରେ ମୋବାଇଲ୍, ଗାଡ଼ିଠାରୁ ଆରମ୍ଭ କରି ପ୍ରତିରକ୍ଷା ସାମଗ୍ରୀ ପର୍ଯ୍ୟନ୍ତ ସବୁଥିରେ ଭାରତୀୟ ଚିପ୍ ବ୍ୟବହାର କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ।
ଏହି ପ୍ରଦର୍ଶନୀ ଆଗାମୀ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ, ଯାହା ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି ।