କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ଅଞ୍ଚଳରୁ ବେଆଇନ ଭାବେ ଗୋଚାଲାଣ

୫୬ ଗୋରୁ ଉଦ୍ଧାର, ଟ୍ରକ ଜବତ

ଡୁବୁରି: କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ଅଞ୍ଚଳରୁ ବେଆଇନ ଭାବେ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ପୁଲିସ ଜବତ କରିଛି। ଟ୍ରକରୁ ଗୋଡ଼ ବନ୍ଧା ଅବସ୍ଥାରେ ଥିବା ୫୬ଟି ଗୋରୁଙ୍କୁ ପୁଲିସ ସୁରକ୍ଷିତ ଉଦ୍ଧାର କରିଛି। ତେବେ ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଏକ ଟ୍ରକରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ଗୋରକ୍ଷକମାନେ ଟ୍ରକଟିର ପିଛା କରିଥିଲେ। ଗୋରକ୍ଷକମାନେ ପିଛା କରୁଥିବା ଦେଖି ଚାଳକ ଜିନ୍ଦଲ କାରଖାନା ପୂର୍ବରୁ ଥିବା ଏକ ନିଛାଟିଆ ସ୍ଥାନରେ ଟ୍ରକଟିକୁ ଛାଡ଼ି ଫେରାର ହୋଇଯାଇଥିଲା।

ସୂଚନା ପାଇ କଳିଙ୍ଗନଗର ଥାନା ପାଟ୍ରୋଲିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଭିତରୁ ଗୋଡ଼ ବନ୍ଧା ଅବସ୍ଥାରେ ଥିବା ୫୬ଟି ଗୋରୁଙ୍କୁ ଉଦ୍ଧାର କରିଥିଲା। ଏଥିସହ ଘଟଣାରେ ବ୍ୟବହୃତ ଟ୍ରକକୁ ଜବତ କରାଯାଇଛି।

ଏ ସଂକ୍ରାନ୍ତରେ କଳିଙ୍ଗନଗର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି। ଫେରାର ଚାଳକଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *