ସନାତନ ଧର୍ମର ପ୍ରଚାର ପାଇଁ ଧନଞ୍ଜୟଙ୍କ ପଦଯାତ୍ରା

  • ପୁନେରୁ ଆରମ୍ଭ ହୋଇଛି ଆଧ୍ୟାତ୍ମିକ ଯାତ୍ରା
  • ୧୨ ଜ୍ୟୋତିର୍ଲିଙ୍ଗ ଓ ୪ ଧାମ ଭ୍ରମଣ ଲକ୍ଷ୍ୟ

ରାମଚନ୍ଦ୍ରପୁର: ସନାତନ ଧର୍ମର ଆଧ୍ୟାତ୍ମିକ ବାର୍ତ୍ତାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ଲକ୍ଷ୍ୟ ନେଇ ହାତରେ ତ୍ରିଶୂଳ ଓ ମୁଖରେ “ହର ହର ମହାଦେବ” ନାରା ଦେଇ ପଦଯାତ୍ରାରେ ବାହାରିଛନ୍ତି ମହାରାଷ୍ଟ୍ର ପୁନେର ୭୪ ବର୍ଷୀୟ ବୃଦ୍ଧ ଧନଞ୍ଜୟ ନାୟକ। ୨୦୨୨ ଜାନୁଆରୀରୁ ନିଜର ଏହି କଠିନ ଯାତ୍ରା ଆରମ୍ଭ କରିଥିବା ଧନଞ୍ଜୟ ସୋମବାର ୬୦ ନମ୍ବର ଜାତୀୟ ରାଜପଥ ଦେଇ ପୁରୀ ଅଭିମୁଖେ ପଦଯାତ୍ରା ଜାରି ରଖିଛନ୍ତି। ତାଙ୍କ ସାଙ୍ଗରେ ଏକ ଛୋଟ ଟ୍ରଲି, ପ୍ଲାକାର୍ଡ, ତ୍ରିଶୂଳ ଓ ଗୈରିକ ପତାକା ରହିଛି।

ଦେଶର ୧୨ଟି ଜ୍ୟୋତିର୍ଲିଙ୍ଗ ଏବଂ ୪ ଧାମ ଦର୍ଶନ କରି ସନାତନ ଧର୍ମର ପ୍ରଚାର ପ୍ରସାର କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଧନଞ୍ଜୟଙ୍କ କହିବା ଅନୁଯାୟୀ, ସେ ଏ ପର୍ଯ୍ୟନ୍ତ ୫ଟି ଜ୍ୟୋତିର୍ଲିଙ୍ଗ ଏବଂ ୨ଟି ଧାମ ଦର୍ଶନ ସାରିଛନ୍ତି। ବାକି ଥିବା ଜ୍ୟୋତିର୍ଲିଙ୍ଗ ଓ ଧାମ ଦର୍ଶନ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଏହି ଆଧ୍ୟାତ୍ମିକ ପଦଯାତ୍ରା ଅବିରତ ଜାରି ରହିବ।

ଦୀର୍ଘ ପଥର ଏହି ଯାତ୍ରା ଅତ୍ୟନ୍ତ କଷ୍ଟକର ହୋଇଥିଲେ ହେଁ ଈଶ୍ୱରଙ୍କ ପ୍ରତି ଥିବା ଅଟୁଟ ଆସ୍ଥା ଓ ଦୃଢ଼ ଆତ୍ମବିଶ୍ୱାସ ତାଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରୁଛି। ରାଜପଥ ଦେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଯାତ୍ରା ସମ୍ପର୍କରେ ପଚାରି ବୁଝିବା ସହ ଶ୍ରଦ୍ଧାରେ ଫଟୋ ଉଠାଉଛନ୍ତି। ବୟସର ଅପରାହ୍ନରେ ପହଞ୍ଚି ମଧ୍ୟ ତାଙ୍କର ଏହି ନିଆରା ପ୍ରୟାସ ଓ ନିଷ୍ଠା ଆଜିର ସମାଜ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରୁଛି।

Leave a Reply

Your email address will not be published. Required fields are marked *