ଶ୍ରୀ କୁପ୍ପାହାଲି ସୀତାରମୟ୍ୟ ସୁଦର୍ଶନ ଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଞ୍ଚମ ସରସଂଘଚାଳକ ଏବଂ ସେ ସଂଘ ପରିବାରରେ ‘ସୁଦର୍ଶନଜୀ’ ନାମରେ ବେଶ୍ ପରିଚିତ ଥିଲେ।
ସେ ୧୮ ଜୁନ୍ ୧୯୩୧ରେ ଛତିଶଗଡ଼ର ରାୟପୁରଠାରେ ଏକ କନ୍ନଡ଼ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଜବଲପୁର ଇଞ୍ଜିନିୟରିଂ କଲେଜରୁ ଟେଲିଫୋନ୍ ଆଣ୍ଡ ଟେଲିକମ୍ୟୁନିକେସନରେ ବି.ଇ. (ଇଞ୍ଜିନିୟରିଂ) ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ମାତ୍ର ୯ ବର୍ଷ ବୟସରୁ ସେ ଆର.ଏସ.ଏସ. ଶାଖାକୁ ଯିବା ଆରମ୍ଭ କରିଥିଲେ ଏବଂ ୧୯୫୪ ମସିହାରେ ସଂଘର ପ୍ରଚାରକ ହୋଇ ଦେଶସେବାରେ ନିଜକୁ ସମର୍ପିତ କରିଥିଲେ ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସଂଘରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିଲା:
- ସେ ମୁସଲିମ ରାଷ୍ଟ୍ରୀୟ ମଞ୍ଚର ସ୍ଥାପନାରେ ପ୍ରେରକ ଭୂମିକା ଗ୍ରହଣ କରିଥିଲେ, ଯାହାଫଳରେ ମୁସଲିମ ସମାଜରେ ସଂଘର ବିଚାର ପ୍ରସାର କରିବାରେ ସାହାଯ୍ୟ ମିଳିଥିଲା।
- ସେ ଖ୍ରୀଷ୍ଟିୟାନ ସମାଜ ସହିତ ମଧ୍ୟ ଆଲୋଚନା ଆରମ୍ଭ କରିଥିଲେ ଏବଂ ‘ସ୍ୱଦେଶୀ ମସଜିଦ୍’ ଓ ‘ସ୍ୱଦେଶୀ ଚର୍ଚ୍ଚ’ର ଅବଧାରଣା ସ୍ଥାପନ କରିଥିଲେ।
- ସେ ଏହି ବିଚାରକୁ ଦୃଢ଼ କରିଥିଲେ ଯେ ହିନ୍ଦୁ ଏବଂ ଶିଖଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ପ୍ରତ୍ୟେକ ହିନ୍ଦୁ, ଦଶ ଗୁରୁ ଏବଂ ସେମାନଙ୍କ ପବିତ୍ର ବାଣୀ ପ୍ରତି ଆସ୍ଥା ରଖିବା ହେତୁ ସିଖ ଅଟନ୍ତି। ଏହି ଚିନ୍ତାଧାରା ଯୋଗୁଁ ପଞ୍ଜାବରେ ଖାଲିସ୍ତାନ ଆନ୍ଦୋଳନର ଚରମ ଅବସ୍ଥାରେ ମଧ୍ୟ ଗୃହଯୁଦ୍ଧ ହୋଇନଥିଲା।
- 1969 ରୁ 1971 ପର୍ଯ୍ୟନ୍ତ ସଂଘର ଅଖିଳ ଭାରତୀୟ ଶାରୀରିକ ପ୍ରମୁଖ ଥିବା ସମୟରେ, ସେ ଖଡ୍ଗ, ଶୂଳ, ଛୁରୀ ଆଦି ପ୍ରାଚୀନ ଶସ୍ତ୍ରଗୁଡ଼ିକ ବଦଳରେ ନିୟୁଦ୍ଧ, ଆସନ ଏବଂ ଖେଳକୁ ସଂଘ ଶିକ୍ଷା ବର୍ଗର ପାଠ୍ୟକ୍ରମରେ ସାମିଲ କରିଥିଲେ।
- ଆପାତକାଳ (Emergency) ସମୟରେ ବନ୍ଦୀବାସରେ ଥିବାବେଳେ ସେ ଯୋଗାଚାର ଉପରେ ନୂତନ ପ୍ରୟୋଗ କରିଥିଲେ ଏବଂ ତାହାର ସ୍ୱରୂପକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ।
- 1979 ମସିହାରେ ସେ ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶାଖାରେ ଦୈନନ୍ଦିନ କାର୍ଯ୍ୟକ୍ରମ, ଗୀତ, ସୁଭାଷିତ, ଅମୃତ ବଚନ, ସାପ୍ତାହିକ କାର୍ଯ୍ୟକ୍ରମ, ମାସିକ କାର୍ଯ୍ୟକ୍ରମ, ବୌଦ୍ଧିକ ବର୍ଗ, ସମାଚାର ସମୀକ୍ଷା, ଜିଜ୍ଞାସା ସମାଧାନ, ଏକାତ୍ମ ସ୍ତୋତ୍ର ଆଦିର ବ୍ୟାଖ୍ୟା ତଥା ଶାଖାର ଅତିରିକ୍ତ ସମୟରେ ହେଉଥିବା ମାସିକ ଶ୍ରେଣୀ ବୈଠକଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଥିଲା।
- ଶାଖାରେ ପ୍ରାତଃ ସ୍ମରଣ ସ୍ଥାନରେ ନୂତନ ‘ଏକାତ୍ମ ସ୍ତୋତ୍ର’ ଏବଂ ‘ଏକାତ୍ମ ମନ୍ତ୍ର’ ପ୍ରଚଳିତ କରାଯାଇଥିଲା।
- 1990 ମସିହାରେ ତାଙ୍କୁ ‘ସହ ସରକାର୍ଯ୍ୟବାହ’ ଦାୟିତ୍ୱ ଦିଆଯାଇଥିଲା। ଦେଶର ବୁଦ୍ଧିଜୀବୀ ବର୍ଗକୁ ରାଷ୍ଟ୍ରୀୟତା ଆଡ଼କୁ ଆକର୍ଷିତ କରିବା ପାଇଁ ସେ ‘ପ୍ରଜ୍ଞା ପ୍ରବାହ’ ନାମକ ବୈଚାରିକ ସଂଗଠନର ପରିକଳ୍ପନା କରିଥିଲେ।
- ସଂଘ କାର୍ଯ୍ୟ ଏବଂ ବିଶ୍ୱ ହିନ୍ଦୁ ଏକତାର ପ୍ରୟାସ ପାଇଁ ସେ ଅନେକ ଦେଶ ଭ୍ରମଣ କରିଥିଲେ ।
ସେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ RSS ର ସରସଂଘଚାଳକ ଦାୟିତ୍ୱ ତୁଲାଇଥିଲେ। ଶାରୀରିକ ଅସୁସ୍ଥତା ହେତୁ ସେ ସ୍ୱେଚ୍ଛାକୃତ ଭାବେ ଏହି ପଦବୀରୁ ଅବସର ନେଇ ମୋହନ ଭାଗବତଙ୍କୁ ସଂଘର ପରବର୍ତ୍ତୀ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
୧୫ ସେପ୍ଟେମ୍ବର ୨୦୧୨ରେ ୮୧ ବର୍ଷ ବୟସରେ ରାୟପୁରଠାରେ ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିଲା । ଆଜି ହେଉଛି ସେହି ମହାପୁରଷଙ୍କର ପୂଣ୍ୟତିଥି ।