ବିଦ୍ୟା ଭାରତୀ ଦେଶ ପାଇଁ ଉପଯୋଗୀ ଶିକ୍ଷାକୁ ଆପଣାଇ ସମାଜ ସମ୍ମୁଖରେ ଏକ ପ୍ରତିମାନ ସ୍ଥାପନ କରିଛି

ବିଦ୍ୟା ଭାରତୀ ଦେଶ ପାଇଁ ଉପଯୋଗୀ ଶିକ୍ଷାକୁ ଆପଣାଇ ସମାଜ ସମ୍ମୁଖରେ ଏକ ପ୍ରତିମାନ ସ୍ଥାପନ କରିଛି

ଜବଲପୁର: ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର କାର୍ଯ୍ୟକାରିଣୀ ବୈଠକ ସରସ୍ୱତୀ ଶିକ୍ଷା ପରିଷଦ କାର୍ଯ୍ୟାଳୟର ରୋଶନଲାଲ ସକ୍ସେନା ସଭାଗୃହରେ ଶୁଭାରମ୍ଭ ହୋଇଛି। ଉଦଘାଟନୀ ଅଧିବେଶନରେ ପୂଜ୍ୟ ସ୍ୱାମୀ ନୃସିଂହ ଦେବାଚାର୍ଯ୍ୟ ଜୀ ମହାରାଜ (ନୃସିଂହ ପୀଠାଧୀଶ୍ୱର) ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତ୍ତି ଦିନେଶ କୁମାର ପାଲିୱାଲ ଜୀ, ବିଶେଷ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ଡ. କୃଷ୍ଣ ଗୋପାଳ ଜୀ, ବିଦ୍ୟାଭାରତୀର ଅଖିଳ ଭାରତୀୟ ଅଧ୍ୟକ୍ଷ ଡ. ରବୀନ୍ଦ୍ର କାହ୍ନେରେ ଜୀ, ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହନ୍ତ ଜୀ ଏବଂ ଅଖିଳ ଭାରତୀୟ ମହାମନ୍ତ୍ରୀ ଦେଶରାଜ ଜୀ ଶର୍ମା ଉପସ୍ଥିତ ଥିଲେ।

ବୈଠକର ପ୍ରାରମ୍ଭରେ ଦିବଙ୍ଗତ ପ୍ରତିଷ୍ଠିତ ନାଗରିକ ଏବଂ ଆସାମ ଓ ନେପାଳରେ ଆସିଥିବା ବନ୍ୟାରେ ଅସମୟରେ କାଳ କବଳିତ ହୋଇଥିବା ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବୈଠକର ପ୍ରସ୍ତାବନା ରଖି ଗୋବିନ୍ଦ ଚନ୍ଦ୍ର ମହନ୍ତ ଜୀ କହିଥିଲେ ଯେ, ବିଦ୍ୟା ଭାରତୀର କାର୍ଯ୍ୟ ୧୯୫୨ ମସିହାରୁ ଆରମ୍ଭ ହୋଇ ଏବେ ୭୫ ବର୍ଷ ପୂର୍ତ୍ତି ଆଡକୁ ଯାଉଛି। ଆମ କାର୍ଯ୍ୟର ଲକ୍ଷ୍ୟ ହେଉଛି ହିନ୍ଦୁତ୍ୱନିଷ୍ଠ ଏବଂ ରାଷ୍ଟ୍ରଭକ୍ତି। ସମସ୍ତ ବିଦ୍ୟାଳୟ ଏବଂ ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ସେହି ଦିଗରେ ଆମ କାର୍ଯ୍ୟ ଆଗେଇ ଚାଲିଛି। ଦେଶର ପ୍ରତ୍ୟେକ ପ୍ରଦେଶରେ ବିଦ୍ୟା ଭାରତୀର ଶିକ୍ଷା ମଡେଲ୍ ପହଞ୍ଚିଛି। ଏହାର କ୍ରମାଗତ ସମୀକ୍ଷା କରି ଗୁଣାତ୍ମକ ଶିକ୍ଷା ଦିଗରେ ଆଗକୁ ବଢ଼ିବା ଉଦ୍ଦେଶ୍ୟରେ ଏହି ବୈଠକରେ ଅନେକ ପ୍ରସଙ୍ଗରେ ବିଚାରବିମର୍ଷ କରାଯିବ।

ମୁଖ୍ୟ ଅତିଥି ନ୍ୟାୟମୂର୍ତ୍ତି ଦିନେଶ କୁମାର ପାଲିୱାଲ ଜୀ କହିଛନ୍ତି ଯେ, ଭଗବାନ ଶ୍ରୀକୃଷ୍ଣ ଯେଉଁ ‘କର୍ମଣ୍ୟେବାଧିକାରସ୍ତେ’ର ସନ୍ଦେଶ ଦେଇଥିଲେ, ସେହି ଭାବନା ସହିତ ବିଦ୍ୟାଭାରତୀର କର୍ମକର୍ତ୍ତାମାନେ କାର୍ଯ୍ୟରେ ଲାଗିଛନ୍ତି। ଆପଣମାନେ ଚରିତ୍ର ନିର୍ମାଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ସ୍ୱାଧୀନତା ପରେ ଭାରତର ଆଶା ଥିଲା ଯେ ଭାରତ କେନ୍ଦ୍ରିତ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଦେଶ ବିଶ୍ୱଗୁରୁ ହେବା ଦିଗରେ ଆଗକୁ ବଢ଼ିବ, କିନ୍ତୁ ଦୁର୍ଭାଗ୍ୟବଶତଃ ମାକଲେ ଏବଂ ମାର୍କ୍ସଙ୍କ ଅନୁଗାମୀମାନେ ସେହି ଶିକ୍ଷାକୁ ଆଗକୁ ବଢ଼ାଇଲେ ଯାହା ଦେଶ ପାଇଁ ଅନୁପଯୋଗୀ ଥିଲା। ବିଦ୍ୟା ଭାରତୀ ଦେଶ ପାଇଁ ଉପଯୋଗୀ ଶିକ୍ଷାକୁ ଆପଣାଇ ସମାଜ ସମ୍ମୁଖରେ ଏକ ଆଦର୍ଶ ସ୍ଥାପନ କରିଛି। ସୌଭାଗ୍ୟବଶତଃ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଭାରତ କେନ୍ଦ୍ରିତ ଶିକ୍ଷାର ମଡେଲ୍ ଦେଶ ସାମ୍ନାକୁ ଆସିଛି।

ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରି ପ.ପୂ. ସ୍ୱାମୀ ନୃସିଂହ ଦେବାଚାର୍ଯ୍ୟ ଜୀ ମହାରାଜ କହିଛନ୍ତି ଯେ, ‘ବିଦ୍ୟା ଭାରତୀ’ ଶବ୍ଦଟି ନିଜ ଭିତରେ ଗୌରବ ବହନ କରିଥାଏ। ଏଥିରେ ବିବେକ, ସମ୍ୟକ୍ କର୍ମ, ସମ୍ୟକ୍ ଜ୍ଞାନ ଏବଂ ସମ୍ୟକ୍ ଭକ୍ତି ରହିଛି। ଏହିସବୁର ସମନ୍ୱୟ ଦ୍ୱାରା ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ବିଦ୍ୟା ଭାରତୀ କରୁଛି। ଶିକ୍ଷାର ଲକ୍ଷ୍ୟ ହେଉଛି – ସଂସ୍କୃତି ଆଗକୁ ବଢ଼ିବା ଉଚିତ୍। ନିଜର ଧର୍ମ ଓ ସଂସ୍କୃତି ପ୍ରତି ଗୌରବର ଭାବ ରହିବା ଆବଶ୍ୟକ। ଆମର ସନାତନ ସଂସ୍କୃତିରେ ସମସ୍ତେ ସମାନ। ସେ କହିଛନ୍ତି ଯେ ସେମାନେ ଭାଗ୍ୟବାନ, ଯାହାଙ୍କ ଜୀବନ ସମାଜ ଏବଂ ରାଷ୍ଟ୍ର ପାଇଁ ସମର୍ପିତ। ସମସ୍ତଙ୍କ ପ୍ରୟାସ ଏବଂ ପ୍ରଚେଷ୍ଟାରେ ହିଁ ରାଷ୍ଟ୍ର ନିର୍ମାଣ ହେବ। ବର୍ତ୍ତମାନର ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣରେ ସହାୟକ ହେବ। ବିଦ୍ୟା ଭାରତୀର ସକରାତ୍ମକ ପ୍ରୟାସ ପାଇଁ ଶୁଭକାମନା।

ପ୍ରାରମ୍ଭରେ ଅତିଥିମାନଙ୍କୁ ସୁଧୀର ଅଗ୍ରୱାଲ (ସଚିବ, ସରସ୍ୱତୀ ଶିକ୍ଷା ପରିଷଦ, ଜବଲପୁର) ଏବଂ ନିତିନ ଚୌଧୁରୀ (ସର୍ବ ବ୍ୟବସ୍ଥା ପ୍ରମୁଖ) ସ୍ୱାଗତ କରିଥିଲେ। ଅଧିବେଶନଟିକୁ ମଧ୍ୟକ୍ଷେତ୍ରର କ୍ଷେତ୍ର ଅଧ୍ୟକ୍ଷ ବିବେକ ଶେଣ୍ଡେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *