ଦୁବାଇ/ଭୁବନେଶ୍ୱର: ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଭାଗିଦାରୀ ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ପାଇଁ ରାଜ୍ୟର ବିଶ୍ୱସ୍ତରୀୟ ପ୍ରୟାସକୁ ଜୋରଦାର କରାଯିବା ସହ ଓଡ଼ିଶା ୟୁଏଇରେ ଏହାର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ଶେଷ କରିଛି। ଏହି ଅବସରରେ ମୋଟ ₹୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜିନିବେଶ ଏବଂ ୬,୧୮,୭୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବୀ ଏବଂ ଦୁବାଇରେ ଅନୁଷ୍ଠିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଏବଂ ରାଉଣ୍ଡ ଟେବଲ୍ ଆଲୋଚନା ପରେ ୧୬ ଟି ବୁଝାମଣାପତ୍ର ଏବଂ ପୁଞ୍ଜିନିବେଶ ପ୍ରସ୍ତାବ (IIFs) ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୟୁଏଇ ନିବେଶକ, ବିଶ୍ୱସ୍ତରୀୟ ବ୍ୟବସାୟୀ, ସାର୍ବଭୌମ ତଥା ପ୍ରତିଷ୍ଠାନିକ ଅଂଶୀଦାର, ଭାରତୀୟ କୂଟନୈତିକ ପ୍ରତିନିଧି ଏବଂ ଓଡ଼ିଆ ପ୍ରବାସୀମାନେ ଏକାଠି ହୋଇଥିଲେ।
ତିନିଦିନିଆ ୟୁଏଇ ଅଭିଯାନ: ଏକ ନଜରରେ
ମୋଟ ଓ୍ବାନ୍-ଅନ-ଓ୍ବାନ୍ ବୈଠକ: ୪୬
ମୋଟ ରାଉଣ୍ଡ ଟେବୁଲ ବୈଠକ: ୬
ମୋଟ୍ ରାଉଣ୍ଡ ଟେବୁଲ ଅଂଶଗ୍ରହଣକାରୀ: ୧୬୦
ମୋଟ ସ୍ୱାକ୍ଷରିତ ବୁଝାମଣାପତ୍ର : ୮
ମୋଟ ପୁଞ୍ଜିନିବେଶ ପ୍ରସ୍ତାବ : ୧୬
ମୋଟ ପ୍ରସ୍ତାବିତ ପୁଞ୍ଜିନିବେଶ: ₹ ୨,୪୩,୧୬୨
କୋଟି ମୋଟ ନିଯୁକ୍ତି ସମ୍ଭାବନା: ୬,୧୮,୭୨୫
ଉଦ୍ଯାପନୀ ଦିନଟି ଦୁବାଇରେ ଅନୁଷ୍ଠିତ ‘ଓଡ଼ିଶା ନିବେଶକ ସମ୍ମିଳନୀ – ୟୁଏଇ ୨୦୨୬’ ଉପରେ କେନ୍ଦ୍ରିତ ଥିଲା, ଯେଉଁଥିରେ ପ୍ରାୟ ୪୦୦ ଜଣ ବିଜନେସ୍ ଲିଡର, ନିବେଶକ ଏବଂ ୟୁଏଇ ବିଜନେସ କମ୍ୟୁନିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ଆଜି ଦିନର ନିବେଶ ଆଲୋଚନାରେ ପର୍ଯ୍ୟଟନ, ଲଜିଷ୍ଟିକ୍ସ, ଆର୍ଥିକ ପୁଞ୍ଜିନିବେଶ, ଏଲ୍ଏନ୍ଜି (LNG) ସଂରକ୍ଷଣ, ଗ୍ରୀନ୍ ଏନର୍ଜି, ଏଆଇ ଏବଂ ଡାଟା ସେଣ୍ଟର, ରେୟାର୍ ଆର୍ଥସ୍, ଜାହାଜ ମରାମତି, ପ୍ରପେଲାଣ୍ଟ ଉତ୍ପାଦନ, ସାର ଓ ରାସାୟନିକ ପଦାର୍ଥ, ଗୃହ ନିର୍ମାଣ, ଇସ୍ପାତ ଏବଂ ଇସ୍ପାତ ସମ୍ବନ୍ଧୀୟ ଶିଳ୍ପ ସହିତ ଅନ୍ୟାନ୍ୟ କ୍ଷେତ୍ର ସାମିଲ ଥିଲା। ରୋଡ୍ ଶୋ’ ସହିତ ମୁଖ୍ୟମନ୍ତ୍ରୀ ୟୁଏଇର ଅଗ୍ରଣୀ ବିଜନେସ୍ ଲିଡର ଏବଂ ନିବେଶକମାନଙ୍କ ସହିତ ଓ୍ବାନ୍-ଟୁ-ଓ୍ବାନ୍ ବୈଠକ କରିଥିଲେ, ଯାହାକି ପ୍ରକଳ୍ପ ସୁଯୋଗ, ଉତ୍ପାଦନ ଭିତ୍ତିଭୂମି, ମୂଲ୍ୟବୃଦ୍ଧି, ଟେକ୍ନୋଲୋଜି ସହଭାଗିତା ଏବଂ ଓଡ଼ିଶାରେ ଦୀର୍ଘକାଳୀନ ନିବେଶ ଉପରେ କେନ୍ଦ୍ରିତ ଥିଲା।
ନିବେଶକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଦୁବାଇରେ ରହୁଥିବା ଓଡ଼ିଆ ପ୍ରବାସୀମାନଙ୍କୁ ମଧ୍ୟ ଭେଟିଥିଲେ, ଯେଉଁଠାରେ ୮୦୦ରୁ ଅଧିକ ଓଡ଼ିଆ ତାଙ୍କୁ ଏକ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ସମାବେଶରେ ଶାସ୍ତ୍ରୀୟ ଓଡ଼ିଶୀ ଏବଂ ପାରମ୍ପରିକ ଲୋକନୃତ୍ୟ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପ୍ରଦର୍ଶିତ ହୋଇଥିଲା। ଦୁବାଇରେ ଓଡ଼ିଆ ସମ୍ପ୍ରଦାୟ ଦ୍ୱାରା ବଜାୟ ରଖାଯାଇଥିବା ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ, ଓଡ଼ିଶାର ବିଶ୍ୱସ୍ତରୀୟ ପରିଚୟକୁ ମଜବୁତ କରିବା ଏବଂ ଏହାର ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବାରେ ପ୍ରବାସୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।