ନେପାଳ ବନ୍ୟାରେ ଭାରତର ମାନବିକ ସହାୟତା

ଅଗଷ୍ଟ ୨୬ ତାରିଖରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ ଏବେ ବି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି କଠିନ ସମୟରେ ଭାରତ ନେପାଳକୁ ଲଗାତାର ସହାୟତା ଯୋଗାଇ ଆସୁଛି । ବୁଧବାର ଭାରତୀୟ ବାୟୁସେନାର ଅଷ୍ଟମ ସ୍ବତନ୍ତ୍ର ବିମାନ ରିଲିଫ୍ ସାମଗ୍ରୀ ନେଇ କାଠମାଣ୍ଡୁରେ ପହଞ୍ଚିଛି ।

ଅଗଷ୍ଟ ୨୬ରୁ ଏପର୍ଯ୍ୟନ୍ତ ଭାରତ ୮ଟି ସ୍ବତନ୍ତ୍ର ବିମାନ ମାଧ୍ୟମରେ ନେପାଳକୁ ୧୩୦ ଟନ୍‌ରୁ ଅଧିକ ରିଲିଫ୍ ସାମଗ୍ରୀ ପଠାଇଛି । ଏହା ସହିତ ଉଦ୍ଧାର, ରିଲିଫ୍ ଓ ଫରେନ୍ସିକ୍ କାର୍ଯ୍ୟରେ ସହାୟତା ପାଇଁ ଭାରତ ୫୪ ଜଣ ବିଶେଷଜ୍ଞଙ୍କୁ ମଧ୍ୟ ନେପାଳ ପଠାଇଛି ।

ଭାରତ ପକ୍ଷରୁ ନେପାଳକୁ ଅନେକ ଜରୁରୀ ସାମଗ୍ରୀ ପଠାଯାଇଛି । ଏଥିରେ ଟେଣ୍ଟ, କମ୍ବଳ, ହାଇଜିନ୍ କିଟ୍, ସୋଲାର ଲ୍ୟାମ୍ପ ଓ ଔଷଧ ରହିଛି । ଏହା ସହିତ ଦୁର୍ଗମ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ବିଶେଷ ଉପକରଣ ମଧ୍ୟ ପଠାଯାଇଛି ।

କାଦୁଅ ଓ ସୁଡ଼ଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟ ପାଇଁ ମଡ୍ ରେସ୍କ୍ୟୁ ସୁଟ୍, ଗ୍ୟାସ୍ ଡିଟେକ୍ଟର ଓ ବ୍ରିଦିଂ ଆପାରାଟସ୍ ଭଳି ଉପକରଣ ଯୋଗାଇ ଦିଆଯାଇଛି । ପାଣି ନିଷ୍କାସନ ପାଇଁ ପମ୍ପ, ପୋର୍ଟେବଲ୍ ଜେନେରେଟର, ଲାଇଟିଂ ଟାୱାର ଓ ଇନ୍‌ଫ୍ଲେଟେବଲ୍ ୱାକ୍‌ୱେ ମଧ୍ୟ ରିଲିଫ୍ ସାମଗ୍ରୀରେ ସାମିଲ ରହିଛି ।

ଭାରତର ସ୍ପେଶାଲ୍ ଟନେଲ୍ ରେସ୍କ୍ୟୁ ଟିମ୍ ନେପାଳୀ ସେନା ସହ ମିଶି ଚିଲିମେ ଓ ଲାଙ୍ଗଟାଙ୍ଗ ରେସ୍କ୍ୟୁ ଅପରେସନ ଆରମ୍ଭ କରିଛି । ବର୍ତ୍ତମାନ ଚିଲିମେ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଚିଲିମେରେ ଉଦ୍ଧାର କାର୍ଯ୍ୟ ଆଦୌ ସହଜ ନୁହେଁ । ଅଞ୍ଚଳଟି ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବାରେ ମଧ୍ୟ ସମସ୍ୟା ହେଉଛି। ସୁଡ଼ଙ୍ଗ ଭିତରେ ଢାଲୁ ରହିଥିବାରୁ ଉଦ୍ଧାରକାରୀ ଦଳକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି ।

ଭାରତୀୟ ଟିମ୍ ହାତରେ କରାଯାଉଥିବା ଉଦ୍ଧାର ପ୍ରୟାସ ସହ ନୂଆ ପ୍ରଯୁକ୍ତିର ମଧ୍ୟ ବ୍ୟବହାର କରୁଛି । ସୁଡ଼ଙ୍ଗ ପର୍ଯ୍ୟନ୍ତ ଭାରୀ ମେସିନ୍ ପହଞ୍ଚାଇବା ପାଇଁ ଏକ ଅସ୍ଥାୟୀ ଟ୍ରାକ୍ ତିଆରି କରାଯାଉଛି। ଏହି ଟ୍ରାକ୍ ମାଧ୍ୟମରେ ଏକ୍ସକାଭେଟର୍ ଭଳି ଭାରୀ ମେସିନ୍‌କୁ ସୁଡ଼ଙ୍ଗ ପର୍ଯ୍ୟନ୍ତ ନିଆଯିବ।

ଭାରତୀୟ ଦୂତାବାସ ଅନୁସାରେ, ଟ୍ରାକ୍ ନିର୍ମାଣ କାମରେ ଭଲ ଅଗ୍ରଗତି ହୋଇଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବାର ଆଶା ରହିଛି । ଏହା ପରେ ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଆହୁରି ଦ୍ରୁତ ହୋଇପାରେ ।

Leave a Reply

Your email address will not be published. Required fields are marked *