ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ସମ୍ବଲପୁର ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଅନ୍ତର୍ଗତ ଧମା ଗ୍ରାମ ପଞ୍ଚାୟତରେ ‘ନିଶାମୁକ୍ତ ଭାରତ ଏବଂ ବିକଶିତ ଭାରତ ପାଇଁ ମୋ ଯୁବ ଭାରତର ସଙ୍କଳ୍ପ’ ବିଷୟବସ୍ତୁ ଉପରେ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ୭ ଓ ୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି।

ନିଶାମୁକ୍ତ ଭାରତ ଗଠନ ସହ ଯୁବସମାଜକୁ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାବେ ସାମିଲ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ବିଶାଳ ପଦଯାତ୍ରା, ଜନସଭା, ଫଟୋ ପ୍ରଦର୍ଶନୀ, ଆଲୋଚନାଚକ୍ର, ବକ୍ତୃତା ଓ ନିବନ୍ଧ ଲିଖନ ପ୍ରତିଯୋଗିତା, ରଙ୍ଗୋଲି ଏବଂ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା, ଗୋଷ୍ଠୀ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମ ପୂର୍ବରୁ ଦୁଇଦିନ ଧରି ଧମା ଓ ଏହାର ଆଖପାଖ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ବ୍ୟାପକ ପ୍ରଚାର କରାଯାଇ ଜନସାଧାରଣଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆହ୍ୱାନ କରାଯାଇଥିଲା। ସ୍ଥାନୀୟ ମା’ ଝାଡେଶ୍ୱରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା ଓ ନିବନ୍ଧ ଲିଖନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।
ପ୍ରଥମ ଦିନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଏବଂ ଯୁବକମାନଙ୍କ ଅଂଶଗ୍ରହଣରେ ଏକ ବିଶାଳ ପଦଯାତ୍ରା ଧମା ଗ୍ରାମ ପରିକ୍ରମା କରି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଥିଲା। ପରେ ଅନୁଷ୍ଠିତ ସଚେତନତା ସଭାକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲଳିତା ପ୍ରଧାନ, ବରିଷ୍ଠ ଚିକିତ୍ସା ଅଧିକାରୀ ଡା. ପ୍ରତାପ କୁମାର ନାୟକ, ଡା. ଅମରନାଥ ଆଚାର୍ଯ୍ୟ, ଥାନା ଅଧିକାରୀ ଏଏସଆଇ ଶ୍ରୀ କେ.ବି. ବାଘ୍, ଜିଲ୍ଲା ଅବକାରୀ ଅଧିକାରୀ ଶ୍ରୀ ପ୍ରସାଦ ପ୍ରଧାନ, ମା’ ଝାଡେଶ୍ୱରୀ ମହାବିଦ୍ୟାଳୟର ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ମନୋଜ କୁମାର ସାହୁ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ରବୀନ୍ଦ୍ରନାଥ ଠାକୁର ଏବଂ ମୋ ଭାରତ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ।