ଭୁବନେଶ୍ୱର ରାଜଧାନୀରେ ମନ୍ଦିର ଚୋର ମାତିଲେଣି। ବଡ଼ଗଡ଼ ଥାନା ଅଧୀନ ଚାରିଛକରେ ଥିବା ତାରିଣୀ ମନ୍ଦିରରୁ ତିନି ମୁଖାପିନ୍ଧା ଦୁର୍ବୃତ୍ତ ମା’ଙ୍କ ଦାନହୁଣ୍ଡିକୁ ଭାଙ୍ଗି ସେଥିରୁ ଦାନ ଅର୍ଥ ଲୁଟି ନେଇଛନ୍ତି। ମନ୍ଦିର ପ୍ରଶାସନ ଏହା ଜାଣିବା ପରେ ଗତକାଲି ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବଡ଼ଗଡ଼ ପୁଲିସ ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍ ମାଧ୍ୟମରେ ଅନୁସନ୍ଧାନ ଚଳାଇଛି।
ସୂଚନାଯୋଗ୍ୟ, ଗତ ୧୭ ତାରିଖ ବିଳମ୍ବିତ ରାତିରେ ତିନିଜଣ ଚୋର ମନ୍ଦିର ଭିତରେ ପଶି ଦାନହୁଣ୍ଡିର ତାଲାକୁ ଭାଙ୍ଗି ସେଥିରୁ ଦାନ ଅର୍ଥ ଚୋରି କରି ନେଇଥିଲେ। କିନ୍ତୁ ଯିବା ବେଳେ ତାଲାକୁ ଆରପଟକୁ ଓଲଟାଇ ଟାଙ୍ଗି ଯାଇଥିଲେ। ଫଳରେ ହୁଣ୍ଡିର ତାଲା ଭଙ୍ଗା ଯାଇଥିବା ସମ୍ପର୍କରେ କେହି ଜାଣି ପାରିନଥିଲେ।
ଗତକାଲି ମନ୍ଦିର ପ୍ରଶାସନ ଚୋରି ହୋଇଥିବା ଜାଣିବା ପରେ ମନ୍ଦିର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ଏବଂ ଏହା ପରେ ଚୋରି ହୋଇଥିବା ସ୍ପଷ୍ଟ ହୋଇଥିଲା। ପୁଲିସ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଜାରି ରଖିଥିବା ବେଳେ ଚୋରଙ୍କ ସନ୍ଧାନ ମିଳିନାହିଁ।