ଅଟଳ ହନୁମାନ

ଜେସିବି-କ୍ରେନ ବି ଘୁଞ୍ଚାଇ ପାରୁନି

ଉଜ୍ଜୈନ: ଉଜ୍ଜୈନର କଞ୍ଚାଲ ଛକରୁ ଗୋପାଳ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ଚାଲିଛି। ଏହାର ପରିସରରେ ସତୀ ଗେଟ୍ ନିକଟରେ ଥିବା ଖଡ଼େ ହନୁମାନଙ୍କ ମନ୍ଦିର ଆସିଯାଇଛି। ଭଗବାନଙ୍କୁ ସ୍ଥାନାନ୍ତର ପାଇଁ ଅନ୍ୟତ୍ର ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଛି। ହେଲେ ସେଠାକୁ ନେବାରେ ପ୍ରଶାସନ ବିଫଳ ହୋଇଛି। ଏବେ ବିଶେଷଜ୍ଞ ଟିମ ସ୍ଵତନ୍ତ୍ର ଉପକରଣ ସହାୟତାରେ ପ୍ରତିମାର ଗଭୀରତା ଓ ଆଖପାଖ ଜମି ମାପ କରୁଛନ୍ତି। ଏହି ମୂର୍ତ୍ତି ହଜାରେ ବର୍ଷ ତଳର ହେବ ବୋଲି ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ କହୁଛନ୍ତି। ପ୍ରତିମା ତଳେ କ’ଣ ଅଛି ତାହା ମଧ୍ୟ ଜାଣିବାକୁ ପ୍ରୟାସ କରାଯାଉଛି। ମାପ ଆଧାରରେ ବିଶେଷଜ୍ଞ ଟିମ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେ ପଟେ ମନ୍ଦିରର ପୂଜାରୀ ମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ କରୁନାହାନ୍ତି। ସୁରକ୍ଷିତ ଭାବେ ମୂର୍ତ୍ତି ଅନ୍ୟତ୍ର ନିଆଯାଉ ବୋଲି ସେ ଦାବି କରିଛନ୍ତି।

ବଜରଙ୍ଗବଲୀ ରହୁଥିବା ସ୍ଥାନକୁ ଲୋକେ ଉଜ୍ଜୈନର ଏମ୍ସ କୁହନ୍ତି, କାରଣ ଦୁରାରୋଗ୍ୟରେ ପୀଡ଼ିତ ବ୍ୟକ୍ତି ଏଠାରୁ ଭଲ ହୋଇ ଯାଇଛନ୍ତି। ଭକ୍ତି ଓ ଭାବରେ ସେ ଏମିତି ବାନ୍ଧି ହୋଇ ଯାଇଛନ୍ତି ଯେ ଜମାରୁ ଆସ୍ଥାନ ଛାଡ଼ିବାକୁ ଚାହୁଁନାହାନ୍ତି। ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ପ୍ରତିମାକୁ ଅନ୍ୟତ୍ର ନେବା ପାଇଁ ପ୍ରୟାସ ହେଉଛି। ମାତ୍ର ୧୦ ଦିନ ବିତି ଯାଇଥିଲେ ବି ଏଥିରେ ସଫଳତା ମିଳିପାରୁ ନାହିଁ। ବଜରଙ୍ଗବଲୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରଶାସନ ସକ୍ଷମ ହୋଇପାରି ନାହିଁ। ବଡ଼ ବଡ଼ ମେସିନ ବି ବିଫଳ ହୋଇଯାଇଛି। କ୍ରେନ-ଜେସିବି ଲାଗି ବି ପବନ ପୁତ୍ରଙ୍କୁ ଘୁଞ୍ଚାଇ ପାରିନାହିଁ। ବାୟୁପୁତ୍ର ହନୁମାନ ସେମିତି ଅଟଳ ଅଟଳ ମହାମେରୁ ହୋଇ ଛିଡ଼ା ହୋଇଛନ୍ତି। ଶେଷରେ ପ୍ରଶାସନ ବିଶେଷଜ୍ଞଙ୍କ ସହଯୋଗ ନେଉଛି। ଏବେ ଆଇଆଇଟି ଇନ୍ଦୋରର ଟିମକୁ ଡକା ଯାଇଛି। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଭଗବାନ ଏଠାରୁ ଯିବାକୁ ଚାହୁଁନାହାନ୍ତି ବୋଲି ଲୋକେ କହୁଛନ୍ତି। ଭଗବାନଙ୍କ ଏହି ଚମତ୍କାର କାହାଣୀ ଶୁଣିବା ପରେ ଦୂରଦୂରାନ୍ତରୁ ଲୋକେ ଦର୍ଶନ ପାଇଁ ଆସୁଛନ୍ତି। ପ୍ରତିମା ହଟାଇବାକୁ ଲୋକେ ବିରୋଧ କରୁଛନ୍ତି।

Leave a Reply

Your email address will not be published. Required fields are marked *