ଓଡ଼ିଶା ଶିଳ୍ପ ବିକାଶର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଓ ନିବେଶ କ୍ଷେତ୍ରକୁ ଆହୁରି ବିଶ୍ୱମୁଖୀ କରିବା ଲକ୍ଷ୍ୟରେ ଆରବ ଦେଶରେ ଆରମ୍ଭ ହୋଇଛି ଓଡ଼ିଶା ସରକାରଙ୍କ ହାଇଲେଭଲ୍‌ ନିବେଶ ଅଭିଯାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆବୁଧାବିରେ ପହଞ୍ଚିବା ପରେ ତିନି ଦିନିଆ ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆବୁଧାବିରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ :

ସେପ୍ଟେମ୍ବର ୯ରୁ ୧୧ ପର୍ଯ୍ୟନ୍ତ ଆବୁଧାବି ଓ ଦୁବାଇରେ ନିବେଶକ, ଶିଳ୍ପପତି, ବ୍ୟବସାୟିକ ଗୋଷ୍ଠୀ ଓ ୟୁଏଇର ପ୍ରମୁଖ ଅନୁଷ୍ଠାନଗୁଡ଼ିକ ସହ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ହେବ । ସେପ୍ଟେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ଭାରତ ଫେରିବେ । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ କେବଳ ନିବେଶ ଆହ୍ବାନ ନୁହେଁ, ବରଂ ଓଡ଼ିଶା ଓ ୟୁଏଇ ମଧ୍ୟରେ ଦୀର୍ଘ ମିଆଦୀ ଆର୍ଥିକ ଓ ଶିଳ୍ପ ସହଭାଗିତା ଗଢ଼ିବା । ମାନୁଫାକ୍ଚରିଂ, ଭିତ୍ତିଭୂମି, ଶକ୍ତି, ପେଟ୍ରୋକେମିକାଲ୍‌, କେମିକାଲ୍‌ ଏବଂ ଉଦୀୟମାନ ଶିଳ୍ପ କ୍ଷେତ୍ରରେ ନୂଆ ସୁଯୋଗ ଖୋଜାଯିବ । ମୁଖ୍ୟମନ୍ତ୍ରୀଙ୍କ ସହ ୟୁଏଇ ଗସ୍ତରେ ଅଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ IPICOLର ବରିଷ୍ଠ ଅଧିକାରୀ । ଆବୁଧାବିରେ ପହଞ୍ଚିବା ପରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ୟୁଏଇରେ ଅବସ୍ଥାପିତ ଅଧିକାରୀ ଓ ପ୍ରତିନିଧିମାନେ ଏହି ଦଳକୁ ସ୍ୱାଗତ କରିଛନ୍ତି । ୟୁଏଇରେ ଭାରତୀୟ ଦୂତାବାସର ପ୍ରତିନିଧିମାନେ ମଧ୍ୟ ଓଡ଼ିଶା ପ୍ରତିନିଧି ଦଳକୁ ସ୍ୱାଗତ କରିଛନ୍ତି ।

ବୁଧବାରଠାରୁ ଆରମ୍ଭ ହେବ ଓଡ଼ିଶାର ମୁଖ୍ୟ ନିବେଶକ ଆଲୋଚନା । ପ୍ରଥମ ଦିନରେ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC) ଏବଂ ଏହାର ବିଭିନ୍ନ ବ୍ୟବସାୟିକ କ୍ଷେତ୍ର ସହ ଆଲୋଚନା ହେବ । ଏହାପରେ ଭାରତୀୟ ବ୍ୟବସାୟ ଓ ବୃତ୍ତିଗତ ଗୋଷ୍ଠୀ (IBPG), ୟୁଏଇର ନିବେଶମନ୍ତ୍ରୀ ଏବଂ ବରିଷ୍ଠ ନିବେଶ ସହଭାଗୀଙ୍କ ସହ ବୈଠକ ହେବ । ଏହା ସହିତ ପେଟ୍ରୋକେମିକାଲ୍‌ ଓ କେମିକାଲ୍‌ କ୍ଷେତ୍ରକୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନା ହେବ । ଏହି ବୈଠକରେ ନିର୍ଦ୍ଦିଷ୍ଟ ନିବେଶ ସୁଯୋଗ, ଶିଳ୍ପ ସହଭାଗିତା, ପ୍ରଯୁକ୍ତି ହସ୍ତାନ୍ତର ଓ ଦୀର୍ଘମିଆଦୀ ବ୍ୟବସାୟିକ ସହଯୋଗ ନେଇ ଆଲୋଚନା ହେବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଓଡ଼ିଶା ଶିଳ୍ପ ବିକାଶର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି । ୟୁଏଇ ସହ ସମ୍ପର୍କ ଏହି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଓଡ଼ିଶା କେବଳ ନିବେଶ ପାଇଁ ଆମନ୍ତ୍ରଣ ଦେବାକୁ ୟୁଏଇ ଆସିନାହିଁ; ବରଂ ବିଶ୍ୱାସ, ପ୍ରଯୁକ୍ତି, ମୂଲ୍ୟ ସୃଷ୍ଟି ଓ ରୋଜଗାରକୁ ଆଧାର କରି ଦୀର୍ଘମିଆଦୀ ସହଭାଗିତା ଗଢ଼ିବା ଏହି ଗସ୍ତର ଲକ୍ଷ୍ୟ । ୟୁଏଇ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଆର୍ଥିକ ସହଭାଗୀ ହୋଇଥିବାରୁ ଓଡ଼ିଶା-ୟୁଏଇ ସମ୍ପର୍କକୁ ଠୋସ୍‌ ନିବେଶ ଓ ଶିଳ୍ପ ସୁଯୋଗ ମାଧ୍ୟମରେ ଆହୁରି ମଜବୁତ କରିବାକୁ ସରକାର ଚାହୁଁଛି । ନିବେଶ ପ୍ରସ୍ତାବକୁ କାଗଜପତ୍ରରେ ସୀମିତ ନରଖି ତାହାକୁ ମାଟିରେ ପ୍ରକଳ୍ପ ରୂପ ଦେବା ସରକାରର ପ୍ରମୁଖ ଲକ୍ଷ୍ୟ । ଏହା ମାଧ୍ୟମରେ ରୋଜଗାର ସୃଷ୍ଟି ସହ ଓଡ଼ିଶାକୁ ବିଶ୍ୱସ୍ତରୀୟ ବ୍ୟବସାୟ ପାଇଁ ଏକ ପ୍ରତିଯୋଗିତାମୂଳକ ଗନ୍ତବ୍ୟରେ ପରିଣତ କରିବା ଉପରେ ଗୁରୁତ୍ୱ ରହିବ ।

Leave a Reply

Your email address will not be published. Required fields are marked *