ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଧାମ ପୁରୀଠାରେ ଆସନ୍ତା ୧ ସେପ୍ଟେମ୍ବର ଠାରୁ ୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଶ୍ରୀମଦ୍ ଭାଗବତ କଥା ମହୋତ୍ସବ ଆୟୋଜନ କରାଯାଉଛି। ଭାରତର ସୁପରିଚିତ ଆଧ୍ୟାତ୍ମିକ ଶକ୍ତି, ପଦ୍ମଭୂଷଣ ବିଭୂଷିତ, ବାତ୍ସଲ୍ୟମୂର୍ତ୍ତି ପରମ ପୂଜ୍ୟା ମା’ ସାଧ୍ୱୀ ଋତମ୍ଭରା ଜୀ ବ୍ୟାସପୀଠରୁ ଏହି କଥା ପ୍ରବଚନ ପ୍ରଦାନ କରିବେ।
କଥା ସଂଯୋଜକ ସାଧ୍ୱୀ ଶିରୋମଣି ଗିରି ପ୍ରେସ ବାର୍ତ୍ତାରେ ସୂଚନା ଦେଇ କହିଛନ୍ତି ଯେ, ପୁରୀସ୍ଥିତ ହୋଟେଲ ପ୍ରେସିଡେନ୍ସି ହିଲ୍ସର ପ୍ରତିଦିନ ପୂର୍ବାହ୍ନ ୯ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଏହି କଥା ଅନୁଷ୍ଠିତ ହେବ । କଥା ଶ୍ରବଣ କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ପଞ୍ଜୀକୃତ ସଦସ୍ୟମାନେ ୩୧ ଅଗଷ୍ଟ ସୁଦ୍ଧା ପୁରୀରେ ପହଞ୍ଚିବେ। ଏହି କାର୍ଯ୍ୟକ୍ରମ କେବଳ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ପାଇଁ ସୀମିତ ସଂଖ୍ୟାରେ ଆୟୋଜିତ ହେବ। ତେବେ ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ ମିଡିଆ ମାଧ୍ୟମରେ ଏହାକୁ ପ୍ରତିଦିନ ଦେଖିବା ଏବଂ ପଢ଼ିବାର ସୁଯୋଗ ମିଳିବ।
ଶ୍ରୀ ଜୟ ଭଗବାନ ଅଗ୍ରୱାଲ (ରାଷ୍ଟ୍ରୀୟ ଉପାଧ୍ୟକ୍ଷ – ପରମ ଶକ୍ତି ପୀଠ)ଙ୍କ ମାର୍ଗଦର୍ଶନରେ ଶ୍ରୀ ପବନ ଶର୍ମା, ଶ୍ରୀ ଗୋନେନ୍ଦ୍ର ମେଡ଼ତିଆ, ଶ୍ରୀ ଉମେଶ ଖଣ୍ଡେଲୱାଲ ବରିଷ୍ଠ ସମାଜସେବୀ କଥା ମହୋତ୍ସବରେ ସହ-ସଂଯୋଜକ ରହିବେ। ଶ୍ରୀ ଦେବେନ୍ଦ୍ର ଶୁକ୍ଲା ମିଡିଆ ପ୍ରଭାରୀ, ଶ୍ରୀ ଚେତନ ଟେକ୍ରିୱାଲ ମୁଖ୍ୟ ଯଜମାନ, ଶ୍ରୀ ଅଜୟ ଅଗ୍ରୱାଲ ବିଶେଷ ଯଜମାନ ଏବଂ ବିପ୍ର ଫାଉଣ୍ଡେସନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଏବଂ ଚେୟାରମ୍ୟାନ ବିକ୍ଷିପ୍ତ ଭାରତ ସଂକଳ୍ପ ସଂସ୍ଥାନ ଓଡ଼ିଶା ଶାଖାର ଶ୍ରୀମତୀ ସ୍ମୃତି ମିଶ୍ର ବ୍ୟବସ୍ଥା ସଂଯୋଜକ ରହିବେ। ମାରୱାଡ଼ି ଯୁବା ମଞ୍ଚ, ମାରୱାଡ଼ି ପ୍ରେସ୍ କ୍ଲବ, ମାରୱାଡ଼ି ମହିଳା ସମିତି ଭୁବନେଶ୍ୱର ଶାଖା, ମାରୱାଡ଼ି ମହିଳା ସମିତି କଟକ ଶାଖା ସହଯୋଗୀ ଭାବରେ ରହିବେ।
ପୂଜ୍ୟା ମା’ଙ୍କ ପବିତ୍ର ସାନ୍ନିଧ୍ୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପରିଷଦର ମନ୍ତ୍ରୀମାନେ, ବିଧାୟକମାନଙ୍କୁ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହିତ ବରିଷ୍ଠ ସରକାରୀ ପଦାଧିକାରୀମାନଙ୍କୁ ସମ୍ମାନପୂର୍ବକ ନିମନ୍ତ୍ରଣ କରାଯାଇଛି। ସମସ୍ତେ କଥା ମହୋତ୍ସବରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି।
କଥା ମହୋତ୍ସବକୁ ନେଇ ସମଗ୍ର ପୁରୀ ଧାମରେ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ସାଧ୍ୱୀ ଶିରୋମଣି କହିଛନ୍ତି ଯେ, ପୂଜ୍ୟା ମା’ ସାଧ୍ୱୀ ଋତମ୍ଭରା ଜୀ ୧୯୮୦ ଓ ୧୯୯୦ ଦଶକରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ଦୁର୍ଗାବାହିନୀ ମାଧ୍ୟମରେ ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ପାଇଁ ସମଗ୍ର ଦେଶରେ ବ୍ୟାପକ ହିନ୍ଦୁ ଜନଜାଗରଣ ସୃଷ୍ଟି କରିଥିଲେ। ତାଙ୍କୁ ହିନ୍ଦୁ ସମାଜରେ ଜଣେ “ଫାୟାର ବ୍ରାଣ୍ଡ” ନେତ୍ରୀ ଭାବେ ଜଣାଯାଉଥିଲା। ଫଳସ୍ୱରୂପ, ଦେଶର ହିନ୍ଦୁ ସମାଜ ଜାତିଗତ ଭେଦଭାବ ଭୁଲି ସମସ୍ତଙ୍କ ସହିତ ଏହି ଆନ୍ଦୋଳନ ସହ ଯୋଡ଼ିହୋଇଥିଲେ। ଏହାପରେ ଆମେ ଦେଖିଛୁ ଯେ କିପରି ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ଦିବ୍ୟ ଓ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି।