
ସର୍ବେଶ୍ୱର ବେହେରା
ରକ୍ଷାବନ୍ଧନ ଭାରତୀୟ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ । ଏହିଦିନ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ସ୍ନେହ ଓ ସୁରକ୍ଷାର ଭାବନା ଦୃଢ଼ୀଭୂତ କରିଥାଏ । ବ୍ରାହ୍ମଣ ଯଜମାନ ହାତରେ ରାଖୀ ବାନ୍ଧି ଧର୍ମ ରକ୍ଷା ଓ ଧର୍ମ ପ୍ରତି ପ୍ରେରିତ କରିଥାଏ । ପ୍ରତ୍ୟେକ ବ୍ୟକ୍ତି ଏହି ଦିବସରେ ପରସ୍ପର ପ୍ରତି ପ୍ରେମ, ସ୍ନେହ, ଭ୍ରାତୃତ୍ୱ ଭାବର ନିଦର୍ଶନ ଦେଇଥାଆନ୍ତି ।
କିନ୍ତୁ ଏହି ଉତ୍ସବ ଭାଇ-ଭଉଣୀ, ବ୍ରାହ୍ମଣ-ଯଜମାନ ମଧ୍ୟରେ ସୀମିତ ରହିବା ଠିକ୍ ନୁହେଁ । ଭାରତୀୟ ସମାଜରେ ରହିଥିବା ଅବହେଳିତ ଓ ନିଷ୍ପେଷିତ ବନ୍ଧୁମାନଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବାର ଏହା ଏକ ଉତ୍ସବ । ଏହି ପର୍ବରେ ପ୍ରତ୍ୟେକ ଜନସାଧାରଣ ସମଗ୍ର ସମାଜକୁ ସୁଦୃଢ଼ କରିବା ପାଇଁ ଏକ ସୂତ୍ରରେ ବାନ୍ଧିବା ପାଇଁ ପରସ୍ପର ହାତରେ ରାଖୀ ବାନ୍ଧିବା ଆବଶ୍ୟକ । ସମାଜରେ ଏକତା ଓ ସମରସତା ନିର୍ମାଣ ହେଲେ ସମାଜର ଉତ୍ଥାନ ହେବ ଓ ରାଷ୍ଟ୍ର ସୁଦୃଢ଼ ହେବ ।
ହିନ୍ଦୁ ସମାଜର ପତନର ମୁଖ୍ୟ କାରଣ ହେଉଛି ଆତ୍ମବିସ୍ମୃତି । ସ୍ୱାର୍ଥପରାୟଣତା ଯୋଗୁଁ ଆତ୍ମବିସ୍ମୃତି ନିର୍ମାଣ ହୁଏ । ଆତ୍ମବିସ୍ମୃତି ଓ ସ୍ୱାର୍ଥପରାୟଣତାରୁ ଜନ୍ମ ନିଏ ସମସ୍ତ ପ୍ରକାରର ଭେଦଭାବ ଓ ଏହି କାରଣରୁ ସମାଜରେ ବିଘଟନ ଓ ଅବ୍ୟବସ୍ଥା ପରିଲକ୍ଷିତ ହୁଏ । ଆତ୍ମବିସ୍ମୃତି ଓ ଆତ୍ମଗ୍ଳାନିକୁ ଦୂର କରିବା ପାଇଁ ଆତ୍ମବୋଧକୁ ଜାଗ୍ରତ କରିବାକୁ ହେବ ଏବଂ ସ୍ୱାର୍ଥପରତା ସ୍ଥାନରେ ନିଃସ୍ୱାର୍ଥଭାବ ନିର୍ମାଣ କରିବାକୁ ହେବ । ସବୁ ପ୍ରକାର ଭେଦାଭେଦକୁ ଭୁଲି ଏକାତ୍ମ ଭାବରେ ଏକରସ ଓ ସମରସ ବିଶିଷ୍ଟ ଦୃଢ଼ ସମାଜ ଗଠନ କରିବାକୁ ହେବ । ଏହି ଦୃଢ଼ ସମାଜ ଗଠନ ପାଇଁ ରାଖୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପରସ୍ପର ହାତରେ ରାକ୍ଷୀ ବାନ୍ଧି ଏକାତ୍ମ, ଏକରସ ଓ ସମରସ ସମାଜ ନିର୍ମାଣ କରିବା ଆବଶ୍ୟକ ।
ଆଦର୍ଶ ସମାଜ ରଚନା ଦିଗରେ ରକ୍ଷାବନ୍ଧନ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ । ଆଦର୍ଶ ସମାଜର ସ୍ଥିତି ସମ୍ପର୍କରେ ଅନେକ ଚିନ୍ତାଶୀଳ ମନୀଷୀ ଏବଂ ସାମାଜିକ ତତ୍ତ୍ୱବିତ୍ ମାନେ ସ୍ୱପ୍ନ ଦେଖିଛନ୍ତି । ଆଧୁନିକ ଯୁଗରେ କାର୍ଲମାର୍କ୍ସ ଏକ ଶୋଷଣମୁକ୍ତ, ସାମ୍ୟବାଦୀ ଏବଂ ଶାସନବିହୀନ ସମାଜର ସ୍ୱପ୍ନ ଦେଖିଥିଲେ । ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସା ଉପରେ ଆଧାରିତ ଏକ ସର୍ବୋଦୟ ସମାଜର ସ୍ୱପ୍ନ ଦେଖିଥିଲେ । ଡ. ବାବା ସାହେବ ଭୀମରାଓ ଆମ୍ବେଦକର ସାମ୍ୟ, ମୈତ୍ରୀ, ସ୍ୱାଧୀନ ଚିନ୍ତା ଏବଂ ନ୍ୟାୟ ଉପରେ ପ୍ରତିଷ୍ଠିତ ସମାଜ ରଚନାର ସ୍ୱପ୍ନ ଦେଖିଥିଲେ । କିନ୍ତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏପରି କୌଣସି କାଳ୍ପନିକ ତଥା ଆଦର୍ଶ ସମାଜର ଚିତ୍ର ରଖିନାହିଁ । ପ୍ରାଚୀନତମ ଇତିହାସର ପୃଷ୍ଠଭୂମିରେ ଏକ ଉତ୍କୃଷ୍ଟ ସମାଜର ପୁନଃ ସଂରଚନାର ଯୋଜନା ସଂଘ କରିଛି; ଯାହା ବାସ୍ତବ ଏବଂ ସମ୍ଭବପର। ସମାଜର ସମରସତା ନିର୍ମାଣ ହେଲେ ସମାଜ ସୁଦୃଢ଼ ହେବ । ପରସ୍ପର ମଧ୍ୟରେ ମୈତ୍ରୀଭାବ, ସମାନତା, କାହା ପ୍ରତି ଅନ୍ୟାୟ ଆଚରଣ ନକରି ନାଗରିକମାନେ ଏକ ପ୍ରକାର ସାମଗ୍ରିକ ସମରସତା ଉପଲବ୍ôଧ କଲେ ସମାଜ ଉନ୍ନତି କରିବ ।
ଆମେ ସମସ୍ତେ ମନୁଷ୍ୟ ଯୋନିରୁ ଜନ୍ମ ନେଇଛୁ । ପ୍ରତ୍ୟେକ ବ୍ୟକ୍ତି ସମାନ ହେଲେ ମଧ୍ୟ ଏକା ଭଳି ନୁହେଁ । ଜନ୍ମରୁ କେହି ବେଶୀ ବୁଦ୍ଧିମାନ ଓ କେହି କମ୍ ବୁଦ୍ଧିମାନ, କେହି ଦେଖିବାକୁ ଗୋରା ଓ କେହି କଳା, କେହି ଡେଙ୍ଗା ତ କେହି ଗେଡ଼ା । ଏହି ପ୍ରକାର ଭିନ୍ନ ଭିନ୍ନ ଚେହେରା, ଭିନ୍ନ ରୁଚି, ଭିନ୍ନ ସ୍ୱଭାବ ନେଇ ଆମେ ଜନ୍ମ ହୋଇଥାଉ । ତେଣୁ କେତେକ ପାଶ୍ଚାତ୍ୟ ଦାର୍ଶନିକ କହନ୍ତି, ଯେହେତୁ ଜନ୍ମରୁ ଆମ ମଧ୍ୟରେ ଗୁଣ ଏବଂ ସାମର୍ଥ୍ୟ ଦୃଷ୍ଟିରୁ ଅସମାନତା ରହିଛି, ତେଣୁ ମନୁଷ୍ୟ ମଧ୍ୟରେ ଏକାତ୍ମତା ନିର୍ମାଣ ଅସମ୍ଭବ । କିନ୍ତୁ ସଂଘର ଦୃଷ୍ଟିକୋଣ ହେଉଛି- “ଚେତନା ଏକ, ତା’ର ବିଭିନ୍ନ ରୂପ ରହିଛି । ଆତ୍ମା ହିଁ ଏକମାତ୍ର ବାସ୍ତବ ଆଧାର; ଯାହା ସମସ୍ତଙ୍କ ଭିତରେ ସମାନ ରୂପେ ବିଦ୍ୟମାନ । ଚୈତନ୍ୟ ସମସ୍ତଙ୍କ ମଧ୍ୟରେ ସମାନ ମାତ୍ରାରେ ରହିଛି, ଯେଉଁ କାରଣରୁ ସମସ୍ତଙ୍କ ଆଚରଣରେ ପରସ୍ପର ପ୍ରତି ପ୍ରେମ ଭାବ ବିଦ୍ୟମାନ ଏବଂ ବ୍ୟକ୍ତିକୁ ପରମାତ୍ମାଙ୍କ ଅଂଶବିଶେଷ ଭାବି ନିତାନ୍ତ ପ୍ରେମଭାବ ତଥା ବିଶ୍ୱକୁ ପରମେଶ୍ୱରଙ୍କ ବ୍ୟକ୍ତ ରୂପ ବୋଲି ସ୍ୱୀକାର କରି ବିଶୁଦ୍ଧ ପ୍ରେମ ଭାବ ହିଁ ସାମ୍ୟାବସ୍ଥାର ଅଭିବ୍ୟକ୍ତି ଅଟେ ।” ସମରସତା ସମ୍ପନ୍ନ ସାମାଜିକ ଜୀବନ ଦର୍ଶନର ଏହା ହିଁ ମୂଳ ଭିତ୍ତିଭୂମି ।
ଜନ୍ମତଃ ଯେଉଁ ଅସମାନତା ପରିଲକ୍ଷିତ ହୁଏ, ତାହାକୁ ବୈଷମ୍ୟ ଭାବିବା ଭୁଲ ଅଟେ । ଏହି ଉକ୍ତିକୁ ଅଧିକ ସ୍ପଷ୍ଟ କରାଯାଇ ବୃକ୍ଷର ଦୃଷ୍ଟାନ୍ତ ନିଆଯାଇପାରେ । ବୃକ୍ଷ ଏକ, କିନ୍ତୁ ସେଥିରେ ଫଳ, ପୁଷ୍ପ ଓ ଶାଖା ପ୍ରତ୍ୟେକ ପ୍ରତ୍ୟେକ ଠାରୁ ଭିନ୍ନ । କିନ୍ତୁ ସମସ୍ତେ ଜାଣିଛନ୍ତି ଏସବୁ ଭିନ୍ନ ହେଲେ ମଧ୍ୟ ସମସ୍ତେ ଏକ ଅଭିନ୍ନ ବୃକ୍ଷର ବିଭିନ୍ନ ଅଭିବ୍ୟକ୍ତି ମାତ୍ର । ସେହିପରି ମନୁଷ୍ୟର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଥିଲେ ମଧ୍ୟ ମନୁଷ୍ୟର ଚୈତନ୍ୟ ଶକ୍ତି ଏକ । ଏହି ଦୃଷ୍ଟିକୋଣରୁ ସାମାଜିକ ଜୀବନରେ ପରିଲକ୍ଷିତ ବିଭିନ୍ନତାକୁ ବିଚାର କରାଯାଇଥାଏ ଏବଂ ହଜାର ହଜାର ବର୍ଷ ଧରି ଏହି ଦୃଷ୍ଟିଭଙ୍ଗୀ ଆମ ସଂସ୍କୃତିରେ ବିକଶିତ ହୋଇ ଆସିଛି ।
ଭାରତୀୟ ହିନ୍ଦୁ ଦର୍ଶନରେ କୌଣସି ଆଧାରରେ ସମାଜର ବୈଷମ୍ୟ ଗ୍ରହଣୀୟ ନୁହେଁ । ପ୍ରାଚୀନ କାଳରୁ ହିନ୍ଦୁ ଦର୍ଶନ ସାମାଜିକ ସମରସତାର ବାର୍ତ୍ତା ସ୍ପଷ୍ଟ ଶବ୍ଦରେ ପ୍ରତିପାଦିତ କରି ଆସିଛି ଶ୍ରୀମଦ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, “ବିଦ୍ୟା ବିନୟ ସମ୍ପନ୍ନେ, ବ୍ରାହ୍ମଣେ ଗବି ହସ୍ତିନି, ଶୁନି, ଚୈବ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ (୫-୧୮) ଅର୍ଥାତ୍ ସେହି ଜ୍ଞାନୀମାନେ ବିଦ୍ୟା ଓ ବିନୟଯୁକ୍ତ ବ୍ରାହ୍ମଣଙ୍କଠାରେ ତଥା ଗୋ, ହସ୍ତୀ, କୁକୁର ଏବଂ ଚଣ୍ଡାଳଠାରେ ମଧ୍ୟ ସମଦର୍ଶୀ ହୋଇଥାଆନ୍ତି । ଗୀତାରେ ଉଲ୍ଲିଖିତ ଅଛି “ସର୍ବଭୂତ- ସ୍ଥମାତ୍ମନଂ ସର୍ବଭୂତାନି ଚାତ୍ମନି, ଈକ୍ଷତେ ଯୋଗଯୁତ୍କାତ୍ମା ସର୍ବତ୍ର ସମଦର୍ଶନଃ (୬-୨୯) ଅର୍ଥାତ୍ ସର୍ବବ୍ୟାପୀ ଅନନ୍ତ ଚେତନରେ ଅର୍ଥାତ୍ ପରବ୍ରହ୍ମ ପରମାତ୍ମାରେ ଏକୀଭାବରେ ସ୍ଥିତିରୂପ ଯୋଗଦ୍ୱାରା ଯୁକ୍ତ ଆତ୍ମବାନ ତଥା ସର୍ବତ୍ର ସମଭାବ ଦର୍ଶନ କରୁଥିବା ଯୋଗୀ ଆତ୍ମାକୁ ସକଳ ଭୂତରେ ଅବସ୍ଥିତ ଓ ସକଳ ଭୂତଙ୍କୁ ଆତ୍ମାରେ କଳ୍ପିତ ହୋଇଥିବା ଦେଖନ୍ତି । ଈଶୋପନିଷଦର ବାଣୀ ହେଲା “ଯସ୍ତୁ ସର୍ବାଣି ଭୂତାନି ଆତ୍ମନ୍ୟେବାନୁପଶ୍ୟତି । ସର୍ବଭୂତେଷୁ ଚାତ୍ମାନଂ ତତୋ ନ ବିଜୁଗୁପ୍ସତେ । (ମନ୍ତ୍ର-୬) ଅର୍ଥାତ୍ ଯେ ସବୁ ପ୍ରାଣୀଙ୍କୁ ଆତ୍ମାରେ ଓ ସବୁ ପ୍ରାଣୀଙ୍କ ମଧ୍ୟରେ ଆତ୍ମାକୁ ହିଁ ଦେଖନ୍ତି ସେ କାହାକୁ ଘୃଣା କରନ୍ତି ନାହିଁ । ଭାରତୀୟ ଦର୍ଶନ ଅନୁସାରେ ‘ଶୂଦ୍ରୋପି ଶୀଳ ସମ୍ପନ୍ନୋ, ଗୁଣବାନ ବ୍ରାହ୍ମଣୋ ଭବେତ । ବ୍ରାହ୍ମଣୋପି କ୍ରିୟାହୀନ ଶୂଦ୍ରାତ ପ୍ରତ୍ୟବରୋ ଭବେତ (ଅର୍ଥାତ୍ ଶୀଳସମ୍ପନ୍ନ ହୋଇପାରିଲେ ଶୂଦ୍ର ମଧ୍ୟ ଗୁଣବାନ ବ୍ରାହ୍ମଣ ପରି ହୋଇଯିବ । ବ୍ରାହ୍ମଣ ନିଜ କର୍ମରୁ ସ୍ଖଳିତ ହେଲେ ଶୂଦ୍ରଠାରୁ ମଧ୍ୟ ନିକୃଷ୍ଟ ହୋଇଯିବ । ପୁନଶ୍ଚ ଆମ ଦର୍ଶନ କହେ “ଜନ୍ମନା ଜାୟତେ ଶୂଦ୍ରଂ, ସଂସ୍କାରାତ ଦ୍ୱିଜ ଉଚ୍ୟତେ, ବିଦ୍ୟାଭ୍ୟାସେ ଭବେତ ବିପ୍ର, ବ୍ରହ୍ମ ଜାନାତି ବ୍ରାହ୍ମଣ” ଅର୍ଥାତ୍ ଜନ୍ମରୁ ସମସ୍ତେ ଶୂଦ୍ର ଅଟନ୍ତି, ସଂସ୍କାର ପ୍ରାପ୍ତ ହେଲେ ଦ୍ୱିଜ ବୋଲାନ୍ତି, ବିଦ୍ୟାଭ୍ୟାସ କଲେ ବିପ୍ର ହୁଅନ୍ତି ଏବଂ ବ୍ରହ୍ମଙ୍କୁ ଜାଣିବା ପରେ ହିଁ ବ୍ରାହ୍ମଣ ହୁଅନ୍ତି । ରାମଚରିତ ମାନସରେ ରାମରାଜ୍ୟର ମହତ୍ତ୍ୱ ପ୍ରତିପାଦିତ କରି କୁହାଯାଇଛି “ଦୈହିକ ଦୈବିକ, ଭୌତିକ ତାପା, ରାମ ରାଜ ନହିଁ କାହୁ ହିଁ ବ୍ୟାପା ସବ ନର କର ହିଁ ପରସ୍ପର ପ୍ରୀତି, ଚଲ ହିଁ ସ୍ୱଧର୍ମ ନିରତ ଶ୍ରୁତି ନୀତି ।” ଏଠାରେ ଉଲ୍ଲେଖନୀୟ ଯେ ରାମରାଜ୍ୟରେ ସମସ୍ତେ ସମସ୍ତଙ୍କ ପ୍ରତି ପ୍ରୀତି ଭାବର ପୋଷଣ କରନ୍ତି । ସେଠାରେ ଘୃଣା କିମ୍ବା ଈର୍ଷାର ସ୍ଥାନ ନାହିଁ । ସାମାଜିକ ସମରସତା ବ୍ୟତିରେକେ ଆମର ଅଭୀପ୍ସିତ ସାମାଜିକ ଐକ୍ୟ କଦାପି ସାଧିତ ହୋଇପାରିବ ନାହିଁ । ‘ସମାଜୈକ୍ୟମଭୀଷ୍ଟଂ ନୋ ବୈଷମ୍ୟେନ ନ ସାଧ୍ୟତେ । ସମାଜ ସମରସାତ୍ ବୈ ନାନ୍ୟ ପନ୍ଥା ହିଁ ବିଦ୍ୟତେ ।” ଅତଏବ ଐକ୍ୟ ପ୍ରତିଷ୍ଠା ପାଇଁ ସମାଜରେ ସମରସତା ହିଁ ଏକମାତ୍ର ପନ୍ଥା ଅଟେ । ଏତଦ୍ ବ୍ୟତୀତ କୌଣସି ପନ୍ଥା ନାହିଁ ।
ଆଜି ଭାରତୀୟ ସମାଜ ବିଭିନ୍ନ ଜାତି, ବର୍ଣ୍ଣ ଓ ଉପଜାତିରେ ଖଣ୍ଡବିଖଣ୍ଡିତ । ହିନ୍ଦୁ ସମାଜ ମଧ୍ୟରେ କୌଣସି ବ୍ୟକ୍ତି ‘ହିନ୍ଦୁ’ ବୋଲି କମ୍ ପରିଚିତ, କିନ୍ତୁ ସେ ଯେଉଁ ପରିବାରରେ ଜନ୍ମ, ତା’ର ଜାତି ଓ ବର୍ଣ୍ଣର ଅଧିକ ପରିଚୟ ଦେଇଥାଏ । ଆଜିର ଜାତିପ୍ରଥା ଏବଂ ବର୍ଣ୍ଣପ୍ରଥା ଜନ୍ମଗତ ଅଟେ ଏବଂ ତାହା ହିଁ ସାମାଜିକ ବୈଷମ୍ୟର ମୂଳ କାରଣ । ଜାତି ଆଧାରରେ ଶ୍ରେଣୀବଦ୍ଧ ଜୀବନଯାପନ ମନୁଷ୍ୟର ବିଶେଷତ୍ୱ ହୋଇଛି । ଏକ ଜାତିରୁ ଅନ୍ୟ ଏକ ଜାତିକୁ ପରିବର୍ତ୍ତିତ ହେବା ଅସମ୍ଭବ । ଶ୍ରେଣୀବଦ୍ଧ ଜୀବନକୁ କେନ୍ଦ୍ର କରି ଧାର୍ମିକ, ସାମାଜିକ, ଅଥନୈତିକ, ରାଜନୈତିକ ଏବଂ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ଅଧିକାରକୁ ସାମାଜିକ ବିଷମତା ଆଧାରରେ ବିଭକ୍ତ କରାଯାଇଛି; ତଦ୍ଦ୍ୱାରା କେତେକ ଜାତିକୁ ଜନ୍ମତଃ ଅପବିତ୍ର ବୋଲି କହି ସେମାନଙ୍କୁ ଅସ୍ପୃଶ୍ୟ ବୋଲି ଧରି ନିଆଯାଇଛି । ବ୍ରାହ୍ମଣ ଜାତିକୁ ଜନ୍ମରୁ ପବିତ୍ର ବୋଲି ଆଖ୍ୟା ଦିଆଯାଇଛି । ଏପରିକି ଜାତି-ବର୍ଣ୍ଣ, ଅସ୍ପୃଶ୍ୟତା ଇତ୍ୟାଦି ହିନ୍ଦୁ ଧର୍ମର ଏକ ଅଂଶବିଶେଷ ବୋଲି କୁହାଯାଇଛି । ଧର୍ମୀୟ ସ୍ୱୀକୃତିର ସନ୍ତକ ମିଳୁଥିବାରୁ ବର୍ଣ୍ଣ, ଜାତି ଏବଂ ଅସ୍ପୃଶ୍ୟତା ଅପରିବର୍ତ୍ତନୀୟ ବୋଲି ମଧ୍ୟ କୁହାଯାଇଛି । ସମାଜର ଏକ ବୃହତ୍ ବର୍ଗ ଏହି ଜାତିଆଣ ଭାବନା ଯୋଗୁଁ ହଜାର ହଜାର ବର୍ଷ ଧରି ଦାରିଦ୍ର୍ୟ ଓ ଅଜ୍ଞାନତାର ଶିକାର ହୋଇ ଆସିଛି । ଏହି କାରଣରୁ ସମାଜରେ ଅନେକ ଶ୍ରେଣୀ ଆର୍ଥିକ, ଶୈକ୍ଷିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ପଛୁଆ ଅଛନ୍ତି । ସମରସତାପୂର୍ଣ୍ଣ ସମାଜ ନିର୍ମାଣ ଦିଗରେ ସମାଜରେ ସାମ୍ୟାବସ୍ଥା ଗଠନ ଦିଗରେ ଉକ୍ତ ବର୍ଣ୍ଣକୁ କେନ୍ଦ୍ର କରି ଜାତିଗତ ଭେଦଭାବ ଏକ ବିରାଟ ଅନ୍ତରାୟ ଭାବେ ବିଦ୍ୟମାନ ।
ଅବଶ୍ୟ ଏହିପରି ବିଭାଜନ ପଛରେ ଏକ ବିରାଟ ସୁନିୟୋଜିତ ଷଡ଼ଯନ୍ତ୍ର ଆଜି ରହିଛି । ଆମକୁ ଉକ୍ତ ଯୋଜନାକୁ ଭାଙ୍ଗିବାକୁ ହେବ, ଯେପରି ସଂଘ ଏହାର ସମାଧାନ ପନ୍ଥା ବାହାର କରି ମନୁଷ୍ୟର ଉଦାହରଣ ଉପସ୍ଥାପନ କରିଛି । ମାନବ ଶରୀରରେ ବିଭିନ୍ନ ଆକାର ବିଶିଷ୍ଟ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଅନେକ ଅଙ୍ଗପ୍ରତ୍ୟଙ୍ଗ ରହିଛି । କିନ୍ତୁ କୌଣସି ଅଙ୍ଗପ୍ରତ୍ୟଙ୍ଗ ଶରୀରର କ୍ଷତି ହେଲା ପରି କାର୍ଯ୍ୟ କରନ୍ତି ନାହିଁ । ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟାବଳୀ ପରସ୍ପରର ପରିପୂରକ ଏବଂ ପରସ୍ପର ଅନୁକୂଳ ହୋଇଥାଏ । ଯେପରି ଅନେକ ଅଙ୍ଗପ୍ରତ୍ୟଙ୍ଗ ବିଶିଷ୍ଟ ମାନବ ଶରୀର ଭଳି ସମରସତା, ବିଭିନ୍ନ ଶ୍ରେଣୀ ଦ୍ୱାରା ସଂଘଟିତ କାର୍ଯ୍ୟାବଳୀ ଆଧାରରେ ଆମ ସମାଜରେ ଭିନ୍ନ ଭିନ୍ନ ଜାତି, ବର୍ଣ୍ଣ ଥିଲେ ମଧ୍ୟ ସମରସତା ସମ୍ଭବପର । ସଂଘର ଦ୍ୱିତୀୟ ସରସଂଘଚାଳକ ପୂଜନୀୟ ଶ୍ରୀ ଗୁରୁଜୀ କହୁଥିଲେ- “ସମାଜ ଏକ ଜୀବନ୍ତ ଏକକ । ଜୀବନ ବିକାଶର ସର୍ବୋତ୍ତମ ରୂପ ହେଉଛି ମାନବ ଶରୀର । ତେଣୁ କୌଣସି ଜୀବନ୍ତ ଶରୀରର ସଂରଚନା କରିବାକୁ ହେଲେ ମାନବ ଶରୀର ଅନୁରୂପ ହେବା ଅତ୍ୟନ୍ତ ଆବଶ୍ୟକ । ସମାଜ ରଚନା ମଧ୍ୟ ଯଦି ଜୀବନ୍ତ ମାନବର ଅନୁରୂପ ହୁଏ, ତାହା ସୃଷ୍ଟିର ବିଧାନସମ୍ମତ ହେବା ଯୋଗୁଁ ଅଧିକ ଉପଯୋଗୀ ହେବ ।”
ଅସ୍ପୃଶ୍ୟତା କେବଳ ଅସ୍ପୃଶ୍ୟମାନଙ୍କର ସମସ୍ୟା ନୁହେଁ, ସମ୍ପୂର୍ଣ୍ଣ ସମାଜର ସମସ୍ୟା । କିଏ କେଉଁ କୂଳରେ ଜନ୍ମ ହେବ, ତାହା କାହା ଆୟତ୍ତରେ ନାହିଁ । ମୁଁ କାହା ଔରସରୁ ଜନ୍ମଗ୍ରହଣ କରିବି, ତାହା ମୁଁ କହିପାରିବି ନାହିଁ । ତେଣୁ ଅସ୍ପୃଶ୍ୟତା ସବର୍ଣ୍ଣମାନଙ୍କ ମନରେ ଥିବା ସଂକୀର୍ଣ୍ଣତାର ଅଭିବ୍ୟକ୍ତି ମାତ୍ର । ଏଣୁ ଅସ୍ପୃଶ୍ୟତା ସମାପ୍ତ କରିବା ପାଇଁ ଏହି ସଙ୍କୁଚିତ ଭାବନାକୁ ସମାପ୍ତ କରିବାକୁ ହେବ । ଏହାର ନିବାରଣ ପାଇଁ ସବର୍ଣ୍ଣ ବା ଉଚ୍ଚ ଜାତି ବର୍ଗ, ମଠାଧୀଶ, ଧର୍ମାଚାର୍ଯ୍ୟ ମାନଙ୍କର ବହୁତ ଭୂମିକା ରହିଛି । ଏମାନଙ୍କ ଦ୍ୱାରା ହିଁ ଏହି ଅସ୍ପୃଶ୍ୟତା ନିବାରଣ ହୋଇ ପାରିବ । ସବର୍ଣ୍ଣ ବା ଉଚ୍ଚଜାତି ବର୍ଗ ସହିତ ସାଧୁସନ୍ଥମାନେ ଏକରସ ସମାଜ ନିର୍ମାଣ ପାଇଁ ନିମ୍ନବର୍ଗ ଓ ପଛୁଆ ଜାତିମାନଙ୍କୁ ଆତ୍ମୀୟତାର ସୂତ୍ରରେ ବାନ୍ଧିବାକୁ ପ୍ରଚେଷ୍ଟା କରନ୍ତୁ ।
ଏଥିପାଇଁ ରକ୍ଷାବନ୍ଧନ ଉତ୍ସବ ଏହି ଉଚ୍ଚଜାତି, ମଠାଧୀଶ, ସାଧୁସନ୍ଥ, ଧର୍ମାଚାର୍ଯ୍ୟଙ୍କ ପାଇଁ ଏକ ସୁବର୍ଣ୍ଣସୁଯୋଗ । ସେମାନେ ସମାଜରେ ଥିବା ନିମ୍ନବର୍ଗ, ପଛୁଆ ଜାତି, ଦଳିତ ନିଷ୍ପେଷିତ ବସ୍ତିକୁ ଯାଇ ଆତ୍ମୀୟତାପୂର୍ବକ ସେମାନଙ୍କ ହାତରେ ରାଖୀ ବାନ୍ଧିବା ଆବଶ୍ୟକ । ସମାଜର ମୁଖ୍ୟ ଧାରାରେ ସେମାନଙ୍କୁ ସାମିଲ କରିବାକୁ ହେଲେ ଏହିପରି ଉତ୍ସବମାନଙ୍କରେ ନିୟମିତ କାର୍ଯ୍ୟ କରିବା ଆବଶ୍ୟକ । ସେମାନଙ୍କୁ ସାମାଜିକ ସମରସତା ସନ୍ଦେଶ ଦେବା ସହ ସମାଜକୁ ସୁଦୃଢ଼ କରିବା ଆବଶ୍ୟକ । ସମାଜର ଏହି ଦୁର୍ବଳ ଅଂଶକୁ ରକ୍ଷା ସୂତ୍ରରେ ବାନ୍ଧି ଏକାତ୍ମତା ସମରସତାର ବାର୍ତ୍ତା ପ୍ରଦାନ କରିବା ଆବଶ୍ୟକ । ଏହି ଆହ୍ୱାନକୁ ସ୍ୱୀକାର କରି ସମସ୍ତେ ଯଦି କାର୍ଯ୍ୟ କରିବେ ତେବେ ଦେଶ ପରମ ବୈଭବଶାଳୀ ହେବ ।
ଆଡ଼ଭୋକେଟ, ଖଟବିନସାହି, କଟକ
ମୋ-୯୪୩୭୦୧୬୩୮୪