କନ୍ୟା ପୂଜନ କରାଯାଉଥିବା ଦେଶରେ କନ୍ୟା ଦୁଷ୍କର୍ମ କାହିଁକି?

କନ୍ୟା ପୂଜନ କରାଯାଉଥିବା ଦେଶରେ କନ୍ୟା ଦୁଷ୍କର୍ମ କାହିଁକି?

ଭାରତୀୟ ସଭ୍ୟତା ଓ ସଂସ୍କୃତିର ମହନୀୟ ଆଦର୍ଶ ହେଉଛି ନାରୀଙ୍କ ପ୍ରତି ଶ୍ରଦ୍ଧାଭାବ । ଏହି ଦେଶରେ ନାରୀ କେବଳ ପରିବାରରେ ଜଣେ ସଦସ୍ୟ ନୁହେଁ, ଜାୟା ,ଜନନୀ , ଭଗିନୀ ମଧ୍ୟ ନୁହେଁ ସେ ସମଗ୍ର ସୃଷ୍ଟିର ଉତ୍ସ, ସଂସ୍କାରର ବାହକ ଓ ଶକ୍ତିର ଚିରନ୍ତନ ପ୍ରତୀକ। ସେଥିପାଇଁ କନ୍ୟା ପୂଜନର ପରମ୍ପରା କେବଳ ଧାର୍ମିକ ବିଧିବିଧାନରେ ସୀମିତ ନୁହେଁ; ଏହା ଭାରତୀୟ ଜୀବନଦର୍ଶନର ଏକ ଜୀବନ୍ତ ପରିପ୍ରକାଶ । ଅର୍ଦ୍ଧନାରୀଶ୍ୱରଙ୍କ ଦର୍ଶନ ଆମକୁ ଶିକ୍ଷା ଦିଏ ଯେ, ଶିବ ଶକ୍ତି ବିନା ଅପୂର୍ଣ୍ଣ। ଅର୍ଥାତ୍ ନାରୀ ଓ ପୁରୁଷ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ପରିପୂରକ।
କିନ୍ତୁ ଏଠାରେ ଏକ ଅସ୍ୱସ୍ଥିକର ପ୍ରଶ୍ନ ମୁଣ୍ଡ ଟେକେ—ଯେଉଁ ସମାଜ କନ୍ୟାଙ୍କୁ ଦେବୀରୂପେ ପୂଜା କରେ, ସେହି ସମାଜରେ କନ୍ୟାମାନେ କାହିଁକି ଅସୁରକ୍ଷିତ? କାହିଁକି ଆମ ସମ୍ବାଦପତ୍ରର ପୃଷ୍ଠାରେ ପ୍ରାୟ ପ୍ରତିଦିନ ଶିଶୁ ଓ ମହିଳାଙ୍କ ବିରୋଧରେ ଜଘନ୍ୟ ଅପରାଧର ଖବରମାନ ସ୍ଥାନ ପାଉଛି? ଏହା କେବଳ ଅପରାଧର ବୃଦ୍ଧି ନୁହେଁ; ଏହା ଆମ ସାମାଜିକ ଚେତନାର ଅବକ୍ଷୟ ଏବଂ ନୈତିକ ମୂଲ୍ୟବୋଧର ସଙ୍କଟ ।
ଆଜି ଆମେ ଅନେକ ସମୟରେ ଅପରାଧ ପାଇଁ ପ୍ରଶାସନ, ପୋଲିସ କିମ୍ବା ଆଇନ ବ୍ୟବସ୍ଥାକୁ ଦାୟୀ କରୁଛୁ। ନିଶ୍ଚିତ ଭାବେ ସେମାନଙ୍କର ଦାୟିତ୍ୱ ରହିଛି, କିନ୍ତୁ ସମସ୍ୟାର ମୂଳ ତାହାଠାରୁ ଅଧିକ ଗଭୀର। ସଂସ୍କାରର ସ୍ଥାନରେ ଯେତେବେଳେ ସ୍ୱାର୍ଥ, ସଂଯମର ସ୍ଥାନରେ ଭୋଗବାଦ ଓ ଦାୟିତ୍ୱବୋଧର ସ୍ଥାନରେ ଉଦାସୀନତା ସ୍ଥାନ ପାଏ, ସେତେବେଳେ ସମାଜରେ ଅପରାଧର ବୀଜ ଅଙ୍କୁରିତ ହୁଏ। ସେଥିପାଇଁ ଏହି ସମସ୍ୟାର ସମାଧାନ କେବଳ କଠୋର ଦଣ୍ଡରେ ନୁହେଁ; ବରଂ ସୁସ୍ଥ ସଂସ୍କାରର ପୁନଃପ୍ରତିଷ୍ଠାରେ ନିହିତ।
ଶିଶୁର ପ୍ରଥମ ବିଦ୍ୟାଳୟ ହେଉଛି ପରିବାର। ସେଠାରେ ହିଁ ନାରୀଙ୍କ ପ୍ରତି ସମ୍ମାନ, ଶାଳୀନତା, ସହାନୁଭୂତି ଓ ସମାନତାର ବୀଜ ବପନ କରିବାକୁ ହେବ। ପୁଅମାନଙ୍କୁ ଏହା ଶିଖାଇବା ଆବଶ୍ୟକ ଯେ, ନାରୀ କେବେବି ବସ୍ତୁ ନୁହେଁ; ସେ ଜଣେ ସ୍ୱାଧୀନ ବ୍ୟକ୍ତିତ୍ୱ, ଯାହାଙ୍କର ସମ୍ମାନ ଓ ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବା ସମାଜର କର୍ତ୍ତବ୍ୟ। ସେହିପରି ଝିଅମାନଙ୍କୁ ଶିକ୍ଷିତ, ସ୍ୱାବଲମ୍ବୀ, ଆତ୍ମବିଶ୍ୱାସୀ ଓ ଆତ୍ମରକ୍ଷାରେ ସକ୍ଷମ କରି ଗଢ଼ି ତୋଳିବା ମଧ୍ୟ ଆମର ସାମୂହିକ ଦାୟିତ୍ୱ।
ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଆତ୍ମସମୀକ୍ଷା କରିବାକୁ ହେବ। କେବଳ ଉଚ୍ଚ ନମ୍ବର କିମ୍ବା ଚାକିରିମୁଖୀ ଶିକ୍ଷା ଏକ ସୁସ୍ଥ ସମାଜ ଗଢ଼ିପାରିବ ନାହିଁ। ବିଦ୍ୟାଳୟରେ ନୈତିକ ଶିକ୍ଷା, ସାମାଜିକ ଦାୟିତ୍ୱବୋଧ, ସାମ୍ବିଧାନିକ ମୂଲ୍ୟବୋଧ ଓ ଚରିତ୍ର ଗଠନକୁ ଶିକ୍ଷାର ଅବିଚ୍ଛେଦ୍ୟ ଅଂଶ କରିବାର ସମୟ ଆସିଛି। ସେହିପରି ଡିଜିଟାଲ୍ ଯୁଗରେ ପିଲାମାନଙ୍କ ମୋବାଇଲ୍ ଓ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ ପରିବାରର ନଜର ଅତ୍ୟାବଶ୍ୟକ।
ଅନ୍ୟପକ୍ଷରେ, ଆଇନ ବ୍ୟବସ୍ଥା ଅଧିକ ସକ୍ରିୟ, ସମ୍ବେଦନଶୀଳ ଓ ପ୍ରଭାବଶାଳୀ ହେବା ଦରକାର। ନାରୀ ଓ ଶିଶୁଙ୍କ ବିରୋଧରେ ଘଟୁଥିବା ଜଘନ୍ୟ ଅପରାଧର ତ୍ୱରିତ ତଦନ୍ତ, ଫାଷ୍ଟ-ଟ୍ରାକ୍ କୋର୍ଟ ମାଧ୍ୟମରେ ଶୀଘ୍ର ବିଚାର ଏବଂ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ନ୍ୟାୟ ପ୍ରତି ଜନବିଶ୍ୱାସକୁ ସୁଦୃଢ଼ କରିବ। ଏହ୍ରା ସହିତ ପୀଡ଼ିତା ଓ ତାଙ୍କ ପରିବାର ପ୍ରତି ସମ୍ବେଦନଶୀଳ ଆଭିମୁଖ୍ୟ ମଧ୍ୟ ସମାନ ଗୁରୁତ୍ୱ ବହନ କରେ।
ସାମାଜିକ ଓ ଧାର୍ମିକ ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଗଣମାଧ୍ୟମ ମଧ୍ୟ ଏହି ସାମାଜିକ ଦାୟିତ୍ୱରୁ ମୁକ୍ତ ନୁହନ୍ତି। ସେମାନେ ନାରୀ ସମ୍ମାନ, ପାରିବାରିକ ମୂଲ୍ୟବୋଧ ଓ ସାମାଜିକ ସଚେତନତାର ପ୍ରସାରରେ ନିରନ୍ତର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଉଚିତ। କାରଣ ସମାଜରେ ସ୍ଥାୟୀ ପରିବର୍ତ୍ତନ ଆଇନ ଦ୍ୱାରା ନୁହେଁ, ଜନଚେତନା ଓ ଚରିତ୍ର ନିର୍ମାଣ ଦ୍ୱାରା ସମ୍ଭବ।

ଶେଷରେ ଏହା ସ୍ପଷ୍ଟ ଭାବେ କୁହାଯାଇପାରେ ଯେ, କନ୍ୟା ପୂଜନର ପ୍ରକୃତ ଅର୍ଥ ମନ୍ଦିରରେ କନ୍ୟାଙ୍କ ପାଦ ପ୍ରକ୍ଷାଳନରେ ନୁହେଁ; ବରଂ ପ୍ରତ୍ୟେକ କନ୍ୟାର ସମ୍ମାନ, ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣକୁ ସୁନିଶ୍ଚିତ କରିବାରେ ନିହିତ। ପୂଜାର ଥାଳିରେ ଅର୍ପିତ ଫୁଲ ସେତେବେଳେ ହିଁ ସାର୍ଥକ ହେବ, ଯେତେବେଳେ ସମାଜର ପ୍ରତ୍ୟେକ ଝିଅ ନିର୍ଭୟରେ ବଞ୍ଚିବା, ପଢ଼ିବା ଓ ନିଜ ସ୍ୱପ୍ନ ପୂରଣ କରିବାର ସୁଯୋଗ ପାଇବେ।
ସଂସ୍କୃତିର ସୁରକ୍ଷା କେବଳ ପରମ୍ପରା ପାଳନରେ ନୁହେଁ, ବରଂ ତାହାର ମୂଳ ଆଦର୍ଶକୁ ଜୀବନରେ ଆଚରଣ କରିବାରେ ରହିଛି। କନ୍ୟା ପୂଜନରୁ କନ୍ୟା ସୁରକ୍ଷା ପର୍ଯ୍ୟନ୍ତ ଏହି ଯାତ୍ରା ହିଁ ଭାରତୀୟ ସଂସ୍କୃତିର ବାସ୍ତବ ପରିଚ଼ୟ

Leave a Reply

Your email address will not be published. Required fields are marked *