ଚିତରଂଜନ ମହାପାତ୍ର
ଭାରତୀୟ ସଂସ୍କୃତିର ମୂଳରେ ରହିଛି ଆଧ୍ୟାତ୍ମିକତା। ଏ ଦେଶର ଇତିହାସ, ପରମ୍ପରା, ସାହିତ୍ୟ, ସଙ୍ଗୀତ ଓ କଳାର ପ୍ରତ୍ୟେକ ପର୍ଯ୍ୟାୟରେ ଈଶ୍ୱର ଅନ୍ୱେଷଣର ଏକ ଅଦୃଶ୍ୟ ସ୍ରୋତ ପ୍ରବାହିତ। ଭୌତିକ ସଫଳତାର ଦୌଡ଼ ମଧ୍ୟରେ ମଣିଷ ଯେତେବେଳେ ନିଜ ଅନ୍ତରର ଶାନ୍ତି ହରାଇବାକୁ ବସେ, ସେତେବେଳେ ତାକୁ ଆତ୍ମିକ ଜୀବନର ଅର୍ଥ ଖୋଜିବାକୁ ପଡ଼େ। ଏହି ଚିରନ୍ତନ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାକୁ ଆଧୁନିକ ଚଳଚ୍ଚିତ୍ରର ଭାଷାରେ ଉପସ୍ଥାପନ କରିବାର ପ୍ରୟାସ ହେଉଛି ‘ହନୁମାନ ଅଂଶ’।
ଏହି ଚଳଚ୍ଚିତ୍ରର କେନ୍ଦ୍ରରେ ଅଛନ୍ତି ଭାରତର ଅନ୍ୟତମ ପ୍ରସିଦ୍ଧ ଆଧ୍ୟାତ୍ମିକ ସାଧକ ନୀମ୍ କରୋଲି ବାବା। ତାଙ୍କର ଜୀବନରେ ଦେଖିବାକୁ ମିଳେ ହନୁମାନଙ୍କ ପ୍ରତି ଅନନ୍ୟ ଭକ୍ତି, ରାମନାମ ପ୍ରତି ଗଭୀର ଅନୁରାଗ ଓ ମାନବ ସେବାର ଉଚ୍ଚ ଆଦର୍ଶ । ଏହାକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି । ନୀମ୍ କରୋଲି ବାବାଙ୍କ ନାମ ଭାରତୀୟ ଆଧ୍ୟାତ୍ମିକ ଜଗତରେ ଏକ ପରିଚିତ ନାମ। ଉତ୍ତରାଖଣ୍ଡର କୈଞ୍ଚି ଧାମ ସହ ତାଙ୍କ ନାମ ଗଭୀର ଭାବରେ ଜଡ଼ିତ।
ଏକ ଶିଶୁର ଈଶ୍ୱର ଅନ୍ୱେଷଣ
ଚଳଚ୍ଚିତ୍ରର କାହାଣୀର ଏକ ଭାବପ୍ରବଣ ଆଧାର ହେଉଛି ମାଆଙ୍କୁ ହରାଇଥିବା ଜଣେ ଶିଶୁର ମାନସିକ ଯାତ୍ରା। ମାଆଙ୍କ ମୃତ୍ୟୁ ତାଙ୍କ ମନରେ ଏକ ଅସମାପ୍ତ ପ୍ରଶ୍ନ ଛାଡ଼ିଯାଏ—ଯାହାକୁ ଆମେ ଭଲପାଉ, ସେ କେଉଁ ଅଜଣା ରାଜ୍ୟକୁ ଚାଲିଯାଏ ? ମୃତ୍ୟୁ ପରେ କ’ଣ ଅଛି ? ଈଶ୍ୱର କିଏ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜୁଖୋଜୁ ଶିଶୁଟିର ମନ ଆଧ୍ୟାତ୍ମିକତା ଦିଗକୁ ଆକୃଷ୍ଟ ହୁଏ। ଭଗବାନ ରାମଙ୍କୁ ପାଇବାର ଆକାଂକ୍ଷା ତାକୁ ଏକ ଦୀର୍ଘ ଆତ୍ମିକ ଯାତ୍ରା ଦିଗରେ ଆଗକୁ ନେଇଯାଏ। ଏଠାରେ ଚଳଚ୍ଚିତ୍ରର କାହାଣୀ କେବଳ ଜଣେ ବ୍ୟକ୍ତିର ଜୀବନୀ ନୁହେଁ ଏହା ପ୍ରତ୍ୟେକ ମଣିଷର ଭିତରେ ଥିବା ସେହି ଚିରନ୍ତନ ପ୍ରଶ୍ନର କାହାଣୀ ହୋଇଯାଏ—‘ମୁଁ କିଏ?’ ‘ମୋ ଜୀବନର ଉଦ୍ଦେଶ୍ୟ କ’ଣ?’
‘ହନୁମାନ ଅଂଶ’ ନାମର ତାତ୍ପର୍ଯ୍ୟ
ଚଳଚ୍ଚିତ୍ରର ଶୀର୍ଷକ ମଧ୍ୟ ଗଭୀର ଅର୍ଥପୂର୍ଣ୍ଣ । ନୀମ୍ କରୋଲି ବାବାଙ୍କ ଜୀବନ ହନୁମାନ ଭକ୍ତି ସହ ଗଭୀର ଭାବରେ ସଂପୃକ୍ତ। ହନୁମାନ ହେଉଛନ୍ତି ଭକ୍ତି, ଶକ୍ତି, ନିଷ୍ଠା, ସେବା ଓ ଆତ୍ମସମର୍ପଣର ପ୍ରତୀକ। ଶ୍ରୀରାମଙ୍କ ପ୍ରତି ହନୁମାନଙ୍କର ଯେଉଁ ନିଷ୍କାମ ଭକ୍ତି, ତାହା ଭାରତୀୟ ଭକ୍ତି ପରମ୍ପରାରେ ଏକ ଅଦ୍ୱିତୀୟ ଆଦର୍ଶ। ନୀମ୍ କରୋଲି ବାବାଙ୍କ ଜୀବନ ଓ ଶିକ୍ଷାରେ ମଧ୍ୟ ଏହି ଭକ୍ତିଭାବ ପ୍ରକାଶ ପାଇଥାଏ। ତେଣୁ ‘ହନୁମାନ ଅଂଶ’କୁ କେବଳ ଏକ ଚଳଚ୍ଚିତ୍ର ଭାବେ ନଦେଖି, ଏହାକୁ ଭକ୍ତି ଓ ସେବାର ଏକ ଆଧ୍ୟାତ୍ମିକ ପ୍ରତୀକ ଭାବେ ବୁଝିବାକୁ ହେବ।
ପରଦାରେ ନୀମ୍ କରୋଲି ବାବା
ଚଳଚ୍ଚିତ୍ରରେ ନୀମ୍ କରୋଲି ବାବାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଶୋଭିନବ ସତ୍ୟା। ଏହି ଚରିତ୍ରଟି ତାଙ୍କ ପାଇଁ ଏକ ଆହ୍ୱାନ ପୂର୍ଣ୍ଣ ଭୂମିକା ଥିଲା, କାରଣ ଏହା କେବଳ ଜଣେ ଐତିହାସିକ ବ୍ୟକ୍ତିଙ୍କୁ ପରଦାରେ ଉପସ୍ଥାପନ କରିବା ନୁହେଁ; ବରଂ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱର ଭାବ, ଚରିତ୍ର ଓ ଅନ୍ତର୍ନିହିତ ଆନନ୍ଦକୁ ଅଭିନୟ ମାଧ୍ୟମରେ ପ୍ରକାଶ କରିବା।
ଚଳଚ୍ଚିତ୍ରର ଆଧ୍ୟାତ୍ମିକ ଦର୍ଶନ
‘ହନୁମାନ ଅଂଶ’ର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଆଧ୍ୟାତ୍ମିକ ଦର୍ଶନ। ଆଜିର ସମୟରେ ମଣିଷ ବୈଜ୍ଞାନିକ ଓ ପ୍ରଯୁକ୍ତିଗତ ଭାବରେ ଅନେକ ଆଗକୁ ବଢ଼ିଥିଲେ ମଧ୍ୟ ମାନସିକ ଶାନ୍ତି ଓ ଆନନ୍ଦର ସନ୍ଧାନରେ ରହିଛି। ଧନ, ପ୍ରତିଷ୍ଠା, ସଫଳତା ଓ ସୁବିଧା ବଢ଼ିଲେ ମଧ୍ୟ ମଣିଷର ଅନ୍ତରର ଶୂନ୍ୟତା ସବୁବେଳେ ପୂରଣ ହୁଏ ନାହିଁ। ଏହି ପରିପ୍ରେକ୍ଷୀରେ ନୀମ୍ କରୋଲି ବାବାଙ୍କ ସରଳ ଜୀବନ ଓ ଭକ୍ତିମୟ ଦର୍ଶନ ଆଧୁନିକ ମଣିଷ ପାଇଁ ଏକ ଭିନ୍ନ ବାର୍ତ୍ତା ଦେଇଥାଏ ।
ଭକ୍ତି ଓ ସେବା—ଦୁଇଟି ଅଲଗା ନୁହେଁ
ଚଳଚ୍ଚିତ୍ରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ‘ସେବା’ର ଧାରଣା। ଭାରତୀୟ ଦର୍ଶନରେ ‘ନର ସେବା ନାରାୟଣ ସେବା’ର ଯେଉଁ ଧାରଣା, ତାହା ଏଠାରେ ପ୍ରତିଫଳିତ ହୋଇଛି ।
ହନୁମାନଙ୍କ ଚରିତ୍ରରେ ମଧ୍ୟ ଏହି ସେବାଭାବ ସର୍ବୋଚ୍ଚ ସ୍ଥାନରେ। ନିଜ ପାଇଁ କିଛି ଚାହିଁବା ନୁହେଁ, ନିଜର ଶକ୍ତିକୁ ଈଶ୍ୱରଙ୍କ କାର୍ଯ୍ୟ ଓ ମାନବ କଲ୍ୟାଣରେ ନିୟୋଜିତ କରିବା—ଏହି ଆଦର୍ଶ ଆଜି ମଧ୍ୟ ସମାନ ଭାବରେ ପ୍ରାସଙ୍ଗିକ।
ସଙ୍ଗୀତରେ ଭକ୍ତିର ସ୍ପର୍ଶ
ଏଠାରେ ସଂଗୀତ କେବଳ ମନୋରଞ୍ଜନ ପାଇଁ ନୁହେଁ; ଏହା କାହାଣୀର ଭାବକୁ ପ୍ରତିଫଳିତ କରେ। ‘ହନୁମାନ ଅଂଶ’ର ଭଜନଗୁଡ଼ିକ ମଧ୍ୟ ଏହି ଉଦ୍ଦେଶ୍ୟକୁ ସାର୍ଥକ କରିଥାଏ। ‘ମୈନେ ତେରେ ହି ଭରୋସେ’ ପରି ଭକ୍ତିମୟ ସଙ୍ଗୀତ ଚଳଚ୍ଚିତ୍ରର ଆଧ୍ୟାତ୍ମିକ ପରିବେଶକୁ ଅଧିକ ଗଭୀର କରିଥାଏ। ଭଜନର ମୂଳ ଭାବ ହେଉଛି ଆତ୍ମସମର୍ପଣ—ମଣିଷ ନିଜର ଅହଂକାର, ଭୟ ଓ ଅନିଶ୍ଚିତତାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରି ମାନସିକ ଶାନ୍ତି ଖୋଜିବା।
ଷ୍ଟିଭ୍ ଜବ୍ସ ଓ ନୀମ୍ କରୋଲି ବାବା
ନୀମ୍ କରୋଲି ବାବାଙ୍କ ପ୍ରଭାବ କେବଳ ଭାରତୀୟ ଭକ୍ତମାନଙ୍କ ମଧ୍ୟରେ ସୀମିତ ନଥିଲା। ବିଶ୍ୱର ଅନେକ ପ୍ରସିଦ୍ଧ ବ୍ୟକ୍ତି ତାଙ୍କ ଆଧ୍ୟାତ୍ମିକ ପରମ୍ପରା ପ୍ରତି ଆକୃଷ୍ଟ ହୋଇଥିଲେ।
ଏହି ପ୍ରସଙ୍ଗରେ ଆପଲ୍ର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ଭାରତ ଯାତ୍ରାର ଉଲ୍ଲେଖ ପ୍ରାୟତଃ କରାଯାଏ। ଯୁବାବସ୍ଥାରେ ଭାରତ ଆସିଥିବା ଜବ୍ସ ଭାରତୀୟ ଆଧ୍ୟାତ୍ମିକତା ପ୍ରତି ଗଭୀର ଆଗ୍ରହ ଦେଖାଇଥିଲେ।
କମ୍ ବଜେଟ୍, ବଡ଼ ପ୍ରଭାବ
ଚଳଚ୍ଚିତ୍ର ଜଗତରେ ବଡ଼ ବଜେଟ୍, ଲୋକପ୍ରିୟ ତାରକା ଓ ବିଶାଳ ପ୍ରଚାର ଅନେକ ସମୟରେ ସଫଳତାର ମୁଖ୍ୟ ମାପଦଣ୍ଡ ବୋଲି ଧରାଯାଏ। କିନ୍ତୁ ‘ହନୁମାନ ଅଂଶ’ର ଚର୍ଚ୍ଚା ଏହି ଧାରଣାକୁ ଏକ ପ୍ରଶ୍ନର ସମ୍ମୁଖୀନ କରିଛି। ପ୍ରକାଶିତ ରିପୋର୍ଟଗୁଡ଼ିକ ଅନୁସାରେ ଫିଲ୍ମଟି ତୁଳନାମୂଳକ ଭାବେ ଅତ୍ୟନ୍ତ କମ୍ ବଜେଟ୍ରେ ନିର୍ମିତ। କିନ୍ତୁ ଦର୍ଶକଙ୍କ ଆଗ୍ରହ ଓ ମୁଖେମୁଖି ପ୍ରଚାର ଏହାକୁ ବ୍ୟବସାୟିକ ଭାବେ ଆଶାଠାରୁ ବଡ଼ ସଫଳତା ଦେଇଥିବା ଦାବି କରାଯାଇଛି। ଏଥିରୁ ଏକ ଶିକ୍ଷା ମିଳେ—ଚଳଚ୍ଚିତ୍ରର ମୂଲ୍ୟ କେବଳ ତାହାର ବଜେଟ୍ରେ ନୁହେଁ; କାହାଣୀର ଶକ୍ତି, ବିଷୟର ପ୍ରାସଙ୍ଗିକତା ଓ ଦର୍ଶକଙ୍କ ସହ ତାହାର ଭାବନାତ୍ମକ ସମ୍ପର୍କ ମଧ୍ୟ ସଫଳତାର ବଡ଼ କାରଣ ହୋଇପାରେ।
ଆଜିର ସମାଜ ପାଇଁ ଚଳଚ୍ଚିତ୍ରର ବାର୍ତ୍ତା
ଆଜିର ଯୁବପିଢ଼ି ଅସୀମ ସୂଚନା ଓ ସୁବିଧା ମଧ୍ୟରେ ବଞ୍ଚୁଛି। ସ୍ମାର୍ଟଫୋନ୍, ସୋସିଆଲ୍ ମିଡିଆ, ନାନା ପ୍ରତିଯୋଗିତା ମଧ୍ୟରେ ଅନେକ ସମୟରେ ମଣିଷ ନିଜର ଅସ୍ତିତ୍ୱ ହରାଇ ବସେ। ନିଜକୁ ନିିସଙ୍ଗ ମନେକରେ । ଏପରି ସମୟରେ ‘ହନୁମାନ ଅଂଶ’ର ଆଧ୍ୟାତ୍ମିକ ଭାବନା ଏକ ଭିନ୍ନ ବାର୍ତ୍ତା ଦିଏ— ମଣିଷ ନିଜ ପାଇଁ ଯେତେ ଚିନ୍ତା କରେ, ଅନ୍ୟ ପାଇଁ ମଧ୍ୟ ସେତେ ଚିନ୍ତା କରିବା ଦରକାର। ନିଜର ସଫଳତା ସହିତ ସମାଜ ପ୍ରତି ଦାୟିତ୍ୱବୋଧ ରହିବା ଦରକାର।
ଚଳଚ୍ଚିତ୍ର ଓ ଆଧ୍ୟାତ୍ମିକତାର ସମ୍ପର୍କ
ଭାରତୀୟ ସିନେମାରେ ଆଧ୍ୟାତ୍ମିକ କାହାଣୀ ନୂଆ ନୁହେଁ। ରାମାୟଣ, ମହାଭାରତ, ପୁରାଣ ଓ ସନ୍ଥ-ମହାତ୍ମାଙ୍କ ଜୀବନକୁ ନେଇ ଅନେକ ସୃଷ୍ଟି ହୋଇଛି। କିନ୍ତୁ ‘ହନୁମାନ ଅଂଶ’ର ବିଶେଷତା ହେଉଛି ଏହା ଏକ ଆଧୁନିକ ଦର୍ଶକଙ୍କ ସମ୍ମୁଖରେ ଜଣେ ଆଧ୍ୟାତ୍ମିକ ସାଧକଙ୍କ ଜୀବନକୁ ରଖିବାର ପ୍ରୟାସ କରିଛି। ଏହାର କେନ୍ଦ୍ରରେ କୌଣସି ବିଶାଳ ଯୁଦ୍ଧ କିମ୍ବା ଚମତ୍କାର ନୁହେଁ; ବରଂ ରହିଛି ଜଣେ ମଣିଷର ଅନ୍ତର୍ମୁଖୀ ଯାତ୍ରା।