ସେବା ଆଉ ସୁବର୍ଣ୍ଣ ଥାଳି
-ସମୀର କୁମାର ମହାନ୍ତି
କାହିଁ କେତେ ହଜାର ବର୍ଷ ତଳର କଥା । ଭାରତରେ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗର ପ୍ରତିଷ୍ଠା ଓ ମାହାତ୍ମ୍ୟ ସମ୍ବନ୍ଧରେ ଅନେକ ପୁରୁଣା କାହାଣୀ ସବୁ ଏବେ ବି ବିଭିନ୍ନ ପୌରାଣିକ ପୁସ୍ତକରେ ହେଉ ବା ଜନମାନସର ସ୍ମୃତିରେ ଲିପିବଦ୍ଧ ହୋଇ ରହିଅଛି । ଏହି ୧୨ଟି ଜ୍ୟୋର୍ତିଲିଙ୍ଗ ପ୍ରତିଷ୍ଠା ପରେ ସେମାନଙ୍କ ସମ୍ବନ୍ଧରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଘଟଣାମାନ ମଧ୍ୟ ଉକ୍ତ ମନ୍ଦିରମାନଙ୍କର ପୁରୁଣା ପୁସ୍ତକରେ ଦେଖିବାକୁ ମିଳେ । ସେଥିମଧ୍ୟରୁ ଗୋଟିଏ ହେଉଛି ବାରାଣାସୀର ବାବା ବିଶ୍ୱନାଥଙ୍କ ମନ୍ଦିର ସମ୍ବନ୍ଧରେ । ସ୍ୱାମୀ ବିବେକାନନ୍ଦ ତାଙ୍କ ଭାଷଣରେ ଥରେ କହିଥିଲେ, ବାରାଣାସୀ ହେଉଛି ଭାରତର ଏକ ଶ୍ରେଷ୍ଠତମ ତୀର୍ଥ ନଗରୀ । ବାବା ବିଶ୍ୱନାଥଙ୍କ ଆର୍ବିଭାବ କାରଣରୁ ଏହା ସମ୍ଭବ ହୋଇ ପାରିଛି । ଏହି ନଗରୀରେ ଅନେକ ବିଦ୍ୱାନ ଲୋକମାନଙ୍କର ଜନ୍ମ ଏହାର ପ୍ରସିଦ୍ଧିକୁ ଆହୁରି ପୃଷ୍ଟ କରିଛି । ଏହି ନଗରୀ ଠାରୁ ମାତ୍ର ୧୬କି.ମି ଦୂରରେ ସାରନାଥ ଠାରେ ମହାତ୍ମା ବୁଦ୍ଧଦେବ ତାଙ୍କର ପ୍ରଥମ ଉପଦେଶ ଶିଷ୍ୟମାନଙ୍କୁ ଦେଇଥିଲେ । ବୌଦ୍ଧ ପନ୍ଥ ଦ୍ୱାରା ରଚିତ ଅନେକ ଗ୍ରନ୍ଥରେ ଉଭୟ ବାରାଣାସୀ ଓ ସାରନାଥର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି ।
ଏବେ ବାବା ବିଶ୍ୱନାଥଙ୍କ ମନ୍ଦିରରେ ଘଟି ଥିବା ଏକ ପୁରାତନ ଘଟଣା ସମ୍ବନ୍ଧରେ କଥା ହେବା । ଏହି ମନ୍ଦିରକୁ ଅନେକ ଭକ୍ତ ଓ ତୀର୍ଥ ଯାତ୍ରୀ ଆସନ୍ତି । କିଏ ବାବାଙ୍କୁ ପ୍ରାର୍ଥନା କରିବା ପାଇଁ ଆସନ୍ତି । କିଏ ବାବାଙ୍କ ପାଖକୁ ମାନସିକ କରିବା ପାଇଁ ଆସନ୍ତି । ଆଉ କିଏ ମନସ୍କାମନା ପୂର୍ଣ୍ଣ ନହେଲେ ଗାଳିଦେବାକୁ ଆସନ୍ତି । ପୁଣି କ୍ୱଚିତ୍ ଲୋକ ବାବାଙ୍କୁ କେବଳ ଦର୍ଶନ ପାଇଁ ଆସନ୍ତି । ତାଙ୍କ ମନରେ ଶୁଦ୍ଧ ଭକ୍ତିଥାଏ । ତେଣୁ ସେମାନେ କିଛି ମାଗନ୍ତି ନାହିଁ ବା କାମନା କରନ୍ତି ନାହିଁ । ବାବାଙ୍କୁ ଖାଲି ଦେଖିଦେଲେ ତାଙ୍କ ପେଟ ପୁରିଯାଏ ।
ଥରେ ଗୋଟିଏ ଘଟଣା ଘଟିଲା । ବାବା ବିଶ୍ୱନାଥଙ୍କ ମୁଖ୍ୟ ପୁରୋହିତ ରାତିରେ ଗୋଟିଏ ସ୍ୱପ୍ନ ଦେଖିଲେ । ବାବା ବିଶ୍ୱନାଥ ସ୍ୱପ୍ନରେ ଆର୍ବିଭାବ ହୋଇ କହିଲେ ‘ତୁ କାଲି ସକାଳେ ପ୍ରାର୍ଥନା ସମାପ୍ତ ପରେ ଯେତେବେଳେ ମୋର ଗର୍ଭଗୃହ ଖୋଲିବୁ, ଦେଖିବୁ ସେଠାରେ ଏକ ସୁବର୍ଣ୍ଣ ଥାଳି ପଡିଛି । ତୁ ଏହାକୁ ନେଇ ମୋର ଶ୍ରେଷ୍ଠ ଭକ୍ତକୁ ପ୍ରଦାନ କରିବୁ । ’ ସକାଳ ହେଲା, ମୁଖ୍ୟ ପୁରୋହିତଙ୍କ ନିଦ ଭାଙ୍ଗିଲା । ରାତିର ସ୍ୱପ୍ନ କଥା ମନେ ପକାଇଲେ ଏବଂ ଗଙ୍ଗାରେ ସ୍ନାନ କରିବାକୁ ଗଲେ । ସ୍ନାନ ସାରି ଆସି ସବୁ ପୁରୋହିତମାନଙ୍କୁ ଏକାଠି କରି ପୂର୍ବ ରାତ୍ରୀର ସ୍ୱପ୍ନ କଥା କହିଲେ । ତାପରେ ସମସ୍ତେ ମିଳିମିଶି ପ୍ରାର୍ଥାନା କଲେ । ଏବଂ ଶେଷରେ ଗର୍ଭ ଗୃହର ଦ୍ୱାର ଖୋଲାଗଲା । ଦେଖାଗଲା ସତକୁ ସତ ବାବା ବିଶ୍ୱନାଥଙ୍କ ଶିବ ଲିଙ୍ଗ ପାଖରେ ଏକ ସୁନ୍ଦର ସୁବର୍ଣ୍ଣ ଥାଳି ରଖାଯାଇଛି । ମୁଖ୍ୟ ପୁରୋହିତ ସୁବର୍ଣ୍ଣ ଥାଳିଟି ଉଠାଇଲେ । ଅନ୍ୟ ପୁରୋହିତମାନେ ଦେଖିଲେ, ସତକୁ ସତ ଏହା ଏକ ସୁବର୍ଣ୍ଣ ଥାଳି । ଏବେ ସମସ୍ୟା ଆସିଲା, ଶ୍ରେଷ୍ଠ ଭକ୍ତ କିଏ ଏବଂ କାହାକୁ ଏହି ସୁବର୍ଣ୍ଣ ଥାଳି ଦିଆଯିବ । ଅନେକ ବିଚାର ବିମର୍ଷ ପରେ ମଧ୍ୟ କେହି କୌଣସି ନିଷ୍କର୍ସରେ ଆସି ପାରିଲେ ନାହିଁ । ଶେଷରେ ନିଷ୍ପତ୍ତି ନିଆଗଲା ଯେ, ସୁବର୍ଣ୍ଣ ଥାଳିଟି ମନ୍ଦିରର ଟ୍ରେଜେରୀରେ ରହିବ । ଇତି ମଧ୍ୟରେ ସମସ୍ତଙ୍କୁ ଜଣାଇ ଦିଆଗଲା ଯେ, ସମସ୍ତେ ବଡ ବଡ ଭକ୍ତଙ୍କର ନାଁ ଓ ଠିକଣା ପଠାଇବେ । ତାପରେ ସେମାନଙ୍କ ଭିତରୁ କିଏ ଶ୍ରେଷ୍ଠ ଭକ୍ତ ତାହା ଚୟନ କରାଯିବ ।
ଇତି ମଧ୍ୟରେ କିଛି ଦିନ ବିତିଗଲା । ଅନେକ ଭକ୍ତଙ୍କର ନାମ ଓ ଠିକଣା ଆସିଲା । ଶେଷରେ ସମସ୍ତ ପୁରୋହିତମାନେ ବସି ନିଷ୍ପତ୍ତି ନେଲେ ଯେ, ଜଣେ ବ୍ୟକ୍ତି ଯିଏ କି ତାର ଶହଶହ ଏକର ସମସ୍ତ ଜମି ଗରିବ ଲୋକମାନଙ୍କ ଭିତରେ ବାଣ୍ଟି ଦେଇଛି, ସେହି ଲୋକ ହେବ ଶ୍ରେଷ୍ଠ ଭକ୍ତ । ଶେଷରେ ସେହି ବ୍ୟକ୍ତିକୁ ଚୟନ କରାଗଲା । ତେଣୁ ତାକୁ ଖବର ଦିଆଗଲା । ଏକ ଉପଯୁକ୍ତ ଦିବସରେ ସର୍ବସାଧାରଣଙ୍କ ସମ୍ମୁଖରେ ତାଙ୍କୁ ଶ୍ରେଷ୍ଠ ଭକ୍ତ ବୋଲି ଘୋଷଣା କରାଗଲା ଏବଂ ମୁଖ୍ୟ ପୁରୋହିତ ତାଙ୍କ ହାତରେ ସୁବର୍ଣ୍ଣ ଥାଳିଟି ସମର୍ପଣ କଲେ । ହଠାତ୍ ଏକ ଅଘଟଣ ଘଟିଲା । ଘଡଘଡି ଭଳି ବିକଟାଳ ଶବ୍ଦ ହେଲା । ଏହା ସହିତ ସୁବର୍ଣ୍ଣ ଥାଳିଟି ତମ୍ବା ଥାଳି ହୋଇଗଲା । ଲୋକଟି ଭୟରେ ଥରିବାକୁ ଲାଗିଲା । ଏବଂ ତା ହାତରୁ ଥାଳିଟି ଖସି ତଳେ ପଡିଲା । ଥାଳି ଟି ପୁଣି ସୁବର୍ଣ୍ଣ ଥାଳି ହୋଇଗଲା । ଏହି ଭୟଙ୍କର ଅଲୌକିକ ଦୃଶ୍ୟ ସମସ୍ତେ ଦେଖିଲେ । ଏହା ପ୍ରମାଣିତ କରିଦେଲା ଯେ ଉକ୍ତ ବ୍ୟକ୍ତିଟି ଶ୍ରେଷ୍ଠ ଭକ୍ତ ନୁହେଁ । ଲୋକଟି ସମେତ ସମସ୍ତ ଦେଖଣାହାରୀ ବ୍ୟକ୍ତି ସେହି ଜାଗା ଛାଡି ଚାଲିଗଲେ । ସୁବର୍ଣ୍ଣ ଥାଳିଟି ପୁଣି ଟ୍ରେଜେରୀକୁ ଫେରିଗଲା ।
ଆହୁରି ଅନେକ ଦିନ ବିତିଗଲା । ପୁଣି ଗୁଡିଏ ଭକ୍ତଙ୍କ ତାଲିକା ଆସିଲା । ତା ଭିତରେ ଜଣେ ଥିଲେ, ଯିଏ କି ତାଙ୍କର ସମସ୍ତ କୋଠାବାଡି ଓ ଘରକୁ ଅନାଥ ଆଶ୍ରମ, ବିଧବା ଆଶ୍ରମ ଏବଂ ଡାକ୍ତରଖାନା ପାଇଁ ଦାନ କରିଦେଇଛନ୍ତି । ତାଙ୍କୁ ସମସ୍ତେ ଶ୍ରେଷ୍ଠ ଭକ୍ତ ବୋଲି ଚୟନ କଲେ । ନିର୍ଦ୍ଦିଷ୍ଟ ଦିନରେ ତାଙ୍କୁ ସୁବର୍ଣ୍ଣ ଥାଳି ଦିଆଯିବ ବୋଲି ନିଷ୍ପତ୍ତି ନିଆଗଲା । ଅନେକ ଶ୍ରଦ୍ଧାଳୁ ଏକାଠି ହେଲେ । ଉପଯୁକ୍ତ ମୂହୁର୍ତ୍ତରେ ମନ୍ଦିର ପରିସରରେ ମୁଖ୍ୟ ପୁରୋହିତ ଉକ୍ତ ଭକ୍ତଙ୍କୁ ସୁବର୍ଣ୍ଣ ଥାଳିଟି ଅର୍ପଣ କଲେ । ହଠାତ ମନ୍ଦିର ବେଢା ଭିତରକୁ ଭୟଙ୍କର ଅନ୍ଧକାର ମାଡି ଆସିଲା । ବିକଟାଳ ରାବ ଶୁଭିଲା । ଗୋଟିଏ ଆଲୋକର ଚମକରେ ଦେଖାଗଲା ଯେ,ଥାଳିଟି ପୁର୍ନବାର ତମ୍ବା ହୋଇ ଯାଇଛି । ଏସବୁ ଦେଖି ଭକ୍ତଟି ଥରିବାକୁ ଲାଗିଲା । ତା ହାତରୁ ଥାଳିଟି ତଳକୁ ଖସି ପଡିଲା । ଥାଳିଟି ତଳେ ପଡିବା ପରେ ତୁରନ୍ତ ସୁବର୍ଣ୍ଣ ହୋଇଗଲା । ସମସ୍ତେ ଜାଣିଲେ ସେ ଶ୍ରେଷ୍ଠ ଭକ୍ତ ନୁହେଁ । ଭକ୍ତଟି ଫେରିଗଲା । ଲୋକମାନେ ମଧ୍ୟ ଫେରିଗଲେ ଓ ସୁବର୍ଣ୍ଣ ଥାଳିଟି ପୁର୍ନବାର ବାବା ବିଶ୍ୱନାଥଙ୍କ ଟ୍ରେଜେରୀକୁ ଚାଲିଗଲା ।
ପୁଣି କିଛିଦିନ ବିତିଗଲା । ଖବର ଆସିଲା, ଜଣେ ସନ୍ୟାସୀ ତାଙ୍କର ପ୍ରବଚନ ଯୋଗୁଁ ବେଶ ଲୋକପ୍ରିୟ ହୋଇଛନ୍ତି । ଯୁଆଡେ ଯାଉଛନ୍ତି, ତାଙ୍କ ସଭାରେ ପ୍ରବଳ ଜନଗହଳି ହେଉଛି । ତାଙ୍କର ଆଶୀର୍ବାଦ ନେବା ପାଇଁ ଲୋକମାନଙ୍କର ଲମ୍ବା ଧାଡି ଲାଗୁଛି । ମନ୍ଦିରର ପୁରୋହିତମାନେ ନିଷ୍ପତ୍ତି ନେଲେ ଯେ,ସେହି ସାଧୁଙ୍କୁ ସୁବର୍ଣ୍ଣ ଥାଳିଟି ପ୍ରଦାନ କରାଯିବ । କାରଣ ସେ ହୁଏତ ବାବାଙ୍କ ଶ୍ରେଷ୍ଠ ଭକ୍ତ ହୋଇ ପାରନ୍ତି । ସାଧୁ ମହାରାଜଙ୍କୁ ଖବର ଦିଆଗଲା । ଏବଂ ନିର୍ଦ୍ଦିଷ୍ଟ ଦିନରେ ସୁବର୍ଣ୍ଣ ଥାଳି ଗ୍ରହଣ କରିବା ପାଇଁ ତାଙ୍କୁ ନିବେଦନ କରାଗଲା । ସାଧୁ ମହାରାଜ ଆସିଲେ ଏବଂ ତାଙ୍କୁ ସୁବର୍ଣ୍ଣ ଥାଳି ପ୍ରଦାନ କରାଗଲା । ହଜାର ହଜାର ଭକ୍ତମାନଙ୍କ ସମ୍ମୁଖରେ ସାଧୁ ମହାରାଜଙ୍କ ସାରା ଶରୀର ଥରିବାକୁ ଲାଗିଲା । ସୁବର୍ଣ୍ଣ ଥାଳିଟି ତମ୍ବା ଥାଳି ହୋଇଗଲେ । ସାଧୁ ମହାରାଜ ଥରି ଥରି ତଳେ ପଡିଗଲେ । ଥାଳିଟି ମଧ୍ୟ ତଳେ ପଡିଗଲା । ତାପରେ ଏହା ପୁଣି ଏହା ସୁବର୍ଣ୍ଣ ଥାଳି ହୋଇଗଲା । ଅର୍ଥାତ ସେ ମଧ୍ୟ ଶ୍ରେଷ୍ଠ ଭକ୍ତ ନୁହଁନ୍ତି । ସୁବର୍ଣ୍ଣ ଥାଳିଟି ପୁଣି ମନ୍ଦିରର କୋଷାଗାରକୁ ଚାଲିଗଲା ।
ଶେଷରେ ମୁଖ୍ୟ ପୁରୋହିତଙ୍କ ସମେତ ସମସ୍ତ ପୁରୋହିତ ହତାସ ହୋଇଗଲେ । ଅନେକ ଦିନ ଯାଏଁ ସମସ୍ତେ ଚିନ୍ତିତ ଅବସ୍ଥାରେ ରହିଲେ । ହଠାତ୍ ଦିନେ ମୁଖ୍ୟ ପୁରୋହିତ ଦେଖିଲେ ମନ୍ଦିର ସାମନାରେ ବସି ଥିବା ଅନେକ କୁଷ୍ଠ ରୋଗୀଙ୍କୁ ଜଣେ ଲୋକ କିଛି ବୁଝାଉଛି । ସେ ସେଠାକୁ ଯାଇ ଦେଖିଲେ କୁଷ୍ଠ ରୋଗୀମାନେ ତାଙ୍କର ଏହି ରୋଗ ପାଇଁ ବାବା ବିଶ୍ୱନାଥଙ୍କୁ ଗାଳି ଦେଉଛନ୍ତି । ଲୋକଟି ସେମାନଙ୍କୁ ବୁଝାଉଛି,‘ଇଶ୍ୱର ସୁବବେଳେ ମହାନ । ଇଶ୍ୱରଙ୍କୁ ଜମା ଗାଳି ଦିଅନାହିଁ । ବରଂ ଔଷଧ ଖାଅ ଏବଂ ଧୈର୍ଯ୍ୟଧର । ଧୀରେ ଧୀରେ ରୋଗ ଉପଶମ ହେବ ।’ ସେ ସମୟରେ ମଧ୍ୟ କୁଷ୍ଠ ରୋଗର ଉପଶମ ପାଇଁ ଆୟୁର୍ବେଦିକ ଔଷଧର ବ୍ୟବସ୍ଥା ଥିଲା । ଏହି କଥାରେ କୁଷ୍ଠ ରୋଗୀମାନେ ରାଜି ହେଲେ । ତାପରଦିନ ମୁଖ୍ୟ ପୁରୋହିତ ଦେଖିଲେ ଲୋକଟି ଔଷଧ ଆଣି କୁଷ୍ଠ ରୋଗୀମାନଙ୍କୁ ବାଣ୍ଟୁଛି । ସେ ଦେଖିଲେ ଲୋକଟି ପ୍ରତ୍ୟେକ ଦିନ ଗଙ୍ଗାନଦୀରେ ସ୍ନାନ କରି ଆସି ବାବା ବିଶ୍ୱନାଥଙ୍କୁ ମୁଣ୍ଡିଆ ମାରି ଯାଇ ରୋଗୀମାନଙ୍କୁ ଔଷଧ ଦେଉଛି । ଏମିତି ଛଅ ମାସ ବିତିଗଲା । ତାପରେ କୁଷ୍ଠ ରୋଗୀମାନେ, ଯେଉଁମାନେ ବାବା ବିଶ୍ୱନାଥଙ୍କୁ ଗାଳି ଦେଉଥିଲେ, ସେମାନେ ‘ବାବା ବିଶ୍ୱନାଥ କି ଜୟ’ ଏହା କହି ଉଠିଲେ । ମୁଖ୍ୟ ପୁରୋହିତଙ୍କ ସହିତ ସମସ୍ତ ପୁରୋହିତ ମଧ୍ୟ ଏକଥା ଦେଖିଲେ । ସମସ୍ତେ କୁଷ୍ଠ ରୋଗୀମାନଙ୍କ ପାଖକୁ ଯାଇ ପଚାରିଲେ, କେଉଁ ଖୁସିରେ ବାବା ବିଶ୍ୱନାଥଙ୍କ ଜୟ କହୁଛ । ରୋଗୀମାନେ କହିଲେ, ଏହି ଭକ୍ତଙ୍କ ଚେଷ୍ଠାରେ ଆମେ ନିୟମିତ ଔଷଧ ଖାଇବାରୁ ଛଅ ମାସ ପରେ ଧୀରେ ଧୀରେ ଆମକୁ ଭଲ ଲାଗିଲାଣି ଓ ରୋଗ କମିଲାଣି । ବାବା ବିଶ୍ୱନାଥ ତାଙ୍କୁ ଆମ ପାଖରୁ ପଠାଇଥିଲେ । ସେଥିପାଇଁ ବାବା ବିଶ୍ୱନାଥଙ୍କ ଜୟ ସହିତ ଭକ୍ତର ମଧ୍ୟ ଜୟ ହେଉ ବୋଲି ଆମେ କହୁଛୁ ।
ଏହା ପରେ ମୁଖ୍ୟପୁରୋହିତଙ୍କ ସହିତ ସମସ୍ତ ପୁରୋହିତ ଚିନ୍ତାକଲେ, ଉକ୍ତ ଭକ୍ତଟି କାଳେ ବାବାଙ୍କର ଶ୍ରେଷ୍ଠ ଭକ୍ତ ହୋଇଥିବ । ସେମାନେ ବୈଠକରେ ବସି ନିଷ୍ପତ୍ତି ନେଲେ ଯେ,ଏହି ଭକ୍ତକୁ ସୁବର୍ଣ୍ଣ ଥାଳି ପ୍ରଦାନ କରାଯିବ । ଏହି ନିଷ୍ପତ୍ତି ସମସ୍ତଙ୍କୁ ଜଣାଇ ଦିଆଗଲା । ଭକ୍ତଟିକୁ ମଧ୍ୟ ଜଣାଇ ଦିଆଗଲା । ସେଥିପାଇଁ ଦିନ ମଧ୍ୟ ଠିକ୍ ହେଲା । ସେହି ଦିନରେ ମନ୍ଦିର ପ୍ରାଙ୍ଗଣରେ ଶହ ଶହ ଭକ୍ତ ଏକାଠି ହେଲେ । ବାରାଣାସୀର ରାଜା ଓ ନଗରର ଶ୍ରେଷ୍ଠ ଧନୀ ବ୍ୟକ୍ତି ମଧ୍ୟ ଉପସ୍ଥିତ ହେଲେ । ଭକ୍ତଟି ଆସି ବାବା ବିଶ୍ୱନାଥଙ୍କୁ ପ୍ରଣାମ କଲା । ତାପରେ ମୁଖ୍ୟପୁରୋହିତ ସୁବର୍ଣ୍ଣ ଥାଳି ଟି ତା ହାତରେ ପ୍ରଦାନ କଲେ । ହଠାତ ମନ୍ଦିର ଭିତରେ ଅଜଣା ଜାଗାରୁ ଶଙ୍ଖ ଧ୍ୱନି ଆସିଲା । ମନ୍ଦିର ବେଢା ଭିତରେ ଏକ ଉଜ୍ୱଳ ଆଲୋକ ପ୍ରବେଶ କଲା । ସାରା ପରିବେଶ ଭକ୍ତିମୟ ହୋଇ ଉଠିଲା ଏବଂ ସୁବର୍ଣ୍ଣ ଥାଳି ଟି ଆହୁରି ଉଜ୍ୱଳ ହୋଇ ଉଠିଲା ଏବଂ ସେହି ଲୋକଟି ବାବାଙ୍କର ଶ୍ରେଷ୍ଠ ଭକ୍ତ ବୋଲି ପ୍ରମାଣିତ ହେଲା । ସମସ୍ତ ଲୋକ ଏବଂ ସମସ୍ତ ପୁରୋହିତ କହି ଉଠିଲେ ଯେ, ଆମ୍ଭେମାନେ ସେହି ଭକ୍ତ ମାଧ୍ୟମରେ ହିଁ ବାବା ବିଶ୍ୱନାଥଙ୍କୁ ଦର୍ଶନ କଲୁ ।
ଏହି ଘଟଣା ପରେ ରାଜା ଏବଂ ଶ୍ରେଷ୍ଠ ଧନୀ ବ୍ୟକ୍ତି ଉଭୟ ମିଶି କଥାବାର୍ତ୍ତା ହୋଇ ଉକ୍ତ ଭକ୍ତଟିକୁ ସମ୍ବର୍ଦ୍ଧନା ଦେବା ପାଇଁ ଚାହିଁଲେ । ନିର୍ଦ୍ଦିଷ୍ଟ ଦିନରେ ଉଭୟ ରାଜ ପ୍ରାସାଦରେ ଏକାଠି ହେଲେ ଏବଂ ତାଙ୍କୁ ଆସିବା ପାଇଁ ନିମନ୍ତ୍ରଣ ଦେଲେ । ରାଜା ଭକ୍ତଟିକୁ ଉଆସକୁ ପାଛୋଟି ନେଲେ । ସାଙ୍ଗରେ ଧନୀ ବ୍ୟକ୍ତି ଜଣଙ୍କ ମଧ୍ୟ ଥାନ୍ତି । ରାଜା ତାଙ୍କୁ ଏକ ଉଚ୍ଚ ପଦବୀ ପ୍ରଦାନ ପାଇଁ ପ୍ରସ୍ତାବ ଦେଲେ । ସେଥିରେ ଭକ୍ତଟି ନମ୍ରତାର ସହିତ କହିଲା, ‘ମହାରାଜ ଆପଣ ମୋତେ ଉଚ୍ଚ ପଦବୀ ବ୍ୟତୀତ ଅନ୍ୟ କ’ଣ ଦେଇ ପାରିବେ । ଆପଣଙ୍କ ପାଖରେ ତାଠାରୁ ଅଧିକ କ’ଣ ଅଛି ।’ ରାଜା ଏହା ଶୁଣି ଚୁପ୍ ରହିଲେ । ତାପରେ ଧନୀ ବ୍ୟକ୍ତି ଜଣଙ୍କ ତାଙ୍କୁ ଏକ ମୂଲ୍ୟବାନ ହୀରା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଲେ । ଏଥିରେ ମଧ୍ୟ ବିନମ୍ର ହୋଇ ଭକ୍ତ ଟି କହିଲା, ‘ ହେ ଶ୍ରେଷ୍ଠୀ, ହୀରା ବ୍ୟତୀତ ଆପଣଙ୍କ ପାଖରେ କଣ ଅଧିକ ଅଛି ମୋତେ ଦେବା ପାଇଁ ।’ ଏହି ଭଳି ଭାବେ ଭକ୍ତଟି ରାଜାଙ୍କର ଉଚ୍ଚ ପଦବୀ ଏବଂ ଧନୀ ବ୍ୟକ୍ତିଙ୍କର ହୀରାକୁ ନମ୍ରତାର ସହିତ ପ୍ରତ୍ୟାଖ୍ୟାନ କଲା । ଏବଂ ରାଜାଙ୍କ ଅନୁମତି ନେଇ ଫେରିବାକୁ ବସିଲା । ସେ ଫେରି କରି ରାଜଦ୍ୱାର ଯାଏ ଆସିଛି, ରାଜା ଏବଂ ଧନୀ ବ୍ୟକ୍ତି ଜଣଙ୍କ ତାଙ୍କ ପଛରେ ଦୌଡି ଆସି କହିଲେ, ‘ଭାଇ ଆମ ଠାରୁ ସିନା କିଛି ନେଲ ନାହିଁ, କିନ୍ତୁ ଆମକୁ ବାବା ବିଶ୍ୱନାଥଙ୍କ କୃପା ଟିକେ ଦେଇ କରିଯାଅ ।’ ଏହା ଶୁଣି ଲୋକଟି କହିଲା, ‘ମହାରାଜ ଆପଣ ରାଜପ୍ରାସାଦ ବାହାରକୁ ଯାଇ ଟିକେ ଦେଖନ୍ତୁ । କେତେ ପୀଡିତ ଓ ଦୁଃଖୀଲୋକ ବାହାରେ କଷ୍ଟ ପାଉଛନ୍ତି । ଆପଣ ସେମାନଙ୍କୁ ଟିକେ ଭେଟନ୍ତୁ , ଆପଣଙ୍କ ହାତରେ କ୍ଷମତା ଅଛି । ଆପଣ ଚାହିଁଲେ ସେମାନଙ୍କ ପୀଡା ଓ ଦୁଃଖ ଦୁରକରି ପାରିବେ । ସେହିଥିରେ ହିଁ ଆପଣ ବାବାଙ୍କ କୃପା ପାଇ ପାରିବେ ।’ ତାପରେ ସେହି ଭକ୍ତଟି ଧନୀ ବ୍ୟକ୍ତିଙ୍କୁ ଚାହିଁ କହିଲା, ‘ହେ ଶ୍ରେଷ୍ଠୀ ଆପଣଙ୍କ ହାତରେ ଅମାପ ଧନ ଅଛି । ଆପଣ ନିଜର ବିଳାସମୟ ଗୃହରୁ ବାହାରି ଟିକେ ଦୁଃଖୀରଙ୍କିମାନଙ୍କୁ ଭେଟନ୍ତୁ । ଏବଂ ସେମାନଙ୍କର ଅଭାବ ଦୂର କରିବାକୁ ଚେଷ୍ଟା କରନ୍ତୁ । ସେହିଥିରେ ହିଁ ବାବାଙ୍କ କୃପା ରହିଛି । ’ ଏହାପରେ ରାଜା ଓ ଧନୀ ବ୍ୟକ୍ତି ଜଣଙ୍କ ପୀଡିତ, ଦୁଃଖୀ ଓ ଅଭାବୀ ଲୋକମାନଙ୍କ ସେବାରେ ଲାଗି ପଡିଲେ ଏବଂ ବାବା ବିଶ୍ୱନାଥଙ୍କର ପ୍ରକୃତ ଭକ୍ତ ହୋଇ ପାରିଲେ ।
ଉପରୋକ୍ତ ଘଟଣାରୁ ସ୍ପଷ୍ଟ ଯେ, ନିଷ୍କାମ ସେବାରେ ହିଁ ଭକ୍ତି ନିହିତ ଅଛି ଏବଂ ଏହା ମାଧ୍ୟମରେ ହିଁ ଇଶ୍ୱରଙ୍କ କୃପା ଅନୁଭବ କରିହେବ ।
ମୋ-୯୪୩୯୮୭୬୩୩୨/ ୯୩୩୭୦୦୯୩୮୮
୧୨୫, ଧର୍ମବିହାର, ଖଣ୍ଡଗିରି,ଭୁବନେଶ୍ୱର