ଜଏନ୍ ଆରଏସଏସ’ ମାଧ୍ୟମରେ ପଞ୍ଜୀକରଣରେ ଜୁଲାଇ ୨୦୨୫ ତୁଳନାରେ ଜୁଲାଇ ୨୦୨୬ରେ ଅଢ଼େଇ ଗୁଣରୁ ଅଧିକ ବୃଦ୍ଧି ଘଟିଛି

ଅଖିଳ ଭାରତୀୟ ସମନ୍ୱୟ ବୈଠକରେ ଜନସଂଖ୍ୟାଗତ ପରିବର୍ତ୍ତନ ସମ୍ପର୍କରେ ହେବ ଆଲୋଚନା।

ବର୍ଷ ୨୦୨୬ ଜୁଲାଇ ସୁଦ୍ଧା ୧.୨୫ ଲକ୍ଷ ରୁ ଅଧିକ ଲୋକ ସଂଘ ସହ ଯୋଡ଼ିହେବା ପାଇଁ ଅନଲାଇନ୍ ପଞ୍ଜୀକରଣ କରିଛନ୍ତି।

‘ଜଏନ୍ ଆରଏସଏସ’ ମାଧ୍ୟମରେ ପଞ୍ଜୀକରଣରେ ଜୁଲାଇ ୨୦୨୫ ତୁଳନାରେ ଜୁଲାଇ ୨୦୨୬ରେ ଅଢ଼େଇ ଗୁଣରୁ ଅଧିକ ବୃଦ୍ଧି ଘଟିଛି; ଆବେଦନ କରିଥିବା ଲୋକଙ୍କ ମଧ୍ୟରୁ ୬୫ ପ୍ରତିଶତ ୩୦ ବର୍ଷରୁ କମ୍ ବୟସର।

ବିଶାଖାପାଟଣା, ୧୮ ଅଗଷ୍ଟ ୨୦୨୬: ବିଶାଖାପାଟଣା ନିକଟସ୍ଥ ଗୁଡ଼ିଲୋଭା ସ୍ଥିତ ‘ବିଜ୍ଞାନ ବିହାର’ ବିଦ୍ୟାଳୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ‘ଅଖିଳ ଭାରତୀୟ ସମନ୍ୱୟ ବୈଠକ’ ଆୟୋଜିତ ହେଉଛି। ବୈଠକ ପୂର୍ବରୁ ମଙ୍ଗଳବାର ଦିନ ବିଜ୍ଞାନ ବିହାରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ଜୀ ଜଣାଇଛନ୍ତି ଯେ, ଏହି ବୈଠକ ୧୯ ଅଗଷ୍ଟ ସକାଳ ୯:୦୦ ଟାରୁ ଆରମ୍ଭ ହୋଇ ୨୧ ଅଗଷ୍ଟ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ପ୍ରତିବର୍ଷ ହେଉଥିବା ଏହି ଅଖିଳ ଭାରତୀୟ ସମନ୍ୱୟ ବୈଠକରେ ସଂଘର ପ୍ରେରଣାରେ କାର୍ଯ୍ୟ କରୁଥିବା ମୋଟ ୩୨ଟି ସଂଗଠନର ପ୍ରମୁଖ ପଦାଧିକାରୀମାନେ ଭାଗ ନେବେ। ବୈଠକରେ ସରସଂଘଚାଲକ ଡ. ମୋହନ ଭାଗବତ ଜୀ, ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଜୀ, ସମସ୍ତ ସହ-ସରକାର୍ଯ୍ୟବାହ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଅଧିକାରୀ ଉପସ୍ଥିତ ରହିବେ।

ଏହି ସମନ୍ୱୟ ବୈଠକରେ ସଂଘ ପ୍ରେରିତ ବିଭିନ୍ନ ସଂଗଠନ ଯେପରିକି ଭାରତୀୟ ମଜଦୁର ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ଭାରତୀୟ ଜନତା ପାର୍ଟି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭାରତୀୟ କିଷାନ ସଂଘ, ରାଷ୍ଟ୍ର ସେବିକା ସମିତି ସହିତ ଅନ୍ୟାନ୍ୟ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ, ମହାମନ୍ତ୍ରୀ, ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଏବଂ କିଛି ମନୋନୀତ କାର୍ଯ୍ୟକର୍ତ୍ତା ଭାଗ ନେବେ। ବୈଠକରେ ବିଭିନ୍ନ ସଂଗଠନରୁ ୪୯ ଜଣ ମହିଳାଙ୍କ ସମେତ ମୋଟ ୨୫୩ ଜଣ ପ୍ରମୁଖ କାର୍ଯ୍ୟକର୍ତ୍ତା ଏବଂ ସଂଘର ପଦାଧିକାରୀଙ୍କୁ ମିଶାଇ ୩୨୭ ଜଣ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ବୈଠକ କୌଣସି ନିଷ୍ପତ୍ତି ନେବା ଭଳି (କାର୍ଯ୍ୟକାରୀ/ଏଗଜିକ୍ୟୁଟିଭ୍)ବୈଠକ ନୁହେଁ, ବରଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜ ହିତରେ କାର୍ଯ୍ୟରତ ବିଭିନ୍ନ ସଂଗଠନଗୁଡ଼ିକ ମଧ୍ୟରେ ପରସ୍ପରର ଅନୁଭୂତି ସେୟାର କରିବା। ବୈଠକରେ ସଂଗଠନଗୁଡ଼ିକ ମଧ୍ୟରେ ଆପୋଷ ସମନ୍ୱୟକୁ ସୁଦୃଢ଼ କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଏହା ସହିତ ସାମ୍ପ୍ରତିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ବିଚାରବିମର୍ଶ କରାଯିବ।

ସାମ୍ପ୍ରତିକ ସ୍ଥିତି: ଦେଶର ବର୍ତ୍ତମାନର ସ୍ଥିତି, ସାମାଜିକ ପରିବର୍ତ୍ତନ ଏବଂ ସମସ୍ୟାଗୁଡ଼ିକୁ ନେଇ ବୈଠକରେ ଆଲୋଚନା ହେବ। ଜନସଂଖ୍ୟା ଅସନ୍ତୁଳନ, ଡେମୋଗ୍ରାଫିକ୍ ପରିବର୍ତ୍ତନ ଏବଂ ସେଥିରୁ ସୃଷ୍ଟି ହେଉଥିବା ଚିନ୍ତା ଓ ନିରାକରଣର ଉପାୟ ସମ୍ପର୍କରେ ମଧ୍ୟ ବୈଠକରେ ଚର୍ଚ୍ଚା କରାଯିବ।

ନିଶା ନିବାରଣ: ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟରୁ ଦୂରେଇ ରଖିବା ପାଇଁ କି ପ୍ରକାର ଉପାୟ କରାଯାଉଛି ଏବଂ ଆଗାମୀ ସମୟରେ ସମସ୍ତ ସଂଗଠନ କ’ଣ କରିପାରିବେ, ଏହି ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହେବ। ନିଶା ମୁକ୍ତି ସହିତ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଚର୍ଚ୍ଚା କରାଯିବ।

ସେ କହିଛନ୍ତି ଯେ, ସଂଘର ଶତାବ୍ଦୀ ବର୍ଷ ଅବସରରେ ସଂଘ ଦ୍ୱାରା ନିର୍ଦ୍ଧାରିତ ‘ପଞ୍ଚ ପରିବର୍ତ୍ତନ’ ବିଷୟଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯିବ –

  • ସାମାଜିକ ସମରସତା
  • ପରିବେଶ ଅନୁକୂଳ ଜୀବନଶୈଳୀ
  • କୁଟୁମ୍ବ ପ୍ରବୋଧନ (ପାରିବାରିକ ମୂଲ୍ୟବୋଧ)
  • ‘ସ୍ୱ’ର ଭାବ (ସ୍ୱଦେଶୀ / ସ୍ୱ-ଜାଗରଣ)
  • ନାଗରିକ କର୍ତ୍ତବ୍ୟର ପାଳନ

ସଂଘର ସ୍ୱୟଂସେବକ ଏବଂ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ପଞ୍ଚ ପରିବର୍ତ୍ତନ ଉପରେ ପ୍ରୟାସ ଆରମ୍ଭ କରିସାରିଛନ୍ତି। ଏବେ ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ଏହି ବିଷୟଗୁଡ଼ିକୁ କିପରି ଆଗକୁ ନିଆଯିବ ଏବଂ ବିଭିନ୍ନ ସଂଗଠନର ଭୂମିକା କ’ଣ ରହିବ, ସେ ନେଇ ବୈଠକରେ ଆଲୋଚନା ହେବ।

ସେ କହିଛନ୍ତି ଯେ ବିକାଶର ମୋଡେଲ ଉପରେ କ୍ରମାଗତ ଭାବେ ଆଲୋଚନା ଚାଲିଛି। ଆମର କନସେପ୍ଟ ବା ବିକାଶର ସଂକଳ୍ପନା କ’ଣ? ବିକାଶ କେବଳ ଆର୍ଥିକ ଅଭିବୃଦ୍ଧି ମଧ୍ୟରେ ସୀମିତ ନୁହେଁ, ଏହା ସହିତ ବିଭିନ୍ନ ଦିଗ ଯୋଡ଼ିହୋଇ ରହିଛି। ବୈଠକରେ ଏସବୁ ଉପରେ ଆଲୋଚନା ହେବ ଏବଂ ଆଗାମୀ ସମୟରେ ବିଭିନ୍ନ ସଂଗଠନ ନିଜ ନିଜର ଯୋଜନା ପ୍ରସ୍ତୁତ କରିବେ। ଆର୍ଥିକ ଦିଗ ସହିତ ସମସ୍ତ କ୍ଷେତ୍ରକୁ ସନ୍ତୁଳିତ କରୁଥିବା ଐକ୍ୟବଦ୍ଧ ‘ଭାରତୀୟ ବିକାଶ ମୋଡେଲ’ ଉପରେ ବ୍ୟାପକ ଚର୍ଚ୍ଚା କରାଯିବ।

ସଂଘ ଶତାବ୍ଦୀ ବର୍ଷ ଅବସରରେ ସମାଜରେ ଆରଏସଏସ ପ୍ରତି ଆକର୍ଷଣ ବହୁତ ବୃଦ୍ଧି ପାଉଛି। ସଂଘର ୱେବସାଇଟରେ ‘ଜଏନ୍ ଆରଏସଏସ’ ମାଧ୍ୟମରେ ୨୦୨୫ ବର୍ଷରେ ଜାନୁଆରୀରୁ ଜୁଲାଇ ମଧ୍ୟରେ ୫୫,୪୨୩ ଜଣ ଲୋକ ସଂଘ ସହ ଯୋଡ଼ିହେବା ପାଇଁ ପଞ୍ଜୀକରଣ କରିଥିଲେ, ଯାହାକି ୨୦୨୬ର ଏହି ସମାନ ଅବଧି ମଧ୍ୟରେ ଅଢ଼େଇ ଗୁଣ ବୃଦ୍ଧି ପାଇ ୧,୨୩,୨୮୭ ରେ ପହଞ୍ଚିଛି। ଜୁଲାଇ ୨୦୨୫ରେ ଏହି ସଂଖ୍ୟା ୯,୭୧୮ ଥିବାବେଳେ, ଜୁଲାଇ ୨୦୨୬ରେ ୨୪,୦୮୬ ଜଣ ଲୋକ ସଂଘ ସହ ଯୋଡ଼ିହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ ୩୦ ବର୍ଷରୁ କମ୍ ବୟସର ଯୁବକ ପ୍ରାୟ ୬୫ ପ୍ରତିଶତ ଏବଂ ୪୦ ବର୍ଷରୁ କମ୍ ବୟସର ଲୋକ ୮୫ ପ୍ରତିଶତ ଅଟନ୍ତି।

ସାମ୍ବାଦିକ ସମ୍ମିଳନୀ ସମୟରେ ଦକ୍ଷିଣ ମଧ୍ୟ କ୍ଷେତ୍ରର ସହ-ସଂଘଚାଲକ ଦୂସୀ ରାମକୃଷ୍ଣ ଜୀ, ଅଖିଳ ଭାରତୀୟ ସହ-ପ୍ରଚାର ପ୍ରମୁଖ ପ୍ରଦୀପ ଯୋଶୀ ଜୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *