ନୂଆଦିଲ୍ଲୀ:
ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଇଏସଆଇ (ISI) ସମର୍ଥିତ ଶହଜାଦ ଭଟ୍ଟି ନେଟୱର୍କ (SBN) ବିରୋଧରେ ବହୁ-ରାଜ୍ୟୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆତଙ୍କୀ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛନ୍ତି। ସୀମାପାର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା (ଜିରୋ ଟଲରାନ୍ସ) ନୀତି ଅଧୀନରେ ୧୪ଟି ରାଜ୍ୟରୁ ୨୫୩ ଜଣଙ୍କୁ ଅଟକ ରଖାଯାଇଛି ଏବଂ ଏହି ନେଟୱର୍କ ବିରୋଧରେ ୮୦ରୁ ଅଧିକ ଏଫଆଇଆର (FIR) ସହ ୨୦୦ରୁ ଅଧିକ ଗିରଫଦାରୀ କରାଯାଇଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X)ରେ ଏକ ପୋଷ୍ଟ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ସରକାର ସ୍ୱାଧୀନତା ଦିବସ ପୂର୍ବରୁ ଆଇଏସଆଇ ସମର୍ଥିତ ଆତଙ୍କୀ ଗୋଷ୍ଠୀ ‘ଶହଜାଦ ଭଟ୍ଟି ନେଟୱର୍କ’କୁ ଧ୍ୱଂସ କରିଦେଇଛନ୍ତି ଏବଂ ୨୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରି ଏହାର ଭୟାନକ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି।
ଭାରତୀୟ ସୁରକ୍ଷା ବାହିନୀ ୧୪ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ଅପରେସନ ଚଲାଇ ଏହି ନେଟୱର୍କକୁ ଧ୍ବଂସ୍ତ କରି ଦେଇଛନ୍ତି, ଯାହା ଆତଙ୍କବାଦ ବିରୋଧରେ ଭାରତର ‘ଜିରୋ ଟଲରାନ୍ସ’ ନୀତିର ଏକ ଉତ୍କୃଷ୍ଟ ଉଦାହରଣ।
ଆଇଏସଆଇରୁ ପାଣ୍ଠି ପାଉଥିବା ଏହି ଗୋଷ୍ଠୀ ନିକଟରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି, ଯେଉଁଥିରେ ଆଇଇଡି (IED), ପାକିସ୍ତାନ ଅର୍ଡନାନ୍ସ ଫ୍ୟାକ୍ଟ୍ରିର ଚିହ୍ନ ଥିବା ଗ୍ରେନେଡ, ପିସ୍ତୋଲ, ଜୀବନ୍ତ କାର୍ତ୍ତୁସ ଏବଂ ଗୁପ୍ତଚର ବୃତ୍ତି ପାଇଁ ବ୍ୟବହୃତ ସିସିଟିଭି (CCTV) କ୍ୟାମେରା ସାମିଲ ଅଛି। ଏହି ନେଟୱର୍କ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିଲା।
ଶହଜାଦ ଭଟ୍ଟି ନେଟୱର୍କ (SBN) ହେଉଛି ପାକିସ୍ତାନ ଭିତ୍ତିକ ତଥା ଆଇଏସଆଇ ଦ୍ୱାରା ସମର୍ଥିତ ଏକ ଆତଙ୍କୀ ସିଣ୍ଡିକେଟ, ଯାହା ଭାରତରେ ଗ୍ରେନେଡ, ଆଇଇଡି, ପେଟ୍ରୋଲ ବୋମା ଆକ୍ରମଣ ଏବଂ ଟାର୍ଗେଟେଡ୍ କିଲିଂ (ଲକ୍ଷ୍ୟଭିତ୍ତିକ ହତ୍ୟା)ରେ ସାମିଲ ଅଛି। ଏହା ସ୍ଥାନୀୟ ସହଯୋଗୀଙ୍କୁ ଟଙ୍କା ଦେଇ ପୋଲିସ, ପ୍ରତିରକ୍ଷା ଏବଂ ଧାର୍ମିକ ସ୍ଥଳଗୁଡ଼ିକର ରେକି କରାଉଥିଲା ଏବଂ ଗୁପ୍ତଚର ଗିରି ପାଇଁ ସିସିଟିଭି କ୍ୟାମେରା ଲଗାଉଥିଲା।
ସ୍ୱାଧୀନତା ଦିବସ ପାଖାପାଖି ନେଟୱର୍କ ସହ ଜଡ଼ିତ ସମ୍ଭାବ୍ୟ ବିଶୃଙ୍ଖଳାକୁ ରୋକିବା ପାଇଁ ଅଗଷ୍ଟ ୧୨ ତାରିଖରେ ରାଜ୍ୟ ପୋଲିସ ବାହିନୀ ସହିତ ରିଅଲ-ଟାଇମ୍ ଗୁପ୍ତଚର ତଥ୍ୟ ଆଦାନପ୍ରଦାନ ବ୍ୟବସ୍ଥା ମାଧ୍ୟମରେ ଏକ ସମନ୍ୱିତ ବହୁ-ରାଜ୍ୟୀୟ ଅଭିଯାନ ଚଲାଯାଇଥିଲା। ଏଥିରେ ୧୪ଟି ରାଜ୍ୟରୁ ୨୫୩ ଜଣଙ୍କୁ ଅଟକ ରଖାଯାଇଥିଲା – ଉତ୍ତର ପ୍ରଦେଶ (୬୨), ହରିୟାଣା (୫୨), ଦିଲ୍ଲୀ (୫୧), ପଞ୍ଜାବ (୪୪), ରାଜସ୍ଥାନ (୧୫), ମହାରାଷ୍ଟ୍ର (୮), ଉତ୍ତରାଖଣ୍ଡ (୫), କର୍ଣ୍ଣାଟକ, ଗୁଜରାଟ ଓ ବିହାର (୩-୩ ଜଣ ଲେଖାଏଁ) ଏବଂ ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଓ କେରଳ (୨-୨ ଜଣ ଲେଖାଏଁ)। ଏହା ସହିତ ଦିଲ୍ଲୀ ଏବଂ କର୍ଣ୍ଣାଟକରେ ନୂଆ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି।
ଏପର୍ଯ୍ୟନ୍ତ SBN ବିରୋଧରେ ୮୦ରୁ ଅଧିକ ଏଫଆଇଆର ଏବଂ ୨୦୦ରୁ ଅଧିକ ଗିରଫଦାରୀ ଦର୍ଜ କରାଯାଇସାରିଛି। ଏହି ମାମଲାଗୁଡ଼ିକ UAPA, BNS, ଆର୍ମସ ଆକ୍ଟ, NDPS ଆକ୍ଟ ଏବଂ ବିସ୍ଫୋରକ ପଦାର୍ଥ ଅଧିନିୟମ ଅଧୀନରେ ରୁଜୁ ହୋଇଛି।
ସୁରକ୍ଷା ଏଜେନ୍ସିଗୁଡ଼ିକ ଦୋହରାଇଛନ୍ତି ଯେ, ସୀମାପାର ଆତଙ୍କବାଦ ପ୍ରତି ଭାରତ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି ଏବଂ ସାରା ଦେଶରେ ଏହି ନେଟୱର୍କକୁ ସମ୍ପୂର୍ଣ୍ଣ ସମାପ୍ତ କରିବା ପାଇଁ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଜାରି ରହିବ।