ପ୍ରସନ୍ନ ପତିଙ୍କୁ ନାରଦ ସମ୍ମାନ
ଭୁବନେଶ୍ୱର,୦୪/୦୫: ଉତ୍ତମ ସାମ୍ବାଦିକତା, ନିରପେକ୍ଷ ରିପୋଟିଂ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପ୍ରତି ନ୍ୟାୟ ତଥା ରାଷ୍ଟ୍ର ଓ ସମାଜ ଗଠନ କ୍ଷେତ୍ରରେ କଲମ ଚଳାଇଥିବାରୁ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପତିଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଓ ସାମ୍ବାଦିକତା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ୨୦୨୬ ବର୍ଷର ମର୍ଯ୍ୟାଦାଜନକ ‘ନାରଦ ସମ୍ମାନ’ରେ ବିଭୂଷିତ କରାଯାଇଛି ।

ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ରାଜ୍ୟସ୍ତରୀୟ ‘୨୨ତମ ନାରଦ ସମ୍ମାନ’ସମାରୋହ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ସମ୍ମାନୀତ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ଶ୍ରୀମାନ୍ ପ୍ରଦୀପ ଜୋଶୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡିଶା ଗଣମାଧ୍ୟମ ଜଗତର ଜଣେ ଲୋକପ୍ରିୟ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ପ୍ରସନ୍ନ ପତିଙ୍କୁ ନାରଦ ସମ୍ମାନ ପ୍ରଦାନ କରିଛନ୍ତି । ଶ୍ରୀ ପତିଙ୍କୁ ନାରିକେଳ, ଉତ୍ତ୍ରୀୟ, ମାନପତ୍ର ସହିତ ଏକୋଇଶ ହଜାର ଟଙ୍କାର ଏକ ଚେକ ମଧ୍ୟ ପ୍ରଦାନ କରାଯାଇଛି ।

ଶ୍ରୀ ପତି ଅଧ୍ୟାପନା ଛାଡ଼ି ସାମ୍ବାଦିକତା ଭଳି ଏକ ଆହ୍ୱାନପୂର୍ଣ ଓ ଅସ୍ଥିର ବୃତ୍ତିକୁ ଆଦରି ନେଇଥିଲେ। ଦୈନିକ ‘ଧରିତ୍ରୀ’ରୁ ଆରମ୍ଭ ହୁଏ ତାଙ୍କର ପେସାଦାର ସାମ୍ବାଦିକତା ଜଣେ ସହସମ୍ପାଦକ ଭାବେ। ତା’ପରେ ସେ ଯୋଗଦିଅନ୍ତି ‘ସମ୍ବାଦ’ରେ। ସେଠାରେ ସହ-ସମ୍ପାଦକ ଭାବେ କିଛିଦିନ କାମ କରିବା ପରେ ଏକାଧିକ ସହରର ପ୍ରତିନିଧି ଭାବେ କାମ କରିଛନ୍ତି । କିଛି ଦିନପରେ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ କାଗଜ ‘ସମାଜ’ରେ ଯୋଗଦେଇଥିଲେ ଜଣେ ସହ- ସମ୍ପାଦକ ଭାବେ । ତାପରେ କର୍ତ୍ତୃପକ୍ଷ ପ୍ରଥମେ ତାଙ୍କୁ ରାଉରକେଲା ଓ ପରବର୍ତ୍ତୀ ସମୟରେ ଭୁବନେଶ୍ୱର ବ୍ୟୁରୋ ଦାୟିତ୍ୱ ଅର୍ପଣ କରିଥିଲେ। ତାଙ୍କର ସମର୍ପିତ ବୃତ୍ତିଗତ କାର୍ଯ୍ୟ, ନିରପେକ୍ଷତା, ନିଷ୍ଠାପରତା ଓ ଉତ୍ତମ ବ୍ୟବହାରରେ ମୁଗ୍ଧ ହୋଇ କର୍ତ୍ତୃପକ୍ଷ ତାଙ୍କୁ ‘ସମାଜ’ର ବାର୍ତ୍ତା ସମ୍ପାଦକ ଦାୟିତ୍ୱ ପ୍ରଦାନ କରିଥିଲେ । ସେ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ଦ୍ୱାରା ସମ୍ମାନିତ ।

ଅଧ୍ୟାପକ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ସାଇପ୍ରସାଦ ଦାଶ ବିବରଣୀ ପାଠ କରିଥିଲେ । ସିନ୍ଦୁ ସାଗର ମହାନ୍ତି କାର୍ଯ୍ୟକ୍ରମରେ ସଂଯୋଜନା , ଶିବ ପ୍ରସାଦ ନାୟକ ମାନପତ୍ର ପାଠ, ଜଗଦାନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀମାନେ ଦେଶାତ୍ମକ ସଂଗୀତ ଗାନ କରିଥିଲେ ।ଇଂ ସୁଦର୍ଶନ ଦାସ, ଜ୍ଞାନେନ୍ଦ୍ର କୁମାର ନାୟକ,ଇଂ ପ୍ରଭାକର ବେହେରା, ବିପିନ ବେହେରା, ସୌମେନ୍ଦ୍ର ଜେନା,ତପେଶ ଦାସ,ଭଦ୍ରସେନ ସ୍ୱାଇଁ, ଅଚ୍ୟୁତ ବିଶ୍ୱାଳ, ନାରାୟଣଦାସ ମାଓତୱାଲେ,ନିହାର ରଞ୍ଜନ ପତି,ସୂର୍ଯ୍ୟକାନ୍ତ ସାହୁ, ଅଂଶୁମାନ ମାର୍ଥା, ସୁମନ୍ତ କୁମାର ପଣ୍ଡା, ମନିନ୍ଦ୍ର ସୁନ୍ଦର ଦାଶ,ନିରଞ୍ଜନ ନାୟକ, ଦୁଷ୍ମନ୍ତ କୁମାର ବାରିକ, ପ୍ରେମାନନ୍ଦ ନାଥ, ଜୟକୃଷ୍ଣ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରୁଥିବା, ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସମ୍ବାଦ ପରିବେଷଣ ସହ ରାଷ୍ଟ୍ରୀୟ ବିଚାରଧାରାର ପ୍ରସାର ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତି ବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ । ୨୨ବର୍ଷ ଧରି ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭଲେଖକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଭଗବାନ ନାୟକବର୍ମା,ସ୍ୱର୍ଗତ ଗୋପାଳ ମିଶ୍ର,ରାଜାରାମ ଶତପଥି, ଗୋପାଳକୃଷ୍ଣ ମହାପାତ୍ର, ଭାସ୍କର ପରିଚ୍ଛା, ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ, ସୁଧିର କୁମାର ଦାଶ, ଭାଗିରଥି ମହାସୁଆର, ଜଗବନ୍ଧୁ ମିଶ୍ର, ସ୍ୱର୍ଗତ ଅରୁଣ କୁମାର ପଣ୍ଡା, ପ୍ରତାପ ମହାନ୍ତି, ସିଦ୍ଧାର୍ଥ କାନୁନ୍ଗୋ, ପ୍ରଭୂ କଲ୍ୟାଣ ମହାପାତ୍ର, ଶିବନାରାୟଣ ସିଂହ, ତପନ ମିଶ୍ର, ସୁବ୍ରତ ଦାସ, ଆର୍ତ୍ତ ମିଶ୍ର,ଅଭୟ କୁମାର ଦ୍ୱିବେଦୀ,ଡ. ଅସୀତ ମହାନ୍ତି ଓ ଉପେନ୍ଦ୍ର ପ୍ରସାଦ ମହଲା ପ୍ରମୁଖ ଏହି ନାରଦ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।