ଆର୍.ଏସ୍.ଏସ୍.ର ପ୍ରମୁଖ ନାଗରିକ ସଂଗୋଷ୍ଠୀ
କଟକ, ତା୧୨।୪- ୧୯୨୫ ମସିହାରେ ସ୍ଥାପିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍.ଏସ୍.ଏସ୍.) ନାନାଦି ବାଧାବିଘ୍ନ ସତ୍ତ୍ୱେ କ୍ରମଶଃ ତା’ର କାୟା ଵିସ୍ତାର କରି ଆଜି ଏକ ବୃହତ୍ ସଂଗଠନରେ ପରିଣତ ହୋଇପାରିଛି। ସ୍ୱୟଂସେବକମାନଙ୍କର ସମର୍ପିତ ତଥା ନିଃସ୍ୱାର୍ଥ ସାଧନ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ କହିଛନ୍ତି।
ସ୍ଥାନୀୟ ସାରଳା ଭବନଠାରେ ଶନିବାର ସନ୍ଧ୍ୟାରେ ସଂଘ ପକ୍ଷରୁ ଆୟୋଜିତ ପ୍ରମୁଖ ନାଗରିକ ସଂଗୋଷ୍ଠୀରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ଶ୍ରୀ ସୋନୀ କହିଲେ ଯେ, ସଂଘ ଆଜି ଦେଶବ୍ୟାପୀ ପ୍ରାୟ ଦେଢ଼ଲକ୍ଷ ସ୍ଥାନରେ ସେବାକାର୍ଯ୍ୟ ଜାରି ରଖିଛି। ଜିଲ୍ଲା ସଂଘଚାଳକ ବିପିନବିହାରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଦେଶର ସେବା ଓ ସଂସ୍କାର କ୍ଷେତ୍ରରେ ସଂଘର ଯୋଗଦାନ ଅତୁଳନୀୟ ବୋଲି କହିଥିଲେ। କିଶୋରଚନ୍ଦ୍ର ମହାନ୍ତି, ଶରତଚନ୍ଦ୍ର ସେନ, ନାରାୟଣ ମହାନ୍ତି, କୁଳମଣି ପ୍ରଧାନ, ଲକ୍ଷ୍ମୀଧର ପରିଡ଼ା, ନାରାୟଣ ଷଡ଼ଙ୍ଗୀ, ମୁକ୍ତେଶ ମିଶ୍ର, ଚିତ୍ତରଞ୍ଜନ ମହାନ୍ତି, ପ୍ରଜ୍ଞା ପରିମିତା ଆଚାର୍ଯ୍ୟ, ପ୍ରମୋଦିନୀ ଦାସ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଶେଷରେ ବିଶ୍ଵରଞ୍ଜନ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସହରର ଅନେକ ଶିକ୍ଷାବିତ୍, ଚିକିତ୍ସକ, ଆଇନଜୀବୀ, କଳାକାର, ସମାଜସେବୀ ପ୍ରମୁଖ ଯୋଗଦେଇଥିଲେ।