ଗୋ-ହତ୍ୟା କଲେ ଜନ୍ମଜନ୍ମାନ୍ତରରେ ପାପଭୋଗ ହୁଏ

ଗୋ-ହତ୍ୟା କଲେ ଜନ୍ମଜନ୍ମାନ୍ତରରେ ପାପଭୋଗ ହୁଏ
ଯେ ନର ଗୋ-ହତ୍ୟା କରଇ । ଜନ୍ମ ଜନ୍ମାନ୍ତେ ପାର ନାହିଁ ।।
-ରବିନାରାୟଣ ବ୍ରତ କଥା
ଡ଼ିଶାର ଓଷା-ବ୍ରତ ସାହିତ୍ୟ ବହୁତ ସମୃଦ୍ଧ ଏହା ଆମ ଓଡ଼ିଆ ଭାଷାର ଲୋକ-ପରମ୍ପରା ଓ ଲୋକ-ସଂସ୍କୃତିକୁ ବହୁ ଭାବରେ ସମୃଦ୍ଧ କରିଛି। ପୁରାଣ-ସାହିତ୍ୟ ପରି, ଏହା ବହୁ ଅମୂଲ୍ୟ ଉପଦେଶ ଦେଇ ଜନଜୀବନକୁ ନିୟନ୍ତ୍ରିତ ଓ ମାର୍ଜିତ ମଧ୍ୟ କରିଛି। ରବିନାରାୟଣ ବ୍ରତକଥା ଏହାର ଏକ ନିଦର୍ଶନ । ରବିବାର ଦିନ ଏକାଦଶୀ ତିଥି ପଡ଼ିଲେ ଏହି ବ୍ରତ ହୁଏ ।
ବ୍ରତକଥା ଅନୁସାରେ, ଦିନେ ବିଷ୍ଣୁଙ୍କ ପାଖରେ ଦେବଗଣ ଓ ଋଷିଗଣ ବସିଥିଲେ। ଦେବଗୁରୁ ବୃହସ୍ପତି ସେମାନଙ୍କୁ ଧର୍ମକଥା ଓ ପୁରାଣ କଥା ଶୁଣାଉଥିଲେ। ଏହି ସମୟରେ ଅଗସ୍ତି ମୁନି ଆସି ସେଠାରେ ପହଞ୍ଚିଲେ। ତାଙ୍କୁ ଦେଖି ବୃହସ୍ପତି ପୁରାଣ ରଖିଦେଇ ତାଙ୍କର ଅଭ୍ୟର୍ଥନା କଲେ। କାହିଁକି ପୁରାଣ ରଖିଦେଲ ବୋଲି ଅଗସ୍ତି ପଚାରିବାରୁ ବୃହସ୍ପତି କହିଲେ- ଆପଣ ତ୍ରିଭୁବନ ଭ୍ରମଣ କରିଆସିଛନ୍ତି। ଏଣୁ ଆପଣଙ୍କଠାରୁ ହିଁ ଆମେ ଧର୍ମକଥା ଓ ପୁରାଣ କଥା ଶୁଣିବୁ। ମୋକ୍ଷ, ଧର୍ମ ଓ ଶାସ୍ତ୍ର କ’ଣ ତାହା ଆମକୁ କହନ୍ତୁ। ତାଙ୍କ କଥା ଶୁଣି, ଅଗସ୍ତି କେଉଁ ଧର୍ମ କଲେ କି ଫଳ ମିଳେ ଏବଂ କେଉଁ ପାପ କଲେ କେଉଁ ଦଣ୍ଡ ଭୋଗ ହୁଏ, ତାହା କହିଛନ୍ତି। ସେହି ପ୍ରସଙ୍ଗରେ ଉପରୋକ୍ତ ସୁଭାଷିତଟି କୁହାଯାଇଛି।
ଅଗସ୍ତି କହିଛନ୍ତି- ଯେ ବାଳକହତ୍ୟା କରନ୍ତି, ସେ ସହସ୍ର ବର୍ଷ ନର୍କରେ ପଡ଼ନ୍ତି। ସ୍ତ୍ରୀ-ହତ୍ୟା କଲେ ସହସ୍ର ଜନ୍ମ ପର୍ଯ୍ୟନ୍ତ ପଶୁଯୋନିରେ ଜାତ ହୋଇ ମହାପାପ ଓ କଷ୍ଟ ଭୋଗ କରନ୍ତି। ସ୍ତ୍ରୀ ଯଦି ପୁରୁଷହତ୍ୟା କରେ, ତେବେ ଯମଦଣ୍ଡଧାରୀ ତାଙ୍କର ତୁଣ୍ଡରେ ଲୁହାକୁ ତତାଇ ଚେଙ୍କ ଦିଅନ୍ତି ଏବଂ ତାଙ୍କ ମୁଣ୍ଡରେ ତତଲା ଘିଅ ଢାଳନ୍ତି । ଏହିପରି ଭାବରେ ହତ୍ୟାଦୋଷର ଦଣ୍ଡ କଥା ଅଗସ୍ତି କହିଛନ୍ତି।
ସେହି କ୍ରମରେ ସେ କହିଛନ୍ତି ଗୋ- ହତ୍ୟାର ଦଣ୍ଡ କଥା । ତାହା ହେଉଛି– ଯେଉଁ ମନୁଷ୍ୟ ଗୋ-ହତ୍ୟା କରେ, ସେ ଜନ୍ମ ଜନ୍ମାନ୍ତରରେ ଦଣ୍ଡଭୋଗ କରେ। ସେ ଦରିଦ୍ର ହୁଏ ଏବଂ ତା’ ଦେହରେ କୁତ୍ସିତ ବ୍ୟାଧି ଦେଖା ଦିଏ। ସେହି ମହାପାପ ଯୋଗୁଁ ସେ ଆଉ ମନୁଷ୍ୟ ଜନ୍ମ ପାଏ ନାହିଁ। ଏହାର ବାର୍ତ୍ତା- ଗୋ-ହତ୍ୟା ଯେପରି ପାପ, ଗୋ-ସେବା ସେହିପରି ପୁଣ୍ୟ ।

Leave a Reply

Your email address will not be published. Required fields are marked *