ଖୋର୍ଦ୍ଧା: ପୁରୀ, ଖୋର୍ଦ୍ଧାଠୁ ଆରମ୍ଭ କରି ଜଗତସିଂହପୁର ଯାଏ… କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜିଙ୍କ ଅଧୀନସ୍ଥ ରାଜ୍ୟର ସାତଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ଗୋ-ଚାଲାଣ ହେଉଛି ଖୋର୍ଦ୍ଧା ଜିଲ୍ଲାରେ। ଗଲାମାସ ୧୫ ତାରିଖରୁ ୩୦ ତାରିଖ ମଧ୍ୟରେ ଜିଲ୍ଲା ପୁଲିସ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଡ୍ରାଇଭରୁ ଏକଥା ପଦାକୁ ଆସିଛି। ଦୁଇଦିନ ତଳେ ଖୋଦ୍ କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସତ୍ୟଜିତ୍ ନାୟକ ଦେଇଥିବା ଗୋ-ଚାଲାଣ ରିପୋର୍ଟ ହିଁ ଏକଥା ବୟାନ କରୁଛି।
କେନ୍ଦ୍ରାଞ୍ଚଳ ଡିଆଇଜି ଡ. ନାୟକ ଦର୍ଶାଇଛନ୍ତି, ତାଙ୍କ ରେଞ୍ଜ ଅଧୀନସ୍ଥ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ପୁଲିସ ସର୍ବାଧିକ ଛଅଟି ଧରପଗଡ଼ କରିଛି। ତନ୍ମଧ୍ୟରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ସର୍ବାଧିକ ତିନିଟି ମାମଲା ରୁଜୁ କରିଥିବା ବେଳେ ଖୋର୍ଦ୍ଧା ସଦର ଥାନା ପୁଲିସ ଦୁଇଟି ଓ ଜଙ୍କିଆ ଥାନା ପୁଲିସ ଗୋଟିଏ ମାମଲା ରୁଜୁ କରିଛି। ମୋଟ ଉପରେ ଜିଲ୍ଲା ପୁଲିସ ୮୧ଟି ଗାଈ ଓ ମଇଁଷି ଜବତ କରିଥିବା ବେଳେ ଟ୍ରକ୍ ଓ ଆଇଚର ଗାଡ଼ି ସମେତ ମୋଟ୍ ଛଅଟି ଗାଡ଼ି ବି ଜବତ ହୋଇଛି। ସେହିପରି ବେଆଇନ ଗୋ ଚାଲାଣ ଅଭିଯୋଗରେ ପୁଲିସ ୧୦ଜଣଙ୍କୁ ଗିରଫ ବି କରିଛି। କିନ୍ତୁ, ଖୋର୍ଦ୍ଧା ଜିଲ୍ଲା ତୁଳନାରେ ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ଧରପଗଡ଼ ପୂରା ଶୂନ ପଡ଼ିଥିବା ବେଳେ କେବଳ କଟକ ଜିଲ୍ଲାରେ ଦୁଇଟି ମାମଲା ରୁଜୁ ହୋଇଥିବା ଡିଆଇଜି ଡ. ନାୟକ ପ୍ରକାଶ କରିଛନ୍ତି। ମୋଟ ଉପରେ କେନ୍ଦ୍ରାଞ୍ଚଳ ରେଞ୍ଜରୁ ୭୦ଟି ଗାଈ, ୨୧ଟି ମଇଁଷି, ୧୦ଟି ଗାଡ଼ି ଓ ୧୩ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗୋ-ଚାଲାଣ ତଳକୁ ଖୋର୍ଦ୍ଧା ଜିଲ୍ଲାର ଏନ୍ଡିପିଏସ୍ ମାମଲା ବି କିଛି କମ୍ ନୁହେଁ। ସଂପୂର୍ଣ୍ଣ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ସାତଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ପୁରୀ ଜିଲ୍ଲାରେ ୧୧ଟି ମାମଲା ରୁଜୁ ହୋଇଥିବା ବେଳେ ତା’ ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଯାହାର ମାମଲା ସଂଖ୍ୟା ୭ ବୋଲି ଡିଆଇଜି ଡ. ନାୟକ ଦର୍ଶାଇଛନ୍ତି। ସେହିପରି କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଏଚ୍ଡିପିଏସ୍ ମାମଲା ଶୂନ ଥିବା ବେଳେ ନୟାଗଡ଼ରେ ଗୋଟିଏ ଓ ଜଗତସିଂହପୁରରେ ଚାରିଟି ମାମଲା ରୁଜୁ ହୋଇଛି। ମୋଟ ଉପରେ ଉପରୋକ୍ତ ସାତଟି ଜିଲ୍ଲାରେ ୨୩ଟି ମାମଲା ରୁଜୁ ହୋଇଛି। ଏଥିରେ ମୋଟ ୪୮୫.୫୭ ଗ୍ରାମ୍ ବ୍ରାଉନ୍ ସୁଗାର, ୪୩ ୧କେଜି ଗଞ୍ଜେଇ ଓ ୯୨ ବୋତଲ କଫ ସିରଫ ଜବତ ହୋଇଛି। ମୋଟ୍ ୨୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କିନ୍ତୁ, ଚୋରା ବନ୍ଧୁକ ଓ ଗୁଳି ଜବତ ଘଟଣାରେ ଖୋର୍ଦ୍ଧା ଜିଲ୍ଲା ପୁଲିସର ସଫଳତା ପୂରା ଶୂନ କେନ୍ଦ୍ରାଞ୍ଚଳ ରେଞ୍ଜର୍ ମୋଟ୍ ୭ଟି ଜିଲ୍ଲା ମଧ୍ୟରୁ ଉପରୋକ୍ତ ଅପରାଧରେ ମୋଟ ଆଠଟି ମାମଲା ରୁଜୁ ହୋଇଥିବା ବେଳେ ମୋଟ ୬ଟି ବନ୍ଧୁକ ଓ ୨ଟି ପିସ୍ତଲ ଜବତ ହୋଇଥିଲା । ସେହିପରି ୧୦ଟି ଜୀବନ୍ତ ଗୁଳି ବି ଜବତ ହୋଇଥିଲା। ଏଥିରେ ମୋଟ ୨୭ ଜଣ ଗିରଫ ହୋଇଥିଲେ। କିନ୍ତୁ, ଉପରୋକ୍ତ ଅପରାଧିକ ମାମଲାରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ନା ଜଣଙ୍କୁ ଗିରଫ କରିଥିଲା, ନା ଗୋଟିଏ ଗୁଳି ବି ଜବତ କରିଥିଲା। ସେହିପରି ପେସାଦାର
ଅପରାଧୀଙ୍କୁ ଗିରଫ କରିବାରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ବି ପଛଘୁଞ୍ଚା ଦେଇଛି। ମୋଟ ୭ଟି ଜିଲ୍ଲା ପୁଲିସ ୨୪୯ଜଣ ପେସାଦାର ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ସବୁଠାରୁ କମ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳତା ଅର୍ଜନ କରିଛି।