ସମୁଦ୍ର କୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି

ଧାମରା: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ବାଂଲାଦେଶୀ ଚିହ୍ନଟ ପାଇଁ କ୍ରମାଗତ ଭାବେ ଭଦ୍ରକ ଜିଲ୍ଲାରେ ପୁଲିସ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଧାମରା ନିକଟ ଦୋସିଙ୍ଗା ପଞ୍ଚାୟତର ପ୍ରଦ୍ୟୁତନଗର ଓ ବାଲିସାହିରୁ ବାଂଲାଦେଶୀ ସନ୍ଦେହରେ ୧୦ ଜଣଙ୍କୁ ଅଟକ ରଖିଛନ୍ତି। ପୁଲିସ ସେମାନଙ୍କ ଆଧାର କାର୍ଡ ସମେତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରୁଛି। ବାସୁଦେବପୁର ଅଞ୍ଚଳରୁ ୧୩ ଜଣଙ୍କୁ ଅଟକ ପରେ ଧାମରାରୁ ପୁଣି ୧୦ ଜଣଙ୍କୁ ଚିହ୍ନଟ କରାଯିବା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ ପାଇଛି।
ମାଛ ମାରିବା ଆଳରେ ବାଂଲାଦେଶୀମାନେ ସମୁଦ୍ର ପଥରେ ଆସି ଏଠାରେ ପହଞ୍ଚୁଛନ୍ତି। କିଛି ଦିନ ଏଠାରେ ଅସ୍ଥାୟୀ ଭାବେ ରହିବା ପରେ ଜମିବାଡ଼ି କିଣି ଘର କରି ସ୍ଥାୟୀ ଭାବେ ବାସ କରୁଛନ୍ତି। ସେହିପରି କେତେକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରୁ ଆସି ଉକ୍ତ ଅଞ୍ଚଳରେ ଫେରି ସମେତ ଶୁଖୁଆ ଖଟି, ମାଂସ ଦୋକାନ ଆଦିରେ କାର୍ଯ୍ୟ କରୁଛନ୍ତି। ସମାନ ଭାଷାଭାଷୀ ହୋଇଥିବାରୁ କାଳକ୍ରମେ ଏଠାରେ ବସତି ସ୍ଥାପନ କରିଥିବା ବଙ୍ଗଭାଷୀଙ୍କ ସହିତ ସଂପର୍କ ଯୋଡୁଛନ୍ତି। କ୍ରମଶଃ ସେମାନେ ଧାମରା ଉପକୂଳ ଅଞ୍ଚଳରେ ସ୍ଥାୟୀ ଭାବେ ବାସ କରୁଛନ୍ତି। ଫଳରେ ଧାମରା ଅଂଚଳରେ ମାଳମାଳ ବାଂଲାଦେଶୀ ବାସ କରୁଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଧାମରା ଓ କଣିଆ ସାମୁଦ୍ରିକ ଥାନାର କର୍ମଚାରୀ ଓ ଅଧିକାରୀ ଅଭାବ ବାଂଲାଦେଶୀ ପ୍ରବେଶ ପାଇଁ ସହଜ ହେଉଛି।

ପୁଲିସ ସୂଚନାକ୍ରମେ, ସମୁଦ୍ର କୂଳରେ ପଇଁତରା କରିବାକୁ ପୁଲିସ କର୍ମଚାରୀ ଅଭାବ। ସେହିପରି ଆଧୁନିକ ଅସ୍ତ୍ରଶସ୍ତ୍ର ଅଭାବ ରହିଛି। ଏହାର ସୁଯୋଗ ହିଁ ବାଂଲାଦେଶୀଙ୍କ ଅନୁପ୍ରବେଶକୁ ସୁହାଉଛି। ସବୁଠୁ ବଡ଼ କଥା; ଧାମରାରେ ବନ୍ଦର, ଧାମରା ମତ୍ସ୍ୟ ପୋତାଶ୍ରୟ ସମେତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ‘ଡ. କଲାମ ହିଲର ଦ୍ଵୀପ ମଧ୍ଯ ରହିଛି
ଏସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ପରିବର୍ତ୍ତେ ଦିନକୁଦିନ ଢିଲା ହେବାରେ ଲାଗିଛି। ଅଚିହ୍ନା ବ୍ୟକ୍ତି କେଉଁ ମୁହୂର୍ତ୍ତରେ ଅଘଟଣ ଘଟାଇବା ସମ୍ଭାବନାକୁ ଏଡ଼େଇ ଦେଇ ହେବନି| ଏସବୁ ଦୃଷ୍ଟିରୁ ସମୁଦ୍ର କୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *