ବଜରଙ୍ଗ ଦଳ ପକ୍ଷରୁ ଏସ୍ପିଙ୍କୁ ଦାବିପତ୍ର
ଯାଜପୁର/ପାଣିକୋଇଲି, ୮/୯ : ରାଜ୍ୟ ସରକାରଙ୍କ ଗୃହ ବିଭାଗ ନିର୍ଦ୍ଦେଶ କ୍ରମେ ଯାଜପୁର ଆରକ୍ଷୀ ଅଧୀକ୍ଷକ ବଡ଼ଚଣା ଥାନାଧିକାରୀ ମଧୁସ୍ମିତା ବେହେରାଙ୍କୁ ଗତକାଲି ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଆଜି ତାଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବାକୁ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇ ସଂଗଠନର ସଦସ୍ୟମାନେ ଏସ୍ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କହିବା କଥା, ଇନ୍ସପେକ୍ଟର ମଧୁସ୍ମିତା ବଡ଼ଚଣା ଥାନାରେ ଯୋଗଦେବା ପରଠୁଁ ବେଆଇନ୍ ଗୋଚାଲାଣକୁ ରୋକିବା ଦିଗରେ ବିଶେଷ ପଦକ୍ଷେପ ନେଇଛନ୍ତି | ଉକ୍ତ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇଥିଲେ। ତେବେ ଗୋମାଫିଆଙ୍କ ଚକ୍ରାନ୍ତ ତଥା ରାଜନୈତିକ ଚାପରେ ତାଙ୍କୁ ଆକ୍ରୋଶମୂଳକ ଭାବେ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ତେଣୁ ଉକ୍ତ ବଦଳି ଆଦେଶକୁ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିବାସହ ଆଜି ବଡ଼ଚଣା ଥାନା ସମ୍ମୁଖରେ ବଜରଙ୍ଗ ଦଳର କିଛି କର୍ମୀ ଧାରଣାରେ ବସିଥିବାବେଳେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ଶାଖା ଓ ବଜରଙ୍ଗ ଦଳ ତରଫରୁ ଏକ ପ୍ରତିନିଧି ଦଳ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ୟଶ୍ ପ୍ରତାପ ଶ୍ରୀମାଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ବିଶ୍ୱହିନ୍ଦୁ ପରିଷଦର ସଭାପତି ସମୀର କୁମାର ନାୟକ, ସମ୍ପାଦକ ରାଜକିଶୋର ମଲ୍ଲିକ, ବଜରଙ୍ଗ ଦଳର ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର, ଜିଲ୍ଲା ସଂଯୋଜକ ବସନ୍ତ ପାତ୍ର, ବଡ଼ଚଣା ପ୍ରଖଣ୍ଡର ସମ୍ପାଦକ ବିଜୟ କୁମାର ସାହୁ, ସଭାପତି ହେମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।