‘ୟଙ୍ଗ ଇଣ୍ଡିଆନ’ ଗଠନ ପାଇଁ ଷଡ୍‌ଯନ୍ତ୍ର

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାର ଶୁଣାଣି ବୁଧବାର ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତରେ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଏହି ମାମଲାର ତଦନ୍ତ କରୁଥିବା ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଭି ରାଜୁ ଦାବି କରିଛନ୍ତି ଯେ‘ୟଙ୍ଗ ଇଣ୍ଡିଆନ’ ଗଠନ ପାଇଁ ଷଡ୍‌ଯନ୍ତ୍ର ହୋଇଥିଲା, ଯେଉଁଥିରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କର ୭୬% ଅଂଶଧନ ଥିଲା। ଏହା ପଛରେ ଯୋଜନା ଥିଲା ଯେ କଂଗ୍ରେସଠାରୁ ନିଆଯାଇଥିବା ୯୦ କୋଟି ଟଙ୍କାର ଋଣ ବାବଦରେ ୨,୦୦୦ କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରାଯାଇପାରିବ। ବରିଷ୍ଠ କଂଗ୍ରେସ ନେତାଙ୍କ ନିର୍ଦ୍ଦେଶକ୍ରମେ ଏଜେଏଲ୍‌କୁ ବିଜ୍ଞାପନ ଟଙ୍କା ମଧ୍ୟ ଦିଆଯାଇଥିଲା ଏବଂ ଏହି ନକଲି କମ୍ପାନିରୁ ଯାହା ଆୟ ହୋଇଥିଲା, ତାହା ଅପରାଧର ଆୟ ବୋଲି ଇଡି କହିଛି। ଏହା ପୂର୍ବରୁ ଗତ ମେ ୨୧ ତାରିଖରେ ହୋଇଥିବା ଶୁଣାଣି ସମୟରେ ଇଡି କହିଥିଲା ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ୧୪୨ କୋଟି ଟଙ୍କାର ଅପରାଧ ଆୟ କରିଛନ୍ତି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅଧୀନରେ ଦାୟର ହୋଇଥିବା ମାମଲାରେ ଇଡି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସଦସ୍ୟା ସୋନିଆ ଗାନ୍ଧୀଙ୍କୁ ଅଭିଯୁକ୍ତ ନମ୍ବର ୧ ଏବଂ ତାଙ୍କ ପୁଅ  ରାହୁଲ ଗାନ୍ଧୀଙ୍କୁ ଅଭିଯୁକ୍ତ ନମ୍ବର ୨ ଭାବେ ଦର୍ଶାଇଛି। ଏହାବ୍ୟତୀତ ଏହି ମାମଲାରେ ଅନ୍ୟ ୫ ଜଣଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *