ପାକିସ୍ତାନ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇ ବିଶ୍ବ ସମୁଦାୟକୁ ବିଭ୍ରାନ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛି

ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ତଥା ନିରାପତ୍ତା ପରିଷଦର ଅଧ୍ୟକ୍ଷ ଅସୀମ ଇଫ୍‌ତିଖାର ଅହମ୍ମଦ  କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ଦୀର୍ଘଦିନ ଧରି ଚାଲିଆସୁଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବାର ସମୟ ଆସିଛି ଏବଂ ଏଥିପାଇଁ ୟୁଏନ୍‌ଏସ୍‌ସି ସଦସ୍ୟମାନେ ତତ୍ପରତା ଦେଖାଇବା ଉଚିତ।କାଶ୍ମୀର ପ୍ରସଙ୍ଗରେ ନିରାପତ୍ତା ପରିଷଦ,  ବିଶେଷ କରି  ପାଞ୍ଚଟି ସ୍ଥାୟୀ ସଦସ୍ୟ ଦେଶର କାର୍ଯ୍ୟାନୁଷ୍ଠାନ ଜରୁରି ବୋଲି ବୟାନ ଦେଇ ଇଫ୍‌ତିଖାର ପାକିସ୍ତାନର ଅସଲ ରୂପକୁ ପଦାରେ ପକାଇଛନ୍ତି।   କାଶ୍ମୀରକୁ ନେଇ ପାକିସ୍ତାନ ଏବେ ଅତ୍ୟନ୍ତ ଷଡ୍‌ଯନ୍ତ୍ରପୂର୍ଣ୍ଣ ଭାବେ ଶାନ୍ତି, ମାନବାଧିକାର ଏବଂ ଆଞ୍ଚଳିକ ସ୍ଥିରତା ପ୍ରସଙ୍ଗ  ଉଠାଉଥିବା ବେଳେ ଅନ୍ୟପଟେ କାଶ୍ମୀରରେ ଅସ୍ଥିରତା ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାପାଇଁ ଲଗାତାର ପ୍ରୟାସ କରୁଛି। ଅନ୍ୟପକ୍ଷରେ କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ  ପାକିସ୍ତାନ ସହ ଆମେ କେବଳ  ପିଓକେ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ ବୋଲି ଭାରତ ପ୍ରତିଥର ସ୍ପଷ୍ଟ କରିଛି। ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା । ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ ଭାରତ ଏୟାର ଷ୍ଟ୍ରାଇକ୍ କରି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଥିଲା। ପାକିସ୍ତାନର ଅନେକ ଏୟାରବେସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏଭଳି ସ୍ଥିତିରେ ୟୁଏନ୍‌ଏସ୍‌ସିର ଅଧ୍ୟକ୍ଷ ହେବା ପରେ ପାକିସ୍ତାନ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇ ବିଶ୍ବ ସମୁଦାୟକୁ ବିଭ୍ରାନ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *