ନୂଆଦିଲ୍ଲୀ : ଦେଶର ଜନଗଣନା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଘରକୁ ତାଲିକାଭୁକ୍ତ ଘର ଗଣନା କରିବାକୁ ଧାର୍ଯ୍ୟ ହୋଇଥିବାବେଳେ ଏଥିପାଇଁ ଆବଶ୍ୟକ କାର୍ଯ୍ୟ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଜନଗଣନା କମିସନର ତଥା ଭାରତର ରେଜିଷ୍ଟ୍ରାର ଜେନେରାଲ ମୃତ୍ୟୁଞ୍ଜୟ କୁମାର ନାରାୟଣ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପତ୍ରରେ ଘର ଗଣନା କାର୍ଯ୍ୟ ନିମନ୍ତେ ସୁପରଭାଇଜର, ଗଣନାକାରୀ ନିଯୁକ୍ତି ଦେବା ସହିତ ସେମାନଙ୍କ ପାଇଁ କାମ ଆବଣ୍ଟନ କରିବାକୁ କୁହାଯାଇଛି। ଜନଗଣନା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଘରକୁ ଗଣନା କରାଯିବ। ଏହି ସମୟରେ ଘରେ କି ପ୍ରକାର ଆସବାବପତ୍ର ରହିଛି, ଘରର ରୋଜଗାର, କି ପ୍ରକାର ଘର, ଘରର ସ୍ଥିତି ଇତ୍ୟାଦିର ତଥ୍ୟ ସଂଗ୍ରହ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା କରାଯିବ। ଅର୍ଥାତ୍ ପ୍ରତ୍ୟେକ ଘରେ ରହୁଥିବା ସଦସ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।