ସମ୍ଭଲ ହିଂସା: ସର୍ଭେ ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ଆଦିଲ୍ଲୀ: ସମ୍ଭଲରେ ଥିବା ମୋଗଲ ଯୁଗର ଶାହି ଜାମା ମସଜିଦ୍‌ ସର୍ଭେ ସଂକ୍ରାନ୍ତରେ କୌଣସି ରାୟ ନଦେବା ପାଇଁ ଆଜି ସୁପ୍ରିମକୋର୍ଟ ସମ୍ଭଲ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଉକ୍ତ ମାମଲାରେ ସମ୍ଭଲ ଶାହି ଜାମା ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟରେ ଆବେଦନ  କରିବ ଏବଂ ହାଇକୋର୍ଟ ଏହି ଆବେଦନର ଶୁଣାଣି ନ କରିବା ପର୍ଯ୍ୟନ୍ତ ଟ୍ରାଏଲ୍‌ କୋର୍ଟ  ମାମଲାର ବିଚାରଣରୁ ବିରତ ରହିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଏବଂ ସଂଜୟ କୁମାରଙ୍କ ଖଣ୍ଡପୀଠ ଆଜି ଟ୍ରାଏଲ୍‌ କୋର୍ଟଙ୍କ ସର୍ଭେ ନି‌ର୍ଦ୍ଦେଶ ଉପରେ ରୋକ୍‌ ଲଗାଇଛନ୍ତି।

ଜାନୁଆରିରେ ପରବର୍ତ୍ତୀ ଶୁଣାଣି

ମାମଲାରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ‌‌ଯେ ମୁସଲିମ ପକ୍ଷ ଦ୍ବାରା ହାଇକୋର୍ଟରେ ଆବେଦନ କରାଯିବାର ୩ଟି କାର୍ଯ୍ୟଦିବସ ମଧ୍ୟରେ ହାଇକୋର୍ଟ ଏହି ଆବେଦନର ଶୁଣାଣି ପାଇଁ ଗ୍ରହଣ କରିବେ।  ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ଏହି ମାମଲାରେ କୌଣସି ରାୟ ଶୁଣାଇବା ପର୍ଯ୍ୟନ୍ତ ଟ୍ରାଏଲ କୋର୍ଟ ମାମଲାରେ ଆଗକୁ ବଢ଼ିବେନି ବୋଲି ଆମେ ଆଶା କରୁଛୁ ଏବଂ ଆମର ବିଶ୍ବାସ ରହିଛି।  ଖଣ୍ଡପୀଠ ମଧ୍ୟ ସମ୍ଭଲରେ ଶାନ୍ତି ଏବଂ ସଦ୍‌ଭାବନା ବଜାୟ ରଖିବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସମ୍ଭଲର ଶାହି ଜାମା ମସଜିଦର ପରିଚାଳନା କମିଟି ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ନଭେମ୍ବର ୧୯ ତାରିଖରେ ଜିଲ୍ଲା କୋର୍ଟ ମସଜିଦ ସର୍ଭେ ପାଇଁ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରିଥିଲେ।  କୋର୍ଟ କମିଟିକୁ ଆହ୍ଲାବାଦ ହାଇକୋର୍ଟ ଯିବାପାଇଁ କହିଛନ୍ତି।  ଜାନୁଆରି ୬ ତାରିଖରେ କୋର୍ଟ ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ରଖିଛନ୍ତି।

Leave a Reply

Your email address will not be published. Required fields are marked *