ଖଲିସ୍ତାନୀ ଆତଙ୍କବାଦୀ ନଜରରେ ଓଡ଼ିଶା
ଭୁବନେଶ୍ୱର, ୨୮/୧୧ : ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଵନ୍ତ ସିଂ ପନ୍ତୁ ନଜରରେ ଓଡ଼ିଶା। ଡିଜିପି ସମ୍ମିଳନୀ ପୂର୍ବରୁ ପନ୍ତୁର ଧମକପୂର୍ଣ୍ଣ ଭିଡିଓ ରାଜଧାନୀରେ ଆତଙ୍କ ସୃଷ୍ଟି କରିଛି। ମନ୍ଦିର ମାଳିନୀ ସହରକୁ ପନ୍ତୁର ଆତଙ୍କବାଦୀ ସହର ଆଖ୍ୟା ଦେଇଛି। ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ତୁ ଜାରି ଭିଡ଼ିଓରେ ନିଜ ସହଯୋଗୀ ଓ ଆତଙ୍କବାଦୀ ସଙ୍ଗଠନକୁ ଅନୁରୋଧ କରିଛି। ପନ୍ତୁର ଧମକ ପରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ପ୍ରତି ଛକରେ ବିଏସଏଫ ଯବାନ ଓ କମାଣ୍ଡୋ ବ୍ଲକିଂ କରି ଗାଡ଼ି ମୋଟରକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ଛକ ଓ ଗଳିକନ୍ଦିରେ ସାଦା ପୋଷାକଧାରୀ ପୁଲିସ ପଇଁତରା ମାରୁଛନ୍ତି। ଉଚ୍ଚ ଅଟ୍ଟାଳିକାରେ ସଶସ୍ତ୍ର ପୁଲିସ ଜଗି ରହିଛନ୍ତି। ଆତଙ୍କବାଦ ନିରୋଧ ସ୍କାର୍ଡର ନଜରରେ ଭିଆଇପି ସୁରକ୍ଷା ବ୍ୟବସ୍ଥା ରହିଛି। ସନ୍ଦିଗ୍ଧଙ୍କୁ ଦେଖିବା ମାତ୍ରେ ଉଠାଇ ନେଇ ଜେରା କରୁଛି। ଅତୀତରେ ରାଜ୍ୟରେ ଆତଙ୍କୀ ଧରାପଡ଼ିଥିବାରୁ ପୁଲିସ ସତର୍କ ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଇନ୍ଦା ବିଭାଗ ସକ୍ରିୟ ହୋଇଛି । ୨୦୧୫ ଡିସେମ୍ବର ୧୬ରେ ଦିଲ୍ଲୀ ପୁଲିସର ସ୍ଵତନ୍ତ୍ର ଦଳ କଟକରେ ପହଞ୍ଚି ସ୍ଥାନୀୟ ପୁଲିସ ସହାୟତାରେ ଆତଙ୍କବାଦୀ ଅବଦୁଲ ରହେମାନକୁ ଜଗତପୁର ଅଞ୍ଚଳରୁ ଗିରଫ କରିଥିଲା। ଏପରିକି ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସହ ତା’ର ସମ୍ପର୍କ ଥିଲା । ଅବଦୁଲ ସମ୍ପର୍କରେ କେନ୍ଦ୍ର ଗୁଇନ୍ଦା ବ୍ୟୁରୋ ସୂଚନା ପାଇ ଏଠାରୁ ତାକୁ ଧରିବାରେ ସଫଳ ହୋଇଥିଲା । ରାଉରକେଲାରେ ଆତ୍ମଗୋପନ କରିଥିବା ୪ ଜଣ ସିମି ଆତଙ୍କବାଦୀଙ୍କୁ ତେଲଙ୍ଗାନା ପୁଲିସ ଗିରଫ କରିଥିଲା । ସେମାନେ ରାଉରକେଲାରେ ରହି ତେଲଙ୍ଗାନାରେ କାର୍ଯ୍ୟକଳାପ ଚଳାଇଥିଲେ। ସେହିପରି ଜଣେ ସୁନ୍ଦରୀ ଯୁବତୀ ମାୟାଜାଲରେ ପଡି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟକୁ ୫ ଜଣ କର୍ମଚାରୀ ପାକିସ୍ତାନକୁ ଦେଇଥିଲେ। ଓଡ଼ିଶା କ୍ରାଇମବ୍ରାଞ୍ଚ ଜାଣିପାରି ସମ୍ପୃକ୍ତ ୪ ଜଣ ଠିକା କର୍ମଚାରୀଙ୍କ ସମେତ ନିର୍ଦେଶକଙ୍କ ଗାଡି ଚାଳକକୁ ୨୦୨୧ରେ ଗିରଫ କରିଥିଲା। ତଦନ୍ତ ପରେ ଉକ୍ତ ରହସ୍ୟମୟୀ ପାକିସ୍ତାନୀ ବୋଲି ଜଣାପଡିଥିଲା । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ହାତରେ ଓଡ଼ିଶା ସିମକାର୍ଡ ଘଟଣାର କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର କାର୍ଯ୍ୟବଳ ( ଏସଟିଏଫ) ତଦନ୍ତ କରିଥିଲା। ସେମାନେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଇକୁ ଓଡ଼ିଶା ସିମ୍କାର୍ଡ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଏହି ଦଳର ୮ ଜଣଙ୍କୁ ତଦନ୍ତକାରୀ ଦଳ ଗିରଫ କରିବାରେ ସକ୍ଷମ ହୋଇଥିଲା ।