–ରବି ନାରାୟଣ ପଣ୍ଡା
ରେଭେନସା କଲେଜକୁ ନେଇ ଓଡିଶାର ବୁଦ୍ଧଜୀବୀମାନଙ୍କ ଭିତରେ ଚର୍ଚ୍ଚା ଏବେ ଜୋର ଧରିଛି । ଅନେକ ଦିନ ଧରି ମନ୍ଥର ଗତିରେ ଚାଲିଥିବା ଚର୍ଚ୍ଚା କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ତୀବ୍ର ହେବାରେ ଲାଗିଛି । ନାମ ପରିବର୍ତନକୁ ନେଇ ସପକ୍ଷ ଓ ବିପକ୍ଷଙ୍କ ଭିତରେ ବିତର୍କ କେବେ କେବେ ବ୍ୟକ୍ତିଗତ ସ୍ତରକୁ ଚାଲି ଯାଉଛି । ଯାହା ବିତର୍କ ବିଷୟ ହେବା କଥା ନୁହେଁ ତାକୁ ନେଇ ବିତର୍କ ହେବାର ବଡ କାରଣ ହେଉଛି କିଛି ବ୍ୟକ୍ତି ସ୍ୱାଭିମାନ ଓ ସାଂସ୍କୃତିକ ଧରାତଳ ଉପରେ ଛିଡା ହୋଇ ନିଜର ତର୍କ ପ୍ରସ୍ତୁତ କରୁଛନ୍ତି । ଆଉକିଛି ଇଂରେଜମାନେ ତିଆରି କରିଥିବା ଦୃଷ୍ଟିକୋଣରେ ତର୍କ ପ୍ରସ୍ତୁତ କରୁଛନ୍ତି ।
ପ୍ରଥମ ବିଷୟ ହେଉଛି ଓଡିଶାର ଗର୍ବ ଗୌରବ କଟକ କଲେଜ ରେଭନ୍ସା କଲେଜ କାହିଁକି ହେଲା ? ଆଜିର ରେଭନ୍ସା କଲେଜ ୧୮୬୮ ମସିହାରେ କଟକ କଲେଜ ନାମରେ ସ୍ଥାପନା ହୋଇଥିଲା କିନ୍ତୁ ତାହା ୧୮୭୮ ବେଳକୁ ରେଭନ୍ସା କଲେଜରେ ପରିଣତ ହୋଇଥିଲା । ଯଦି ରେଭେନ୍ସାଙ୍କ ନାମରେ କଲେଜ ଆରମ୍ଭ ହୋଇଥାଆନ୍ତା ତାହେଲେବି ଦେଶ ସ୍ୱାଧୀନ ହେବା ପରେ ଭାରତୀୟଙ୍କ ନାମରେ କଲେଜର ନାମ ପରିବର୍ତନ ହୋଇ ଯିବା କଥା କିନ୍ତୁ ଏହି କ୍ଷେତ୍ରରେ ସେପରି ହୋଇନାହିଁ । କଟକ କଲେଜର ନାମ ପରିବର୍ତନ କରି ନିଜ ନାମରେ କଲେଜର ନାମ କରଣ କରିବା ସଂପୂର୍ଣ୍ଣ ରୂପେ ମହତ୍ୱକାଂକ୍ଷାର ପରିଚୟ ଅଟେ । ଗୋଟିଏ ଐତିହାସିକ ସହରର ନାମରେ ନାମିତ କଲେଜ ଜଣେ ବ୍ୟକ୍ତି ନାମକୁ ଚାଲିଯିବା କୌଣସି ରାସ୍ତାରେ ସଭ୍ୟ ଓ ନ୍ୟାୟ ପ୍ରିୟ ସମାଜ ପାଇଁ ଗ୍ରହଣୀୟ ହେବା କଥା ନୁହେଁ । ଯେଉଁ ରାଜ୍ୟରେ ବ୍ୟକ୍ତିଠାରୁ ସମାଜକୁ ମହତ୍ୱ ଦେବାର ପରମ୍ପରା ଅନନ୍ତ କାଳରୁ ପ୍ରଚଳିତ, ସେଠାରେ ସମାଜ ଠାରୁ ବ୍ୟକ୍ତି ମହତ୍ୱପୂର୍ଣ୍ଣ ହେବ କିପରି ? କଳିଙ୍ଗ ଯୁଦ୍ଧ ସମୟରେ ଓଡିଶାର ଶାସକ କିଏ ଥିଲେ ତାହା ଆଜିବି ଅଜ୍ଞାତ । ଅର୍ଥାତ ଏହି ଜାତି ବ୍ୟକ୍ତିକୁ ସଦା ସର୍ବଦା ଗୌଣ କରି ଦେଖି ଆସିଛି । କଟକ କଲେଜ ରେଭନ୍ସା କଲେଜ ହେବା ଓଡିଶା ପାଇଁ କିପରି ଗ୍ରହଣୀୟ ହେବ ? ଉତ୍କଳ ବିଶ୍ୱବିଦ୍ୟାଳୟକୁ କୌଣସି ବ୍ୟକ୍ତି ନାମରେ ନାମିତ କଲେ ଓଡିଶା କଣ ସହଜରେ ଏହାକୁ ଗ୍ରହଣ କରିବ କି ?
ଅନ୍ୟ ଏକ କଥା ହେଉଛି ଥୋମାସ ଏଡୱାର୍ଡ ରେଭେନ୍ସା ଜଣେ ବିଦେଶୀ ସନ୍ତାନ । ଯେଉଁ ସମାଜର ଲୋକ ଭାରତର ହଜାର ହଜାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ହତ୍ୟା କରିଛନ୍ତି, ଯେଉଁମାନେ ଜୟୀରାଜଗୁ ଓ ବକ୍ସି ଜଗବନ୍ଧୁଙ୍କୁ ହତ୍ୟା କରିଛନ୍ତି,ସେମାନଙ୍କୁ ଓଡିଆ ଭାବରେ କିପରି ଶ୍ରଦ୍ଧାଶୁମନ ଅର୍ପଣ କରିହେବ ?
ରେଭେନ୍ସା ନିଜେ କେନ୍ଦୁଝରର ଜୁଆଙ୍ଗ ଓ ଭୂଇଁଆ ଆନ୍ଦୋଳନକାରୀଙ୍କୁ ହତ୍ୟା କରିଛନ୍ତି ବୋଲି କୁହାଯାଇ ପାରେ । ରତନା ନାଏକ ଓ ତାଙ୍କର ସାଥିମାନଙ୍କୁ ୩୦ ନଭେମ୍ବର ୧୮୬୮ରେ ଫାଶୀ ଦିଆଯାଇଥିଲା । ଏହି ଫାସୀ ପାଇଁ ରେଭେନ୍ସା ସଂପୂର୍ଣ୍ଣ ରୂପେ ଦାୟୀ ଅଟନ୍ତି । ଏପରି ଲୋକଙ୍କୁ ଗୌରବାନ୍ୱିତ କରିବାର ବିଚାର ଗୋଟିଏ ଓଡିଆର ମନକୁ ଆସୁଛି କିପରି ? ତାଙ୍କ ନାମରେ ସ୍ୱାଧୀନ ଭାରତରେ ବିଶ୍ୱବିଦ୍ୟାଳୟକୁ ସହ୍ୟ କରିବା ଉଚିତ ହେବ କି? ଯେତେଦିନ ପର୍ଯ୍ୟନ୍ତ ରେଭେନ୍ସାଙ୍କ ନାମରେ କଲେଜ ଥିବ ସେତେଦିନ ପର୍ଯ୍ୟନ୍ତ ଆଦିବାସୀ ଜୁଆଙ୍ଗ ସ୍ୱାଧିନତା ସଂଗ୍ରାମୀମାନଙ୍କର ଆତ୍ମା ଶାନ୍ତି ପାଇବ ନାହିଁ । ଜଣେ ହତ୍ୟାକାରୀଙ୍କୁ ଓଡିଶା ସହ୍ୟ କରିବ ଏପରି ବିଚାରଧାରାକୁ ଆମର ଗୌରବଶାଳୀ ପରମ୍ପରା ଅନୁମୋଦନ କରିବ ନାହିଁ ।
ଓଡିଶାର ନଅଙ୍କ ଦୁର୍ଭିକ୍ଷର ଖଳନାୟକ ନିଜେ ଥୋମାସ ଏଡୱାର୍ଡ ଚାଉଳ ରପ୍ତାନୀରେ ବ୍ୟସ୍ତଥିଲେ । ଦୁର୍ଭିକ୍ଷ ସମୟରେ ୨୦ ହଜାର ଟନ ଚାଉଳ ବ୍ରିଟେନକୁ ରପ୍ତାନି ହେଲା କିନ୍ତୁ ରେଭେନ୍ସା ଓଡିଆ ଲୋକଙ୍କୁ ଖାଇବାକୁ ଦେଇ ପାରିଲେ ନାହିଁ । ପୁରୀର ଜିଲ୍ଲାପାଳ ଜି.ଏନ୍. ବାର୍ଲୋଙ୍କ ବାରମ୍ବାର ଅନୁରୋଧ ସତ୍ୱେ ରେଭେନ୍ସା ମହୋଦୟ ଚାଉଳ ଆମଦାନୀ ପାଇଁ ମନା କରିଦେଇଥିଲେ । ଦୁର୍ଭିକ୍ଷ ଆରମ୍ଭ ସମୟରେ ହଜାର ହଜାର ଲୋକ ମରୁଥିବା ସମୟରେ ଗଡଜାତ ରାଜମାନଙ୍କ ଆତିଥ୍ୟ ଗ୍ରହଣ କରି ସେ ମଉଜମସ୍ତି କରିବାରେ ବ୍ୟସ୍ତ ଥିଲେ । ଏପରି ଜଣେ ଲୋକର ଅପାରଗତା ଓ ଅବହେଳା କାରଣରୁ ପାଖାପାଖି ଚାଳିଶ ଲକ୍ଷ ଓଡିଆ ମରିଯିବେ ଏହା କ୍ଷମାର ବିଷୟ ନୁହେଁ । ଆଜି ଯେଉଁମାନେ ରେଭେନ୍ସା ସପକ୍ଷରେ ଯୁକ୍ତି କରୁଛନ୍ତି ସମ୍ଭବତଃ ସେମାନଙ୍କର ପୂର୍ବପୁରଷ ବି ସେହି ମୃତକ ସୂଚୀରେ ସାମିଲ ଥିବେ । ଗୋଟିଏ ରାଜ୍ୟର ଏକ ତୃତୀୟାଂଶ ଲୋକ ମହାମାରୀରେ ଖାଇବାକୁ ନପାଇ ମରିଯିବେ ଏପରି ନିଷ୍ଠୁର ଓ ନୃଶଂସ କାର୍ଯ୍ୟ ଯାହାର ଅପାରଗତା କାରଣରୁ ହେଲା ତାକୁ ଯଦି ମହିମା ମଣ୍ଡିତ କରାଯାଏ ଆମର ପୂର୍ବ ପୁରୁଷମାନେ ଆମକୁ କ୍ଷମା କରିବେ ନାହିଁ ।
ଫକୀର ମୋହନ ରେଭେନ୍ସାକୁ ପ୍ରଶଂସା କରିଛନ୍ତି ବୋଲି କିଛ ବିଦ୍ୱାନ ତର୍କ କରୁଛନ୍ତି । ଫକୀର ମୋହନଙ୍କୁ ରେଭେନ୍ସା ଏକ ପ୍ରକାର ଚାକିରୀ ଦେଇଛନ୍ତି ବୋଲି କହିଲେ ଚଳେ । ଚାକିରୀ ଦେଇଥିବା ବ୍ୟକ୍ତି ପ୍ରତି ତାଙ୍କର ଦରଦ ରହିବା ସ୍ୱାଭାବିକ । ୧୮୬୯ ରୁ ୧୮୭୧ ଦୁଇ ବର୍ଷ ରେଭେନ୍ସା ମହାଶୟଙ୍କ ଓଡିଆ ଭାଷା ବିରୋଧୀ ଭୂମିକାର ଚର୍ଚ୍ଚା ହେବା ଉଚିତ । ରେଭେନ୍ସା ମହାଶୟ ବ୍ରିଟିଶ ସଂସଦକୁ ଚିଠି ଲେଖିଥିଲେ ଯେ ଓଡିଆ ଏକ ଭାଷା ନୁହେଁ ଓ ଏହି ଭାଷାରେ ପାଢ ପଢାଯିବା ଉଚିତ ନୁହଁ । ଓଡିଆ ବିରୋଧୀ ବଙ୍ଗୀୟ ଲୋକମାନଙ୍କ ନାରା ଥିଲା ‘ଓଡିଆ ଏକ ଭାଷା ନୁହେଁ, ଓଡିଆ ଏକ ଜାତି ନୁହେଁ’ା ଏହି ଷଡଯନ୍ତ୍ରରେ ରେଭନ୍ସା ମହାଶୟ ସାମିଲ ହୋଇ ଓଡିଶାରେ ଓଡିଆ ଭାଷାରେ ପାଠପଢା ବନ୍ଦ କରି ବଙ୍ଗଳା ଭାଷାରେ ପାଠପଢା ଆରମ୍ଭ କରିଥିଲେ । ଓଡିଆ ଭାଷାକୁ ପୁର୍ନଜୀବନ ଦେବା ପାଇଁ ବାଲେଶ୍ୱର ଜିଲ୍ଲାପାଳ ଜନ୍ ବିମ୍ସଙ୍କ ସହାୟତା ନେଇଥିଲେ ଫକୀର ମୋହନ । ବିମ୍ସଙ୍କ ଦ୍ୱାରା ସେ ରେଭେନ୍ସାଙ୍କ ସଂପର୍କରେ ଆସିଥିଲେ । ଓଡିଆ ଭାଷାକୁ ବଂଚାଇବା ପାଇଁ ରେଭନ୍ସା ମହାଶୟଙ୍କର ସ୍ତୁତି କରିବା ଯୁକ୍ତି ଯୁକ୍ତ ବୋଲି କୁହାଯାଇ ପାରେ । କୌଣସି ବିଷୟକୁ ଚର୍ଚ୍ଚା କଲାବେଳେ ସ୍ଥାନ କାଳ ପାତ୍ରକୁ ମଧ୍ୟ ଧ୍ୟାନ ଦେବାକୁ ପଡେ । ଏକା ଫକୀର ମୋହନ ନୁହଁନ୍ତି ସେ ସମୟର ଓଡିଶାର ଅନେକ ବରପୂତ୍ର ରେଭନ୍ସାଙ୍କ ପ୍ରଶଂସା କରିଛନ୍ତି । ଯାହାର ପରିଣାମ ଓଡିଆ ଭାଷାରେ ଓଡିଆ ପିଲାଙ୍କୁ ପାଠ ପଢିବାର ସୁଯୋଗ ମିଳିଲା । ରେଭେନ୍ସା ମହାଶୟଙ୍କ ଓଡିଆ ଭାଷାକୁ ଧ୍ୱଂସ କରିବାର ନିଷ୍ପତି ଏହି ପ୍ରଶଂସା କାରଣରୁ ପରିବର୍ତନ ହେଲା ।
ଆଉ କିଛି ବିଦ୍ୱାନ ନିଜର କଲେଜ ସହ ଥିବା ସମ୍ପର୍କକୁ ଅବତାରଣ କରି ଭାବ ବିହ୍ୱଳ ହୋଇପଡ଼ିଛନ୍ତି । ମନୁଷ୍ୟ ଗୋଟିଏ ନାମ ସହିତ ଅଭ୍ୟସ୍ତ ହୋଇ ଗଲେ ତାକୁ ଛାଡିବା ଏତେ ସହଜ ନୁହେଁ । ଝିଅଟିଏ ଶ୍ୱଶୁର ଘରକୁ ଗଲେ ନିଜର ସାଙ୍ଗିଆ ପରିବର୍ତନ କରିବା ପାଇଁ ସହଜ ଅନୁଭବ କରେ ନାହିଁ । କାରଣ ଅନେକ ଦିନ ଧରି ସେହି ନାମରେ ସେ ନିଜକୁ ପରିଚିତ କରେଇ ଆସିଛି । ନାମ ସହିତ ବ୍ୟକ୍ତିର ଭାବାବେଗ ମୋହରେ ପରିଣତ ହୋଇଯାଏ । କିନ୍ତୁ ଗୋଟିଏ ଜାତିର ସ୍ୱାଭିମାନ ପାଇଁ ମୋହ ବାଧକ ହେବା ଉଚିତ୍ ନୁହେଁ । ଯଦି ଓଡ଼ିଶାର ମହାପୁରୁଷଙ୍କ ନାମରେ ବିଶ୍ୱ ବିଦ୍ୟାଳୟ ନାମିତ ହେଲା କିମ୍ବା ସେହି ପୁରୁଣା ନାମ କଟକ କଲେଜକୁ ଆଦରି ନିଆଗଲା ତାହାହେଲେ କିଛିଦିନ ପରେ ସେହି ନାମ ସହ ସମସ୍ତଙ୍କ ଭାବାବେଗ ଆପେ ଆପେ ତିଆରି ହୋଇଯିବ ।
ସା ବିଦ୍ୟା ୟା ବିମୁକ୍ତୟେ । ତାହା ବିଦ୍ୟା ଯାହା ମୁକ୍ତି ପ୍ରଦାନ କରେ । ରେଭେନ୍ସା ଦାସତ୍ୱର ପ୍ରତୀକ । ମୁକ୍ତିର ମାର୍ଗ ଖୋଜୁଥିବା ଭାରତୀୟ ବିଦ୍ୟାର୍ଥୀ କିପରି ଦାସତ୍ୱକୁ ସ୍ୱୀକାର କରିବ ? ୨୦୦ ବର୍ଷର ଇଂରେଜ ଶାସନ ଭିତରେ ସ୍ୱାଭିମାନର ସଂକଟ ଆସିବା ନିଶ୍ଚିତ । କିନ୍ତୁ ଏପରି ସଂକଟ ନଆସୁ ବିଦେଶୀ ନାମ ଆମକୁ ଆନନ୍ଦ ପ୍ରଦାନ କରିବ ଏବଂ ବିଦେଶୀ ନାମ ରଖିବା ପାଇଁ ଆମେ ନିଲ୍ଲଜ ତର୍କ କରିବୁ ଓ ଆନ୍ଦୋଳନ କରିବୁ । ଆମେରିକାର ବିଦ୍ୟାଳୟରେ ବିଦେଶୀ ସଂକେତ ବା ଚିହ୍ନ ଛାତ୍ରର ପୋଷାକ ଉପରେ କିମ୍ୱା କୌଣସି ବସ୍ତୁ ଉପରେ ଥିଲେ ତାକୁ ବିଦ୍ୟାଳୟ ଆସିବା ପାଇଁ କର୍ତୃପକ୍ଷ ବାରଣ କରନ୍ତି । ଚଳିତ ଜୁଲାଇ ମାସରେ ତାଜାଖସ୍ତାନ ସଂସଦରେ ଆଇନ ପ୍ରଣୟନ କରି ବିଦେଶୀ ସଂସ୍କୃତି ଠାରୁ ଦୂରରେ ରହିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଚୀନ ସ୍ୱତନ୍ତ୍ରତାର ଶହେ ବର୍ଷ ପାଳନ କରିବା ଅବସରରେ ନୂତନ ଇତିହାସ ସଂକଳନ କରିଛି । ନୂତନ ଇତିହାସରେ ବିଦେଶୀକୁ ମହିମାମଣ୍ଡିତ କରୁଥିବା ବିଷୟକୁ ସଂପୂର୍ଣ୍ଣ ରୂପେ ବାହାର କରିଦିଆଯାଇଛି । ନିଜର ସ୍ୱ କୁ ନେଇ ସମସ୍ତେ ଗର୍ବ ଅନୁଭବ କରୁଥିବା ବେଳେ ଆମେ କିପରି ବର୍ଷ ବର୍ଷ ଧରି ବିଦେଶୀଙ୍କର ଗୌରବ ଗାରିମା ଆମର ଛାତ୍ରମାନଙ୍କୁ ପଢ଼ିବା ପାଇଁ ବିବଶ କରିଚାଲୁଥିବା ! ସମୟ ଆସିଛି ଓଡ଼ିଶାର ଗର୍ବ ଓ ଗୌରବ କଟକ କଲେଜ ନିଜର ହୃତ ଗୌରବ ଫେରି ପାଇବା ଉଚିତ । ପୁଣି ଥରେ ଗୋଦାବରୀଶ ମହାପାତ୍ରଙ୍କ କବିତା,ଆମେ ନିଜ କଣ୍ଠରେ ବିନା ଦ୍ୱିଧାରେ ଗାଇବାଉଠିବା ଉଚିତ । –
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି ।
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।ା
ସବୁଜ ନଗର,ମଠ ସାହି, ଭଦ୍ରକ
ମୋ-୯୪୩୭୦୧୭୮୫୭